ଡ୍ରାଗନର ବଡ଼ ପ୍ଲାନ୍; ଇରାନ୍‌କୁ ୨ ଲକ୍ଷ ଡଲାରର ଜରୁରୀ ସହାୟତା ଘୋଷଣା କଲା ଚୀନ୍

NEWS7
fighter-tejas-deployed-on-pakistans-border

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇରାନ୍କୁ ମାନବୀୟ ସହାୟତା ଦେବାକୁ ଘୋଷଣା କଲା ଚୀନ୍ । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଛାରଖାର ହୋଇଥିବା ଇରାନକୁ ସହାୟତାର ହାତ ବଢ଼ାଇଲା ଡ୍ରାଗନ । ପ୍ରଥମ ଦେଶ ଭାବରେ ଚୀନ୍, ଇରାନ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଛି । ଇରାନକୁ ବେଜିଂ ୨ ଲକ୍ଷ ଡଲାରର ଜରୁରୀ ସହାୟତା ଦେବା । ଚୀନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ ଶୁକ୍ରବାର ବେଜିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ଚୀନର ରେଡକ୍ରସ୍ ସୋସାଇଟି ଇରାନର ରେଡ କ୍ରିସେଣ୍ଟ ସୋସାଇଟିକୁ ୨ ଲକ୍ଷ ଆମେରିକୀୟ ଡଲାର (ପ୍ରାୟ ୧.୬୮ କୋଟି ଟଙ୍କା) ଜରୁରୀକାଳୀନ ମାନବିକ ସହାୟତା ପ୍ରଦାନ କରିବ। ଆମେରିକାର ଆକ୍ରମଣରେ ପ୍ରାଣ ହରାଇଥିବା ଛାତ୍ରୀମାନଙ୍କ ପରିବାରକୁ ଏହି ସହାୟତା ଦିଆଯିବ ବୋଲି କୁହାଯାଉଛି ।

ପ୍ରାଣ ହରାଇଥିଲେ ଛାତ୍ରୀ

ଯୁଦ୍ଧ ଆରମ୍ଭରେ ଇରାନର ଏକ ବିଦ୍ୟାଳୟ ଉପରେ ଏହି ଆକ୍ରମଣ ହୋଇଥିଲା । ଯେଉଁଥିରେ ନିରୀହ ଛାତ୍ରୀମାନେ ପ୍ରାଣ ହରାଇଥିଲେ। ଚୀନ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିଲା ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲା। ଗୁଓ କହିଛନ୍ତି ଯେ, ଚୀନ୍ ନାଗରିକ ଏବଂ ଅଣ-ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରେ । ସେ ଉତ୍ତେଜନା କମ କରିବା ଏବଂ ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ପକ୍ଷଙ୍କ ସହିତ ଯୋଗାଯୋଗ ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ସେ ଆହୁରି କହିଛି ଯେ, ଆବଶ୍ୟକ ହେଲେ ଇରାନ ଏବଂ ଏହାର ଲୋକଙ୍କୁ ଅତିରିକ୍ତ ସହାୟତା ଯୋଗାଇବ ଚୀନ୍।

ଇରାନ୍ ଉପରେ ଆକ୍ରମଣ

ଫେବ୍ରୁଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ । ଏବେ ବି ଏହି ଯୁଦ୍ଧ ଜାରି ରହିଛି । ଇରାନ୍ ବି ପ୍ରତିଜବାବ ଦେଉଛି । ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ କରିବା ପରେ ତେହେରାନ୍ ନିଜର ପଡ଼ୋଶୀ ଗଲ୍ଫ ଦେଶମାନଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ଗଲ୍ଫ ଦେଶରେ ଥିବା ତୈଳ ଡିପୋ କ୍ଷତିଗ୍ରସ୍ତ ହୋଇଛି । ଏହି ଯୁଦ୍ଧରେ ଇରାନ୍ର ନାଗରିକମାନେ ବେଶି ପ୍ରଭାବିତ ହୋଇଛନ୍ତି । ସେଥିମଧ୍ୟରୁ ଯୁଦ୍ଧର ପ୍ରଥମ ଦିନରେ ଦକ୍ଷିଣ ଇରାନର +ବାଳିକା ବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଅତି ଭୟଙ୍କର ଥିଲା । ଛାତ୍ରୀମାନଙ୍କ ସମେତ ମୋଟ ୧୭୦ ଜଣ ପ୍ରାଣ ହରାଇଥିଲେ ।

ଚୀନ୍ ଦେଲା ସହାୟତା

ଯୁଦ୍ଧଗ୍ରସ୍ତ ଇରାନକୁ ସହାୟତା ଘୋଷଣା କରି ଚୀନ୍ ନିଜର ବନ୍ଧୁତାର ନିଦର୍ଶନ ଦେଇଛି । କିନ୍ତୁ ଚୀନ୍ ଇରାନ୍ ପାଖରୁ ପ୍ରଚୁର ପରିମାଣରେ ତୈଳ କ୍ରୟ କରୁଛି । ତେଣୁ ଇରାନରେ ଶାନ୍ତି ପ୍ରତିଷ୍ଠା ହେବା ଚୀନ୍ ପାଇଁ ଜରୁରୀ । ମାନବୀୟ ସହାୟତା ଘୋଷଣା କରିଛି ଚୀନ୍ । ଏପର୍ଯ୍ୟନ୍ତ କୌଣସି ସାମରିକ ସହାୟତା ନେଇ ବେଜିଂ ଘୋଷଣା କରିନାହିଁ । ହୁଏତ ଏହା ପରେ ଇରାନ୍କୁ ସୈନ୍ୟ ସହାୟତା ଦେଇପାରେ ଚୀନ୍ । ସେପଟେ ଆମେରିକା ଗୁଇନ୍ଦା ବିଭାଗ ଅନୁସାରେ, ଇରାନ୍ ଯୁନ୍ଧ ଶୀଘ୍ର ବନ୍ଦ ହେଉ ବୋଲି ଚୀନ୍ ଚାହୁଁଛି ।