Edwin Lutyens କିଏ? ଯାହାଙ୍କ ମୂର୍ତ୍ତି ଏବେ ରାଷ୍ଟ୍ରପତି ଭବନରୁ ହଟିବ

NEWS7
fear-of-corona-and-fear-of-lockdown-increase-drug-demand-most-demand-for-this-drug

ନୂଆଦିଲ୍ଲୀ ୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଫେବୃଆରୀ ରବିବାର ‘ମନ କି ବାତ’ରେ ରାଷ୍ଟ୍ରପତି ଭବନରେ ଥିବା ବ୍ରିଟିଶ ସ୍ଥପତି (ଆର୍କିଟେକ୍ଟ) ଏଡୱିନ ଲୁଟିୟନସଙ୍କ ମୂର୍ତ୍ତିକୁ ହଟାଇ ସେଠାରେ ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି.ରାଜଗୋପାଲଚାରୀଙ୍କ ମୂର୍ତ୍ତି ସ୍ଥାପନା କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ଔପନିବେଶିକବାଦ ପ୍ରତୀକରୁ ମୁକ୍ତି ଓ ଭାରତୀୟ ସଂସ୍କୃତିର ପ୍ରତୀକଙ୍କୁ ଆପଣେଇବା ଦିଗରେ ପଦକ୍ଷେପ ବୋଲି କହିଛନ୍ତି। ତେବେ ଏଡୱିନ ଲୁଟିୟନସ କିଏ ଥିଲେ, ଯାହାଙ୍କ ମୂର୍ତ୍ତି ଏବେ ହଟାଯାଉଛି ଆସନ୍ତୁ ଜାଣିବା।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରେଡିଓ ଭାଷଣରେ କହିଛନ୍ତି ଯେ ସ୍ୱାଧୀନତା ପରେ ବି ରାଷ୍ଟ୍ରପତି ଭବନରେ ବ୍ରିଟିଶ ଯୁଗର ମୂର୍ତ୍ତିସବୁ ଅଛନ୍ତି, ହେଲେ ମହାନ ଭାରତୀୟ ନେତାଙ୍କୁ ସେଠାରେ ସମ୍ମାନୀତ କରାଯାଉ ନାହିଁ। ସେ ‘ଆଜାଦୀକା ଅମୃତ ମହୋତ୍ସବ’ କାଳରେ ଲାଲକିଲାରୁ ଦେଇଥିବା ପଞ୍ଚ ପ୍ରାଣର ଉଲ୍ଲେଖ କରି ଗୋଲାମ ମାନସିକତାରୁ ମୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରପତି ଭବନରେ ଏହି ପରିବର୍ତ୍ତନ ଏ ଦିଗରେ ଏକ ପଦକ୍ଷେପ ବୋଲି ଏବେ ବିଚାର କରାଯାଉଛି।

ତେବେ ଏଡୱିନ ଲୁଟିୟନସ (ପୁରା ନାମ ସାର ଏଡୱିନ ଲ୍ୟାଣ୍ଡସିର ଲୁଟିୟନସ) ବିଂଶ ଶତାବ୍ଦୀର ସବୁଠୁ ପ୍ରସିଦ୍ଧ ବ୍ରିଟିଶ ଆର୍କିଟେକ୍ଟଙ୍କ ମଧ୍ୟରେ ଅନ୍ୟତମ ଥିଲେ, ଯିଏ ପାରମ୍ପରିକ ଶୈଳୀକୁ ଆଧୁନିକ ଆବଶ୍ୟକତା ସହିତ ଯୋଡି ଅନନ୍ୟ ଭବନ ଡିଜାଇନ କରିଥିଲେ। ସେ ବ୍ରିଟେନର କଣ୍ଟ୍ରି ହାଉସେସ, ଯୁଦ୍ଧ ସ୍ମାରକ ଓ ପବ୍ଲିକ୍ ବିଲ୍ଡିଂସ ଡିଜାଇନ କରି ପ୍ରସିଦ୍ଧି ଅର୍ଜନ କରିଥିଲେ। ହେଲେ ଭାରତରେ ତାଙ୍କର ପରିଚୟ ନୂଆ ଦିଲ୍ଲୀର ଡିଜାଇନର ଭାବେ ରହିଛି।

