ଅମିଷା ପଟେଲଙ୍କ ବିରୋଧରେ NBW, ସ୍ପଷ୍ଟୀକରଣ ରଖିଲେ ଅଭିନେତ୍ରୀ

NEWS7
doli-business-personnel-not-participate-in-bali-yatra-in-cuttack

ମୁମ୍ବାଇ: ଅନେକ ବଲିଉଡ୍ କଳାକାର ବର୍ତ୍ତମାନ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜପାଲ ଯାଦବଙ୍କ ପରେ, ଗଦର ଅଭିନେତ୍ରୀ ଅମିଷା ପଟେଲ ଏବେ ସମସ୍ୟାର ପଡ଼ିଛନ୍ତି। ମୋରାଦାବାଦର ACJM-5 କୋର୍ଟ ଦ୍ୱାରା ଅଭିନେତ୍ରୀଙ୍କ ବିରୋଧରେ ଏକ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି। ନିର୍ଦ୍ଧାରିତ ଶୁଣାଣି ସମୟରେ ତାଙ୍କର ଅନୁପସ୍ଥିତି ଯୋଗୁଁ ଏହି ନିର୍ଦ୍ଦେଶ ଦିଆଯାଇଛି। ACJM-5 କୋର୍ଟ ଅମିଷା ପଟେଲଙ୍କୁ ମାର୍ଚ୍ଚ ୨୭ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଟେଲ ସୋସିଆଲ ମିଡିଆରେ ଏହି ମାମଲା ସମ୍ପର୍କରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି।

ଜାମିନ ବିହୀନ ୱାରେଣ୍ଟ ମାମଲା ଉପରେ ନିଜର ନୀରବତା ଭାଙ୍ଗି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘ମିଡିଆ ରିପୋର୍ଟରୁ ଜଣାପଡୁଛି ଯେ ମୁରାଦାବାଦରେ ପବନ ବର୍ମା ନାମକ ଜଣେ ବ୍ୟକ୍ତିଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ଏହା ଏକ ବହୁତ ପୁରୁଣା ମାମଲା, ବହୁ ବର୍ଷ ପୁରୁଣା। ପବନ ବର୍ମା ଏହି ମାମଲାରେ ଏକ ସ୍ୱାକ୍ଷର କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇଛନ୍ତି।’

ଅଭିନେତ୍ରୀ ଆହୁରି କହିଛନ୍ତି, ‘ଏହା ସତ୍ତ୍ୱେ, ମିଥ୍ୟା ଅଭିଯୋଗକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମୋ ଓକିଲ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଠକେଇ ନେଇ ଏକ ମାମଲା କରିବାକୁ ଯାଉଛନ୍ତି । ମୁଁ ମୋ କାମ ଉପରେ ଧ୍ୟାନ ଦେଉଛି । ମିଥ୍ୟା କଥା ପ୍ରଚାର କରୁଥିବା ଲୋକଙ୍କୁ ଅଣଦେଖା କରିବାକୁ ମୁଁ ପସନ୍ଦ କରେ।’

ଅମିଷା ପଟେଲଙ୍କ ସହିତ ଜଡିତ ଏହି ମାମଲା ପ୍ରାୟ ୧୦ ବର୍ଷ ପୁରୁଣା । ସହରର ଏକ ଇଭେଣ୍ଟ କମ୍ପାନୀ ଦ୍ୱାରା ତାଙ୍କ ବିରୋଧରେ ଏହି ମାମଲା ମୁରାଦାବାଦ କୋର୍ଟରେ ଦାୟର କରାଯାଇଥିଲା। ଅଭିଯୋଗରେ କୁହାଯାଇଛି ଯେ, ୨୦୧୭ ମସିହାରେ ଅମିଷା ପଟେଲ ମୁରାଦାବାଦରେ ଏକ ବିବାହ କାର୍ଯ୍ୟକ୍ରମରେ ଶୋ’ କରିବା ପାଇଁ ଇଭେଣ୍ଟ କମ୍ପାନୀଠାରୁ ପ୍ରାୟ ୧୧ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ, ଫିସ୍ ପାଇବା ସତ୍ତ୍ୱେ ଅଭିନେତ୍ରୀ ଶୋ’ କରି ନଥିଲେ । ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ।