କୋଭିଶିଲ୍ଡ ଟିକାର ସାଇଡ୍‌ ଇଫେକ୍ଟ ନେଇ ବିଶ୍ୱରେ ହଇଚଇ: କେତେ ସୁରକ୍ଷିତ ସ୍ୱଦେଶୀ ଟିକା କୋଭାକ୍ସିନ ?

Published By : Prameya-News7 Bureau | May 02, 2024 IST

indiatoday

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ନିର୍ମାତା ବ୍ରିଟେନ୍‌ କମ୍ପାନୀ ଆଷ୍ଟ୍ରାଜେନିକା ଟିକାର ପାର୍ଶ୍ୱପ୍ରତିକ୍ରିୟା ନେଇ କୋର୍ଟରେ ସ୍ୱୀକାର କରିବା ପରେ ସାରା ବିଶ୍ୱରେ  ହଇଚଇ ସୃଷ୍ଟି ହୋଇଛି। କାରଣ ଅକ୍ସଫୋର୍ଡ ୟୁନିଭର୍ସିଟି ମିଳିତ ପ୍ରୟାସର ଆଷ୍ଟ୍ରାଜେନିକାର ଟିକା କୋଭିଶିଲ୍ଡ ଓ ଭାକ୍ସଜେଭ୍ରିଆ ନାଁରେ ବିକ୍ରି ହୋଇଛି। ଭାରତରେ ମଧ୍ୟ ଏହାକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍ ସହ ମିଶି ତିଆରି କରାଯାଇଥିଲା। ଯେବେଠୁ କମ୍ପାନୀ ଟିକାର ସାଇଡ୍‌ ଇଫେକ୍ଟ ଦେଖାଦେଉଥିବା କୋର୍ଟରେ ସ୍ୱୀକାର କରିଛି ସେବେଠାରୁ ବିଶ୍ୱରେ ଏକାର ଆତଙ୍କ ଖେଳିଯାଇଛି।

ଏହାରି ଭିତରେ ଭାରତୀୟ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ କେତେ ସୁରକ୍ଷିତ ତାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।  ଆଷ୍ଟ୍ରାଜେନିକାର ସାଇଡ୍‌ ଇଫେକ୍ଟ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଥିବା ବେଳେ କୋଭାକ୍ସିନ ନିର୍ମାତା ସ୍ୱଦେଶୀ କମ୍ପାନୀ ଭାରତ ବାୟୋଟେକ ନିଜ ଟିକାକୁ ନେଇ ବଢ଼େଇ ଦେଖାଇଛି। କୋଭାକ୍ସିନ ସବୁଠାରୁ ସୁରକ୍ଷତି ଟିକା ବୋଲି ଏକ୍ସରେ ଏକ ପୋଷ୍ଟ କରି କହିଛି ଭାରତ ବାୟୋଟେକ୍‌। ଭ୍ୟାକ୍ସିନ ପ୍ରସ୍ତୁତ କଲା ବେଳେ ସର୍ବ ପ୍ରଥମେ ଲୋକଙ୍କ ସୁରକ୍ଷା ଓ ପରେ ଟିକାର ପ୍ରଭାବକୁ ଧ୍ୟାନ ଦିଆଯାଇଥିଲା ବୋଲି କମ୍ପାନୀ କହିଛି। 

ଏହାଛଡ଼ା ଭାରତ ସରକାରଙ୍କର ଟିକାକରଣ କାର୍ଯ୍ୟକ୍ରମରେ କୋଭାକ୍ସିନ ହେଉଛି ଏକମାତ୍ର କୋଭିଡ୍ ଟିକା ଯାହାର ପ୍ରଭାବ ନେଇ ଭାରତରେ ପରୀକ୍ଷଣ କରାଯାଇଥିଲା ବୋଲି କମ୍ପାନୀ ସୂଚନା ଦେଇଛି। ପ୍ରତିକ୍ରିୟାରେ କମ୍ପାନୀ କହିଛି “ଲାଇସେନ୍ସ ପାଇବା ପ୍ରୋସେସ୍‌ରେ କୋଭାକ୍ସିନକୁ ୨୭ ହଜାରରୁ ଅଧିକ ବିଷୟରେ ପରୀକ୍ଷା କରାଯାଇଥିଲା। କ୍ଲିନିକାଲ ଟ୍ରାଏଲ୍‌ରେ କିଛି ପ୍ରତିବନ୍ଧକତା ସହ ଏହାକୁ ଲାଇସେନ୍ସ ଦିଆଯାଇଥିଲା। ଯେଉଁଠାରେ ହଜାର ହଜାର ବିଷୟ ଉପରେ ସବିଶେଷ ସୁରକ୍ଷା ରିପୋର୍ଟ କରାଯାଇଥିଲା।”