୨୯ ମାର୍ଚ୍ଚ ୧୮୬୯ରେ ଇଂଲଣ୍ଡର କେନସିଙ୍ଗଟନ ଜନ୍ମିତ ଲୁଟିୟନସ ତାଙ୍କ ପିତାମାତାଙ୍କ ୧୩ ଜଣ ସନ୍ତାନଙ୍କ ମଧ୍ୟରେ ୧୦ମ ସନ୍ତାନ ଥିଲେ। ତାଙ୍କ ପିତା ଚାର୍ଲସ୍ ଅଗଷ୍ଟସ ହେନରୀ ଲୁଟିୟନସ ଜଣେ ସୈନିକ ଓ ଚିତ୍ରକର ଥିଲେ। ସେହିପରି ମା ମେରୀ ଟେରେସା ଗ୍ୟାଲୱେ ଆୟର୍ଲାଣ୍ଡର ଥିଲେ। ବାଲ୍ୟାବସ୍ଥାରେ ଏଡୱିନଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଖରାପ ରହୁଥିଲା। ରୁମାଟିକ ଫିଭର କାରଣରୁ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ ଥିଲା। ଏଣୁ ସେ ସ୍କୁଲ କି ୟୁନିଭର୍ସିଟିରେ ପଢି ପାରିନଥିଲେ। ତେବେ ୧୮୮୫ରେ ସେ କେନସିଙ୍ଗଟନ ସ୍କୁଲ ଅଫ ଆର୍ଟରେ ପାଠ ପଢି ୧୮୮୭ରେ ଆର୍କିଟେକ୍ଟ ଫାର୍ମରେ ଆପ୍ରେଣ୍ଟିସ ଭାବେ ଯୋଗ ଦେଇଥିଲେ।

ଲୁଟିୟନସ ତାଙ୍କ ସାଙ୍ଗିଆ ‘ଲ୍ୟାଣ୍ଡସିର’ରେ ପ୍ରୋତ୍ସାହିତ ହୋଇ ପାରମ୍ପରିକ ଇଂଲିସ ଷ୍ଟାଇଲ ଶିଖିଥିଲେ। ତେବେ ଗାର୍ଡେନ ଡିଜାଇନର ଗର୍ଟୁଡ ଜ୍ୟାକେଲଙ୍କ ସହ ମିଶି ତାଙ୍କ ଷ୍ଟାଇଲ ବଦଳିଥିଲା। ସେ ଶରଳ ଓ ଉଦ୍ଦେଶ୍ୟପୂର୍ଣ୍ଣ ଡିଜାଇନ ଉପରେ ଫୋକସ କରିଥିଲେ। ୧୮୯୬ରେ ‘ମୁନଷ୍ଟେଡ ଉଡ ହାଉସ୍’ ତାଙ୍କୁ ସ୍ଥପତି ଭାବେ ପରିଚିତ କରାଇଥିଲା। ଏହା ପରେ ସେ ଇଂଲଣ୍ଡରେ ଅନେକ କଣ୍ଟ୍ରି ହାଉସ୍ ଡିଜାଇନ କରିଥିଲେ। ପ୍ରଥମ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ସ୍ମାରକ ସବୁ ନିର୍ମାଣ କରିଥିଲେ। ଏଥିରେ ଲଣ୍ଡନରେ ଥିବା ଦି ସେନୋଟଫ ଅନ୍ୟତମ। ତେବେ ସବୁଠୁ ବଡ଼ କାମ ସେ ୧୯୧୨ ମସିହାରେ କରିଥିଲେ ଯାହା ଦିଲ୍ଲୀ ସହରର ଡିଜାଇନ ଥିଲା।

ସେ ସାର ହର୍ବଟ ବେକରଙ୍କ ସହ ମିଶି ଭାଇସରୟ ହାଉସ (ଏବେକା ରାଷ୍ଟ୍ରପତି ଭବନ), ନର୍ଥ ବ୍ଲକ, ସାଉଥ ବ୍ଲକ, ଇଣ୍ଡିଆ ଗେଟ୍ ଓ ସଂସଦ ଭବନ ଭଳି ସ୍ମାରକର ଡିଜାଇନ କରିଥିଲେ। ଏଣୁ ନୂଆ ଦିଲ୍ଲୀର କେନ୍ଦ୍ରୀୟ ଅଞ୍ଚଳକୁ ଆଜିବି ଲୁଟିୟନସ ଦିଲ୍ଲୀ କୁହାଯାଉଛି। ଯାହା ଦେଶର ରାଜନୈତିକ ଓ ଅଭିଜାତ ବର୍ଗର ପ୍ରତୀକ। ଲୁଟିୟନସଙ୍କ ସ୍ମୃତି ଆଜିବି ନୂଆଦିଲ୍ଲୀର ଭବନମାନଙ୍କରେ ଜୀବିତ ରହିଛି। ହେଲେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ବ୍ରିଟିଶ କାଳର ପ୍ରତୀକଙ୍କଠାରୁ ଦୂରେଇବାର ସଂକେତ ।