୩୬ ମିସାଇଲ୍, ୨୪୨ ଡ୍ରୋନ୍, ଘନ ଘନ ବୋମା : ୟୁକ୍ରେନରେ ପୁଟିନ ସେନାର ବିରାଟ ଆକ୍ରମଣ, ଅନେକ ନିହତ

NEWS7
fear-of-corona-and-fear-of-lockdown-increase-drug-demand-most-demand-for-this-drug

ନୂଆଦିଲ୍ଲୀ, ୦୯/୦୧: ୟୁକ୍ରେନରେ ଭୟଙ୍କର ଆକ୍ରମଣ । ଧ୍ୱଂସ ଲୀଳା ରଚିଲେ ଋଷ୍ ବାୟୁସେନା । ୩୬ ମିସାଇଲ୍ ସହ ୨୪୨ ଡ୍ରୋନ ଦ୍ୱାରା ଆଟାକ୍ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ମଧ୍ୟରେ ଆକ୍ରମଣ କରିଛନ୍ତି ଭ୍ଲାଦିମିର୍ ପୁଟିନ । ପୁଟିନଙ୍କ ବାସଭବନରେ ହୋଇଥିବା ଆକ୍ରମଣ ପରେ ଏହା ଋଷ ତରଫରୁ କାଉଣ୍ଟର୍ ଆଟାକ୍ ବୋଲି କୁହାଯାଉଛି ।

​​​​​​​ଗୋଟିଏ ଦିଗରେ ଆମେରିକା-ଭେନେଜୁଏଲା ମଧ୍ୟରେ ଯୁଦ୍ଧ । ଆନ୍ୟ ଦିଗରେ ଗ୍ରୀନଲ୍ୟାଣ୍ଡକୁ କବଜା କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଆଖି । ସେପଟେ ମହାସାଗରରେ ଋଷିଆ-ୟୁଏସ ମୁହାଁମୁହିଁ । ଏହା ଭିତରେ ଋଷ ଦେଖାଇଛି ନିଜର ପତିଆରା । ସିଧାସଳଖ ନାଟୋକୁ ଦେଇଛି ଚ୍ୟାଲେଞ୍ଜ୍ ।

କିଭ୍ ର ଦାବି ଅନୁସାରେ, ଋଷିଆ ଗୁରୁବାର ରାତିରେ ୟୁକ୍ରେନର ଅନେକ ସ୍ଥାନରେ ଆକ୍ରମଣ କରିଛି । ୩୬ଟି ହାଇପରସୋନିକ୍ ମିସାଇଲରେ ଆଟାକ୍ ହୋଇଛି । ଏହାସହ ଡ୍ରୋନ୍ ମଧ୍ୟ ବ୍ୟବହାର ହୋଇଛି । ଯେଉଁଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।

ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ୟୁରୋପୀୟ ୟୁନିୟନ ଏବଂ ନାଟୋ ସୀମାରେ ମିସାଇଲ୍ ଆଟାକ୍ ହୋଇଛି । ଯାହା ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । କିଭ୍ ର ସହଯୋଗୀଙ୍କ ପାଇଁ ଆକ୍ରମଣ ସତର୍କ ଘଣ୍ଟି ସଦୃଶ ଅଟେ ।

 

ରାଷ୍ଟ୍ରପତି ଜେଲେନସ୍କି ଋଷର ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେ କହିଛନ୍ତି ୟେ, ଆକ୍ରମଣରେ କତାର ଦୂତାବାସର ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୦ଟି ସାଧାରଣ ନାଗରିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସେ ଶୋକ ବ୍ୟକ୍ତ କରିଛନ୍ତି ।

ଋଷିଆର ପ୍ରତିକ୍ରିୟା

ଋଷିଆ କହିଛି ଯେ, ଡିସେମ୍ବର ମାସରେ ପୁଟିନଙ୍କ ଘରେ ଆକ୍ରମଣ ହୋଇଥିଲା । ଯାହା ବିରୋଧରେ ଏବେ ଆକ୍ସନ୍ ନିଆଯାଉଛି । ନିଜ ସୁରକ୍ଷା ପାଇଁ ମସ୍କୋ ଜବାବ ଦେଇଛି ।

ୟୁକ୍ରେନର ଖଣ୍ଡନ

ପୁଟିନଙ୍କ ବାସଭବନରେ ଆକ୍ରମଣ ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ଘଟଣା ପାଇଁ ୟୁକ୍ରେନକୁ ଦାୟୀ କରିଥିଲା କ୍ରେମଲିନ୍ । କିନ୍ତୁ ୟୁକ୍ରେନ ଆକ୍ରମଣ ପଛରେ ହାତ ନଥିବା ଦାବି କରିବା ସହ ତା ବିରୋଧରେ ଅଣାଯାଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଘଟଣା ବାବଦରେ ତାଙ୍କୁ ପୁଟିନ ନିଜେ ଫୋନ୍ ଯୋଗେ ଖବର ଦେଇଥିବା କହିଥିଲେ ।