ବାରବାଟୀ ମ୍ୟାଚ୍ ବେଳେ ଜଗିବେ ୫୦ ପ୍ଲାଟୁନ ଫୋର୍ସ, ଟିକେଟ୍ରେ ଉଲ୍ଲେଖ ଥିବା ଜିନିଷ ଆଣିବାକୁ ମନା

NEWS7
girl-slit-throat-another-girl-in-bhubaneswar

କଟକ ୭।୧୨: ବାରବାଟୀ ମ୍ୟାଚ୍ ପାଇଁ ପୋଲିସ ପ୍ରସ୍ତୁତି ବୈଠକ ଶେଷ । ମ୍ୟାଚ୍ ପାଇଁ ମୋଟ୍ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩୦୦ ଅଧିକାରୀ ଦାୟିତ୍ବରେ ରହିବେ । ଟ୍ରାଫିକ୍ କଟକଣା ମଧ୍ୟରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥାରେ ଖେଳାଳି ଆସିବେ ଓ ଯିବେ । ଟିକେଟ୍ ପଛରେ ଉଲ୍ଲେଖ ଥିବା ଜିନିଷ ଛାଡି ୪ ଘଣ୍ଟା ପୂର୍ବରୁ ଷ୍ଟାଡିୟମ୍‌କୁ ପ୍ରବେଶ କରିବାକୁ ପରାମର୍ଶ । ସେହିଭଳି ପ୍ରାକ୍ଟିସ୍ ମ୍ୟାଚ୍‌ରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ କହିଛନ୍ତି ।

ସେପଟେ, ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଥିଲେ ଉଭୟ ଦଳର ଖେଳାଳି । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସି ପହଞ୍ଚିଥିଲେ ଉଭୟ ଟିମ୍‌ । ଭାରତୀୟ କ୍ରିକେଟ ଟିମ୍‌ର କୋଚ୍ ଗୌତମ ଗମ୍ଭୀର ପ୍ରଥମେ ବିମାନ ବନ୍ଦରରୁ ବାହାରିଥିଲେ । ତାଙ୍କ ସହିତ ତିଲକ ବର୍ମା, ଅର୍ସଦୀପ ସିଂ, ହର୍ଶିତ୍ ରାଣା, କୁଲଦୀପ ୟାଦବ, ୱାଶିଂଟନ ସୁନ୍ଦର ଓ ଅନ୍ୟ ଖେଳାଳି ମାନେ ପହଞ୍ଚିଥିଲେ । ଖେଳାଳିଙ୍କ ସହ ଅନ୍ୟ କୋଚିଙ୍ଗ ଓ ସପୋର୍ଟ ଷ୍ଟାଫ୍ ବି ପହଞ୍ଚିଥିଲେ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍ ବୁମ୍‌ରା ବି ପହଞ୍ଚି ସାରିଛନ୍ତି । ଦକ୍ଷିଣ ଆଫ୍ରିକାର କୋଚ୍ ଓ ଖେଳାଳି ମାନେ ବି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ।