ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୬୦ ପ୍ରତିଶତ ଭୋଟିଂ: ବିହାରରେ ସବୁଠାରୁ କମ୍, ଏହି ରାଜ୍ୟରେ ସବୁଠାରୁ ଅଧିକ

Published By : Prameya-News7 Bureau | April 19, 2024 IST

indiatoday

ନୂଆଦିଲ୍ଲୀ: ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଲୋକସଭା ଆସନ ପାଇଁ ନିର୍ବାଚନ ସମ୍ପନ୍ନ ହୋଇଛି। ଭୋଟିଂ ବେଳେ ବିହାର ଓ ମଣିପୁର ଭଳି କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ତେବେ ଦୁଃଖର କଥା ହେଉଛି ୨୦୧୯ ନିର୍ବାଚନ ଠାରୁ ଏଥର ଭୋଟରଙ୍କ ସଂଖ୍ୟା ହ୍ରାସ ପାଇଛି।  

ପଶ୍ଚିମବଙ୍ଗ କୁଚ ବିହାର ଜିଲ୍ଲା ସିତାଲକୁଚିରେ ନିର୍ବାଚନ ହିଂସା ହୋଇଛି। ଏଥିପାଇଁ ଶାସକ ଦଳ ଟିଏମ୍‌ସି ବିଜେପି ଉପରେ ଦୋଷ ଲଦିଛି। ବିଜେପି କର୍ମୀମାନେ ଭୋଟରଙ୍କୁ ଧମକାଇବା ସହ ଟିଏମ୍‌ସି କର୍ମଚାରୀଙ୍କୁ ପିଟାମରା କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ସେହିପରି ମଣିପୁର ଥାମନପୋକ୍‌ପିରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ସେହିପରି ଇରୋଇସେମ୍ବାରେ ହିଂସାକାଣ୍ଡ ଘଟିଛି। ଏହା ସତ୍ତ୍ୱେ ବି ଏହା ଦୁଇ ରାଜ୍ୟରେ ସର୍ବାଧିକ ଭୋଟିଂ ହୋଇଛି। ମଣିପୁରରେ ୬୮.୬୨ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୭୭.୫୭ ପ୍ରତିଶତ ଭୋଟିଂ ହୋଇଛି।   

୩୯ ଲୋକସଭା ଆସନ ବିଶିଷ୍ଟ ତାମିଲନାଡୁରେ ଖବର ଲେଖାଯିବା ସୁଦ୍ଧା ଭୋଟିଂ ଜାରି ରହିଛି। ଏଥର ଦକ୍ଷିଣ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘନ ଘନ ରାଲି କରିଥିଲେ। ତେଣୁ ଏଥର ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଦଳ ଆଶା କରୁଛି। 

ସନ୍ଧ୍ୟା ୭ ସୁଦ୍ଧା ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ ୬୦.୦୩ ପ୍ରତିଶତ ଭୋଟିଂ ହୋଇଛି। ଯାହା ୨୦୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ(୬୯.୪୩) ତୁଳନାରେ କମ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୭୯.୯ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବା ବେଳେ ବିହାରରେ ସବୁଠାରୁ କମ୍‌ ୪୭.୪୯ ପ୍ରତିଶତ ଭୋଟିଂ ହୋଇଛି।

ପଢ଼ନ୍ତୁ-ମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍ରେସ ଓ ସିପିଆଇଏମ୍‌କୁ ଭୋଟ୍ ଦିଅ ନାହିଁ: ମମତା ବାନାର୍ଜୀ

ପ୍ରଥମ ପର୍ଯ୍ୟାୟରେ କଂଗ୍ରେସର ଭେଟେରାନ ପି. ଚିଦାମ୍ବରମ୍, ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍, କିମ୍ବଦନ୍ତୀ ଅଭିନେତା ରଜନୀକାନ୍ତ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଏବଂ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ.କେ ଷ୍ଟାଲିନ, ଯୋଗ ଗୁରୁ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସମେତ ବହୁ ବିଶିଷ୍ଟ ନେତା ତଥା ବ୍ୟକ୍ତିତ୍ୱ ଭୋଟ୍ ଦେଇଛନ୍ତି। ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ସମସ୍ତ ୩୯ ଆସନରେ ବିଜୟୀ ହେବ ବୋଲି ମେଣ୍ଟର ନେତା ଆଶା କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧), ପୁଡୁଚେରୀ (୧), ସିକ୍କିମ୍ (୧) ଏବଂ ଲାକ୍ଷାଦ୍ୱୀପ (୧)। ଏହା ବ୍ୟତୀତ ରାଜସ୍ଥାନରେ ୧୨ ଟି, ଉତ୍ତରପ୍ରଦେଶରେ ୮ଟି, ମଧ୍ୟପ୍ରଦେଶରେ ୬ ଟି, ଆସାମ ଏବଂ ମହାରାଷ୍ଟ୍ରରେ ୫ ଟି, ବିହାରରେ ୪, ପଶ୍ଚିମବଙ୍ଗରେ ୩, ମଣିପୁରରେ ୨ ଏବଂ ଜାମ୍ମୁ କାଶ୍ମୀର, ତ୍ରିପୁରା ଓ ଛତିଶଗଡ଼ରେ ଗୋଟିଏ ଲେଖାଏ ଆସନରେ ଭୋଟ୍ ହୋଇଛି।

୨୦୧୯ ନିର୍ବାଚନରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ଭୋଟିଂ ହୋଇଥିଲା। ଏଥିରେ ଏନ୍‌ଡିଏ ୪୧ ଆସନ ଓ ୟୁପିଏକୁ ୪୫ ଆସନ ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଇଲେକ୍ସନ କମିଶନ ୧.୮୭ ଲକ୍ଷ ପୋଲିଂ ଷ୍ଟେସନ୍‌ରେ ୧୮ ଲକ୍ଷ ପୋଲିଂ ଅଫିସର ମୁତୟନ କରିଥିଲେ। ଚଳିତ ଥର ସପ୍ତମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଜୁନ ୪ ତାରିଖରେ ଫଳାଫଳ ଘୋଷଣା ହେବ। ଜୁନ ୬ରେ ପୂରା ନିର୍ବାଚନ ପ୍ରକ୍ରିୟା ଶେଷ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.