୧୫୦ ବର୍ଷରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍‌’, ମୋଦିଙ୍କ ଭାଷଣରୁ ଲୋକସଭାରେ ଚର୍ଚ୍ଚା

NEWS7
gajendra-singh-sekhawat-tested-corona-positive

ନୂଆଦିଲ୍ଲୀ, ୦୮/୧୨: ୧୫୦ ବର୍ଷରେ ପଦାର୍ପଣ କରିଛି ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ । ଏହି ଉପଲକ୍ଷେ ସଂସଦରେ ୧୦ ଘଣ୍ଟା ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଆଲୋଚନା ଆରମ୍ଭ କରିବେ ବିତର୍କ । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଭାଷଣ ଦେବେ। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଲୋକସଭାରେ "ବନ୍ଦେ ମାତରମ୍" ଉପରେ ଭାଷଣ ଦେବେ । ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାରେ ଅଂଶଗ୍ରହଣ କରିବେ । ଲୋକସଭାରେ ୧୦ ଘଣ୍ଟା ଧରି ଚର୍ଚ୍ଚା ହେବ । ଯେଉଁଥିରେ ବିଭିନ୍ନ ଦଳର ସାଂସଦ ଭାଗନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭାଷଣ ଦେବା ପରେ ଆଲୋଚନା ଚାଲିବ ।

ଏହାଦ୍ୱାରା ‘ବନ୍ଦେ ମାତରମ୍’କୁ ନେଇ ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଶବାସୀଙ୍କ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତେବେ କାର୍ଯ୍ୟକାଳ ସମୟରେ ହଙ୍ଗାମା ହେବାର ସମ୍ଭାବନା ରହିଛି । କାରଣ ଗୀତଟିର ଛନ୍ଦକୁ କଂଗ୍ରେସ ହଟାଇଥିବା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ନିକଟରେ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦି କହିଥିଲେ, ୧୯୩୭ରେ ଗୀତର ମହତ୍ତ୍ୱପୂର୍ଣ୍ଣ ଛନ୍ଦକୁ ହଟାଯିବା ଯୋଗୁ ଭାରତର ବିଭାଜନ ହୋଇଥିଲା ।

ଏହି ବିଭାଜନ ମାନସିକତା ଦେଶ ପାଇଁ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ୧୯୩୭ରେ ‘ବନ୍ଦେ ମାତରମ୍’ର ଜରୁରି ଅଂଶକୁ ହଟାଯିବା ଦ୍ୱାରା ଦେଶ ବିଭାଜନର ସୂତ୍ରପାତ ହୋଇଥିଲା । ରାଷ୍ଟ୍ର ଗଠନର ଏହି ମହାନ ମନ୍ତ୍ର ସହ ଏଭଳି ଅନ୍ୟାୟ କାହିଁକି ହୋଇଥିଲା, ତାହା ଆଜିର ପିଢ଼ି ବୁଝିବା ଆବଶ୍ୟକ । କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଅବସରରେ ବିଶେଷ ସ୍ମାରକ ମୁଦ୍ରା ଓ ଡାକ ଟିକଟ ଜାରି କରିଥିଲେ, ଯାହା ଏହାର ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରେ ।

ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସ୍ୱାଧୀନତା ସଂଗ୍ରାମର ଅମର ଧରୋହର ଦର୍ଶାଇଥିଲେ । ଏହି ଗୀତ ରାଷ୍ଟ୍ରଭକ୍ତିର ଭାବନାକୁ ଜାଗ୍ରତ କରୁଛି ବୋଲି କହିଥିଲେ ।ଉଲ୍ଲେଖଥାଉ କି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଶାସକ ଓ ବିରୋଧୀ ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ସହମତି ହୋଇଥିଲା ।

‘ବନ୍ଦେ ମାତରମ୍’କୁ ୧୮୭୦ ଦଶକରେ ମହାନ ସାହିତ୍ୟିକ ବଙ୍କୀମ ଚନ୍ଦ୍ର ଚାଟାର୍ଜୀ ବଙ୍ଗଳାରେ ଲେଖିଥିଲେ । ଏହି ଗୀତ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆନନ୍ଦମଠ’ର ଅଂଶବିଶେଷ । ଉପନ୍ୟାସ ୧୮୮୨ରେ ପ୍ରକାଶିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ୍’ ପ୍ରମୁଖ ପ୍ରେରଣା ସାଜିଥିଲା । ଏହା ଲକ୍ଷ ଲକ୍ଷ କ୍ରାନ୍ତିକାରୀଙ୍କୁ ଏକାଠି କରିଥିଲା । ୧୯୫୦ରେ ଏହାକୁ ରାଷ୍ଟ୍ରୀୟ ଗୀତ ଭାବେ ଗ୍ରହଣ କରାଯାଇଥିଲା ।