ସର୍ବକାଳୀନ ରେକର୍ଡ ସ୍ତରରେ ସୁନା: ୭୪ ହଜାର ଡେଇଁଲା ଦର, ଆହୁରି ବଢ଼ିବ

Published By : Prameya-News7 Bureau | April 17, 2024 IST

ଭୁବନେଶ୍ୱର ୧୭/୦୪: ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ଚାହିଦା ସୁନାର ଚମକକୁ ବଢ଼ାଇଚାଲିଛି । କ୍ରମାଗତ ଭାବେ ଏହା ନୂଆ ରେକର୍ଡ ଯୋଡ଼ିଚାଲିଛି । ଆଜି ଏହା ୭୪,୦୦୦ ସ୍ତର ଅତିକ୍ରମ କରିଛି । ଆଗକୁ ବିବାହ ଋତୁ ଏବଂ ଅକ୍ଷୟ ତୃତୀୟା ଥିବାବେଳେ ଚାହିଦା ବଡ଼ ଆକାରରେ ବୃଦ୍ଧି ପାଇବା ସମ୍ଭାବନା ରହିଛି । 

ଅନ୍ୟପକ୍ଷରେ, ଇରାନ-ଇସ୍ରାଏଲ୍‌ ସଂକଟ ଯୋଗୁ ଦର ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ନିବେଶକ ଉତ୍ସାହିତ ଥିବାବେଳେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଚାହିଦା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦର ୯୮୦ ଟଙ୍କା ବୃଦ୍ଧି ପାଇ ୭୪,୧୩୦ ଟଙ୍କା ହୋଇଛି ।

ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୯୦୦ ଟଙ୍କା ବଢ଼ି ୬୭,୯୫୦ ଟଙ୍କାରେ ପହଞ୍ଚିଛି । ରୁପା ମଧ୍ୟ ନୂଆ ରେକର୍ଡ ଯୋଡ଼ିଚାଲିଛି । ରାଜଧାନୀ ଭୁବନେଶ୍ୱରରେ କିଲୋଗ୍ରାମ ପିଛା ରୁପା ୧୦୦୦ ଟଙ୍କା ମହଙ୍ଗା ହୋଇ ୯୦,୫୦୦ ଟଙ୍କା ଛୁଇଁଛି । ଏ ବର୍ଷ ସୁନା ଦର ୮୦,୦୦୦ ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । 

ବର୍ଦ୍ଧିତ ଚାହିଦା ଏବଂ ଭୁ-ରାଜନୈତିକ ଅସ୍ଥିରତା ଯୋଗୁ ଏହା ରକେଟ୍‌ ବେଗରେ ବଢ଼ିଚାଲିଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା ଏହା ୧୦,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । ଗତ ୧୬ ଦିନରେ ଏହା ୪,୫୦୦ ଟଙ୍କା ମହଙ୍ଗା ହୋଇଛି । ସୂଚନାଯୋଗ୍ୟ, ଭୁ-ରାଜନୈତିକ ସମସ୍ୟା ତେଜିଲେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ । ତେଣୁ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଏହା ଦରକୁ ବଢ଼ାଇଥାଏ । 

ବର୍ତ୍ତମାନର ଧାରା ଜାରି ରହିଲେ ଆଗକୁ ସୁନା ଲକ୍ଷେ ଛୁଇଁବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ । ଯୁଦ୍ଧ ସ୍ଥିତିରେ ସୁନା ଦର ସର୍ବଦା ବଢ଼ିଛି । ଏବେ ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁ ଅନିଶ୍ଚିତତା ଆଶଙ୍କାରେ ଲୋକେ ସୁନାରେ ପ୍ରଚୁର ନିବେଶ କରୁଛନ୍ତି । ଫଳରେ ଏହି ଧାତୁର ଚାହିଦା ବଢ଼ିବା ଦ୍ୱାରା ଦର ଉପରମୁହାଁ ହୋଇଛି । ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪- ୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । 

ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । ୨୦୨୪-୨୫ ଆର୍ଥିକବର୍ଷର ପ୍ରଥମ ୩ଟି ତ୍ରୟମାସରେ ଏହି ହ୍ରାସ କରାଯାଇପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି । 

ସୁନା ଦର ବଢ଼ିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି । ୱାଲେଟ୍‌୪ୱେଲ୍‌ଥର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା କୁହନ୍ତି, ବିଭିନ୍ନ ପ୍ରକାର କାରଣ ଯୋଗୁ ଏହି ଧାତୁ ଦର ବଢୁଛି । 

ପୂର୍ବରୁ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଯୋଗୁ ଦର ବଢୁଥିଲା । ବର୍ତ୍ତମାନ ଏଥିରେ ଇରାନ-ଇସ୍ରାଏଲ ବିବାଦ ଯୋଡ଼ି ହୋଇଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ତେଜିଲେ ଆଗକୁ ଦର ଆହୁରି ବଢ଼ିବ । ଏବେ ଏଥିରେ ନିବେଶ ଏକ ଉତ୍ତମ ବିକଳ୍ପ ହେବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.