ବାପା ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ କାମ କରନ୍ତି, ପୁଅ ୟୁପିଏସ୍‌ସି ପରୀକ୍ଷାରେ ହାସଲ କଲେ ୬୭ ରାଙ୍କ

Published By : Prameya-News7 Bureau | April 20, 2024 IST

ଭଦ୍ରକ ୨୦।୪: କଥାରେ ଅଛି କଷ୍ଟ ହିଁ ଦେଖାଏ ସଫଳତାର ରାସ୍ତା । ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ସଫଳତା ନପାଇଲେ ପରିବାରର ଆର୍ଥିକ ଦୂରାବସ୍ଥାକୁ ଦାୟୀ କରନ୍ତି । କିନ୍ତୁ ଏପରି କିଛି ପିଲା ଅଛନ୍ତି ଯେଉଁମାନଙ୍କୁ ପରିବାରର କଷ୍ଟ ହିଁ ଦେଖାଇଛି ସଫଳତାର ରାସ୍ତା । କେବଳ କଥାରେ ନୁହେଁ ଏହାକୁ ସତ କରି ଦେଖାଇଛନ୍ତି ଅତୁଲ କୁମାର ସିଂ। ଗରିବ ପରିବାରର ଦୁଃଖ କଷ୍ଟ ଭୋଗିଛନ୍ତି ସେ । ବାପା ଏକ ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି । କିନ୍ତୁ ଅଭାବ ଅଟକାଇପାରିନି ଅତୁଲଙ୍କ ସ୍ବପ୍ନକୁ । ୟୁପିଏସ୍‌ସି ପରୀକ୍ଷାରେ ସାରା ଦେଶରେ ୬୭ ରାଙ୍କ ହାସଲ କରି ଆଇଏଏସ୍ ପାଇଛନ୍ତି ଅତୁଲ ।

ଭଦ୍ରକ ଜିଲ୍ଲାର ଏକ ଘରୋଇ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ବିହାର ରାଞ୍ଚିର ପୱନ କୁମାର ସିଂ । ପଓ୍ବନ ଘର ଛାଡ଼ି ବହୁ ବର୍ଷ ହେବ ଭଦ୍ରକରେ ରହୁଛନ୍ତି । ସେ କିନ୍ତୁ ପୁଅ ଅତୁଲର ପାଠପଢା ପାଇଁ ସବୁ କଷ୍ଟ ସହିଛନ୍ତି । କଥାରେ ଅଛି କଷ୍ଟ ଶୁଣନ୍ତି ହରି । ପଓ୍ବନଙ୍କ ପୁଅ ତାଙ୍କୁ ତାଙ୍କ କଷ୍ଟର ମୂଲ୍ୟ ଦେଇଛନ୍ତି । ଯେଉଁଠି ପଓ୍ବନ ଦିନ ରାତି କାମ କରୁଥିଲେ ଆଜି ସେଇଠି ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ତେବେ ପଓ୍ବନଙ୍କ ଭଳି ଅତୁଲ ବି କରିଛନ୍ତି ପରିଶ୍ରମ । ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଚାକିରି ଛାଡି ଆଇଏଏସ୍ ହେବା ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି। ଦିନକୁ ୧୪ ଘଣ୍ଟା ପରିଶ୍ରମ କରୁଥିଲେ । ଅତୁଲଙ୍କ ବାପା ବାହାରେ ରହୁଥିଲେ ମଧ୍ୟ ମା’ ଆଶା ସିଂ ସବୁ କ୍ଷେତ୍ରରେ ପୁଅକୁ ସହଯୋଗ କରୁଥିଲେ । ଆଜି ପୁଅର ସଫଳତା ଉଭୟଙ୍କୁ ଗର୍ବିତ କରିଛି । 

ସିକ୍ୟୁରିଟି ଗାର୍ଡଙ୍କ ପୁଅ ଆଇଏଏସ୍ । ପୁଅ ସାଧାରଣତଃ ବାପାଙ୍କ ନାମରେ ପରିଚିତ ହୁଅନ୍ତି । କିନ୍ତୁ ବେଳେ ବେଳେ ପୁଅର ପରିଚୟ ବାପାଙ୍କୁ ଅନନ୍ୟ କରେ, ଦିଏ ଅନେକ ଖୁସି । ପଓ୍ବନଙ୍କ ପାଇଁ ଅତୁଲ କେବଳ ଗର୍ବ ଆଣି ନାହାନ୍ତି ଅନେକଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି । 

You Can Read : 

ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ର ନିଲମ୍ବିତ, ରାଜନେତାଙ୍କ ନାଁ ନେଇ ଲାଞ୍ଚ ମାଗିବା ଅଡିଓ ହୋଇଥିଲା ଭାଇରାଲ୍

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.