LIVE TV
LIVE TV

ବିବାହ ବେଦି ଉପରେ ମଣ୍ଡପ କର୍ତ୍ତୃପକ୍ଷଙ୍କ ଧମକ, ବାହାଘର ଅଧାରୁ ବରକନ୍ୟାଙ୍କୁ ତଡ଼ିଦେଲେ

NEWS7
elder-man-dies-of-wall-collapse-in-balasore

ଭୁବନେଶ୍ୱର: ବିବାହ ବେଦି ଉପରେ ମଣ୍ଡପ କର୍ତ୍ତୃପକ୍ଷଙ୍କ ଧମକ। ବେଦୀ ପାଇଁ ଟାଇମ୍ ରିଜର୍ଭ। ଏତିକିରେ ବନ୍ଦ କର ବାହାଘର, ନହେଲେ ସବୁ ଫିଙ୍ଗିଦେବୁ। ବାଧ୍ୟ ହୋଇ ଅଧାମନ୍ତ୍ର ପଢାରେ ବାହାଘର ଶେଷ କଲେ ବର-କନ୍ୟା ପକ୍ଷ। ଭରତପୁର ଥାନା ଅଧୀନ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଭୁବନେଶ୍ୱର କ୍ଲବ ଆନେକ୍ଟରୁ ଏଭଳି ରୋଚକ ଚିତ୍ର ସାମ୍ନାକୁ ଆସିଛି। ବିବାହ ମଣ୍ଡପଟି ହେଉଛି ଭୁବନେଶ୍ୱର କ୍ଲବର। ଏଓଏସ୍ ଭିଲେଜ କଡ଼ରେ ଏହି କ୍ଲବର ଏକ ବିଶାଳକାୟ ଓ ଆଲିସାନ ବିଲ୍ଡିଂ ରହିଛି। ଉକ୍ତ ବିଲ୍ଡିରେ ୨ଟି ପ୍ରଶସ୍ତ ଲନ୍ ସହ ଗୋଟିଏ ବିରାଟ ହଲ୍ ଅଛି। ସହରର ଏହି ନାମୀ କ୍ଲବରେ ଜଣେ କର୍ପୋରେଟ ସଦସ୍ୟଙ୍କ କନ୍ୟା ବାହାଘର ବେଳେ ଏଭଳି ହାଇଡ୍ରାମା ଘଟିଛି।

କର୍ପୋରେଟ୍ ସଦସ୍ୟଜଣକ ଜଣେ ଧନୀକ ଶ୍ରେଣୀୟ ବ୍ୟକ୍ତି । ସେ ତାଙ୍କ ଝିଅର ବାହାଘର ପାଇଁ ୨ ମାସ ପୂର୍ବରୁ ବିବାହ ମଣ୍ଡପ ବୁକିଂ କରିଥିଲେ। ଏହି ବାବଦକୁ ୪ ଲକ୍ଷ ଟଙ୍କା ମଧ୍ୟ ପୈଠ କରିଥିଲେ। ଝିଅ ବାହାଘର ପାଇଁ ଉକ୍ତ ମଣ୍ଡପର ସାଜସଜ୍ଜାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ବେଶ୍ ଧୂମଧାମ୍ରେ ବିବାହ ଉତ୍ସବ ଆରମ୍ଭ ହେଲା । ସନ୍ଧ୍ୟା ୫ଟା ବେଳକୁ ବରଯାତ୍ରୀ ମଣ୍ଡପରେ ପହଞ୍ଚିଲେ । କନ୍ୟା ଘର ଲୋକ ବରଙ୍କୁ ପାଛୋଟି ନେଲେ । ସନ୍ଧ୍ୟା ୬ଟା ବେଳେ ମଣ୍ଡପ କର୍ତ୍ତୃପକ୍ଷଙ୍କ ଏଭଳି ହଙ୍ଗମା ଆରମ୍ଭ ହୋଇଥିଲା। ଆଉ ବିବାହ ଅଧାରୁ ବର-କନ୍ୟାଙ୍କୁ ତଡ଼ିଦେଲେ।

ଅଭିଯୋଗ ଅନୁସାରେ ଉକ୍ତ ଭୁବନେଶ୍ଵର କ୍ଳବ ଆନେକ୍ସଟି କେବଳ କ୍ଲବ ସଦସ୍ୟଙ୍କ ବ୍ୟକ୍ତିଗତ ଉତ୍ସବ ପାଇଁ ଉଦ୍ଦିଷ୍ଟ। କ୍ଲବର ପୂର୍ବ ପରିଚାଳନା କମିଟି ଥିବା ବେଳେ ସମ୍ବଲପୁର ଅଞ୍ଚଳର ଜଣେ ଠିକାଦାରଙ୍କୁ ପରିଚାଳନା ଦାୟିତ୍ଵ ଦିଆଯାଇଥିଲା। ଠିକାଦାର ଜଣକ କ୍ଲବର ସର୍ତ୍ତାବଳୀକୁ ଦଳିମକଚି ଦେଇଛନ୍ତି। ସେ ବେପାର ଲୋଭରେ ସେଠାରେ ବାହାର ଲୋକମାନଙ୍କ ବାହାଘର, ବ୍ରତଘର କରାଉଛନ୍ତି। କ୍ଲବ ସଦସ୍ୟମାନେ ନିଜ ଉତ୍ସବ ବେଳେ ହଇରାଣ ହେଉଛନ୍ତି । ଯେହେତୁ, ଠିକାଦାରଙ୍କ ଟେଣ୍ଡର ଅବଧି ସରିନାହିଁ, ନବ ନିର୍ବାଚିତ କମିଟି କର୍ତ୍ତୃପକ୍ଷ ଲୋଭାଗ୍ରସ୍ତ ଠିକାଦାରଙ୍କ ବିରୋଧରେ କିଛି ପଦକ୍ଷେପ ନେଇପାରୁ ନାହାନ୍ତି।