ପଢ଼ନ୍ତୁ-ଆଷ୍ଟ୍ରାଜେନିକା କୋଭିଡ୍‌ ଭ୍ୟାକ୍ସିନ୍‌ରେ ସାଇଡ୍‌ ଇଫେକ୍ଟ: ପ୍ରଥମ ଥର ପାଇଁ କୋର୍ଟରେ ସତ ସ୍ୱୀକାର କଲା କମ୍ପାନୀ
ଭ୍ୟାକ୍ସିନ ସୁରକ୍ଷାର ମୂଲ୍ୟାଙ୍କନ ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଦ୍ୱାରା କରାଯାଇଥିଲା। ଏଥିସହିତ କୋଭାକ୍ସିନ ପ୍ରସ୍ତୁତିର ପ୍ରକ୍ରିୟାରେ ସବୁବେଳେ ସୁରକ୍ଷା ନେଇ ଯାଞ୍ଚ କରାଯାଇଥିଲା ବୋଲି କୋଭାକ୍ସିନ କହିଛି। ଗବେଷଣା ଓ ନିରନ୍ତର ଯାଞ୍ଚ ଏହା ଦର୍ଶାଉଛି ଯେ ଟିକା ସବୁଠାରୁ ସୁରକ୍ଷିତ। ଏବଂ ଭ୍ୟାକ୍ସିନ ନେବା ପରେ ରୋଗୀଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା, ଥ୍ରୋମ୍ବୋସାଇଟୋପେନିଆ, ପେରିକାର୍ଡାଇଟିସ୍  ଓ ମାୟୋକାର୍ଡାଇଟିସ୍ ଭଳି ରୋଗ ଦେଖାଯାଇ ନାହିଁ।    

କମ୍ପାନୀ ଆହୁରି କହିଛି ଯେ “ଅନୁଭବୀ ଇନୋଭେଟର୍ସ ଓ ପ୍ରଡକ୍ଟ ଡେଭଲପର ରୂପରେ ଭାରତ ବାୟୋଟେକ ଟିମ୍ ଭଲଭାବରେ ଜାଣିଛି ଯେ କୋଭିଡ-୧୯ ଟିକାର ପ୍ରଭାବ ଅଳ୍ପ ସମୟ ପାଇଁ ହୋଇପାରେ, କିନ୍ତୁ ରୋଗୀଙ୍କ ସୁରକ୍ଷା ସାରା ଜୀବନ ରହିବ। ଏଥିପାଇଁ ଆମର ସମସ୍ତ ଟିକା ପାଇଁ ସୁରକ୍ଷା ପ୍ରଥମ ଗୁରୁତ୍ୱ।”

ପଢ଼ନ୍ତୁ-କେତେ ଲୋକ ନେଇଛନ୍ତି କୋଭିସିଲ୍ଡ ଟିକା ? ଜାଣନ୍ତୁ କଣ କହୁଛି ରିପୋର୍ଟ...
ନିକଟରେ ବ୍ରିଟେନ୍ କମ୍ପାନୀ ଆଷ୍ଟ୍ରାଜେନିକା ପ୍ରଥମ ଥର ପାଇଁ କୋର୍ଟରେ ତା’ ଟିକାର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇପାରେ ବୋଲି ସ୍ୱୀକାର କରିଥିଲା। ଖୁବ୍‌ କମ୍‌ କ୍ଷେତ୍ରରେ ରକ୍ତ ଜମାଟ ବାନ୍ଧିବା, ଟିଟିଏସ୍‌ ଭଳି ରୋଗ ଦେଖାଇ ଦେଇପାରେ ବୋଲି କମ୍ପାନୀ କହିଥିଲା। ଜାମିଏ ସ୍କଟ୍ ନାମକ ଜଣେ ବ୍ୟକ୍ତି ୨୦୨୧ ଏପ୍ରିଲ ମାସରେ ଆଷ୍ଟ୍ରାଜେନିକା ଟିକା ନେବା ପରେ ତାଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିବା ଭଳି ଘଟଣା ଦେଖା ଦେଇଥିଲା। ଏହାପରେ ସ୍କଟ ଏହାକୁ ଟିକାର ସାଇଡ୍‌ ଇଫେକ୍ଟ ବୋଲି ଅଭିଯୋଗ କରି କୋର୍ଟରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନୀ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଦାଖଲ ହୋଇଥିଲା। ନିକଟରେ ଆଷ୍ଟ୍ରାଜେନିକା ଏହାର ସାଇଡ୍‌ ଇଫେକ୍ଟ ନେଇ ସ୍ୱୀକାର କରିଛି। ତେବେ ମୃତ୍ୟୁ କାରଣକୁ ଯଦି କମ୍ପାନୀ ସ୍ୱୀକାର କରେ ତେବେ ତାକୁ କ୍ଷତିପୂରଣ ଦେବାକୁ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.