ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି? କାରଣ କହିଲେ ଅମିତ ଶାହ

Published By : Prameya-News7 Bureau | April 19, 2024 IST

indiatoday

ନୂଆଦିଲ୍ଲୀ: ଏଥର ନିର୍ବାଚନରେ ବିଜେପିକୁ ଥରେ ସୁଯୋଗ ଦେବାକୁ ଓଡ଼ିଶା ଲୋକଙ୍କୁ ବିନମ୍ର ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଓଡ଼ିଶାରେ କାହିଁକି ବିଜେଡି ସହ ବିଜେପି ମେଣ୍ଟ କଲା ନାହିଁ ତା’ର ଜବାବ ମଧ୍ୟ ରଖିଛନ୍ତି ଗୃହମନ୍ତ୍ରୀ। 
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତ୍‌କାର ଦେଇ ଅମିତ ଶାହ କହିଛନ୍ତି “ଆମ କାର୍ଯ୍ୟକର୍ତ୍ତାଙ୍କର ଦୃଢ଼ ରାୟ ଥିଲା ଯେ ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି ଓ ଓଡ଼ିଶା ରାଜନୈତିକ ଗର୍ବ ପାଇଁ ବିଜେପି ଅଲଗା ହୋଇ ନିର୍ବାଚନ ଲଢ଼ିବ। ମୋ ବିଶ୍ୱାସରେ ଏହା ଓଡ଼ିଶାର ଜନତାଙ୍କ ଷ୍ଟ୍ରଙ୍ଗ ରାୟ। ତେଣୁ ଏହି ବିଶ୍ୱାସରେ ଆମେ ଆଗକୁ ବଢ଼ିଲୁ।”  

ଏହାପରେ ନିର୍ବାଚନ ଜିତାଇବା ପାଇଁ ଓଡ଼ିଶାବାସୀଙ୍କୁ ବିନମ୍ର ଅନୁରୋଧ କରିଛନ୍ତି ଗୃହମନ୍ତ୍ରୀ। ସେ କହିଛନ୍ତି “ଆମେ ଓଡ଼ିଶାର ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ଯେ ମୋଦୀ ଜୀଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶର ବି ଆମକୁ ଦାୟିତ୍ୱ ଦିଅନ୍ତୁ। ଦେଶରେ ଯେଉଁଠି ମୋଦୀ ବିଜୟୀ ହୋଇଛନ୍ତି। ସେଠି ବିକାଶର ସ୍ପିଡ୍‌ ରାତାରାତି ବଢ଼ିଯାଇଛି। ଓଡ଼ିଶାରେ ବି ବଢ଼ିବ।”

ପଢ଼ନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୦ ପ୍ରତିଶତ ଭୋଟିଂ: ବିହାରରେ ସବୁଠାରୁ କମ୍, ଏହି ରାଜ୍ୟରେ ସବୁଠାରୁ ଅଧିକ

ଏହାପରେ ଇଣ୍ଡିଆ ଟୁଡେ ଉପସ୍ଥାପକ ପୁଣିଥରେ ପଚାରିଥିଲେ ଯେ ଓଡ଼ିଶା ଜନତା ପ୍ରକୃତରେ ଦ୍ୱନ୍ଦ୍ୱରେ ଅଛନ୍ତି। ବିଜେପି ଓ ବିଜେଡି ସତରେ ଲଢ଼ୁଛନ୍ତି ନାଁ ପଛରେ ଏମାନଙ୍କର କିଛି ଉଦ୍ଦେଶ୍ୟ ଅଛି।

ଏହାପରେ ଜବାବ ଦେଇ ଶାହ କହିଛନ୍ତି ଯେ ଏବେ ଏସବୁର ଦ୍ୱନ୍ଦ୍ୱ ନାହିଁ। କାରଣ ସାମ୍ନାସାମ୍ନି ନିର୍ବାଚନ ଲଢ଼ୁଛୁ। ଆମେ ନବୀନ ବାବୁଙ୍କ ସାମ୍ନାରେ ନିର୍ବାଚନ ଲଢ଼ୁଛୁ, ନବୀନ ବାବୁ ବି ଆମ ସାମ୍ନାରେ ନିର୍ବାଚନ ଲଢ଼ୁଛନ୍ତି। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଶାହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.