Raghav Chadha: କ’ଣ ଏହି ରାଇଟ ଟୁ ରି-କଲ୍ ବ୍ୟବସ୍ଥା? ସଂସଦରେ ରାଘବ ଚଢାଙ୍କ ଏହି ପ୍ରସ୍ତାବ ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ

NEWS7
dil-bechara-actress-sanjana-sanghi-hinted-to-leave-mumbai-forever

ନୂଆଦିଲ୍ଲୀ: ସବୁବେଳେ ଜନତାଙ୍କ ପ୍ରସଙ୍ଗ ଓ ତାର୍କିକ ବିଚାର ରଖି ଚର୍ଚ୍ଚାରେ ରହୁଥିବା ଆମ ଆଦ୍ମୀ ପାର୍ଟି ନେତା ରାଘବ ଚଢା, ଏଥର ବି ସଂସଦରେ ଏମିତି ଏକ ପ୍ରସଙ୍ଗ ଉଠାଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ପ୍ରସ୍ତାବକୁ କିଛି ନେତା ଗଣତନ୍ତ୍ର ପାଇଁ ବିପଦ ବୋଲି କହୁଥିବା ବେଳେ ଆଉ କିଛି କଥାରେ ଦମ୍ ଅଛି ବୋଲି କହିଛନ୍ତି। ସଂସଦରେ ଶୂନ୍ୟକାଳରେ ନିଜର ବକ୍ତବ୍ୟ ରଖି ରାଘବ ଚଢା କହିଛନ୍ତି ଯେ ଯେଉଁ ସାଂସଦମାନେ କାର୍ଯ୍ୟ କରିବାରେ ବିଫଳ ହେବେ, ସେମାନଙ୍କୁ ପଦରୁ ହଟାଇବାକୁ ଭୋଟରଙ୍କୁ ଆଇନଗତ ଅଧିକାର ଦିଆଯାଉ। ଏହି ପ୍ରସ୍ତାବ ଉପରେ ଶ୍ରୀ ଚଢା ତର୍କ ବି ଦେଇଛନ୍ତି।

ଶୂନ୍ୟ କାଳରେ ଭାଷଣ ଦେଇ ଚଢା ଯୁକ୍ତି ଦେଇଥିଲେ ଯେ ପ୍ରତି ପାଞ୍ଚ ବର୍ଷରେ ଥରେ ଭୋଟ ଦେଇ ଗଣତନ୍ତ୍ର ଶେଷ କରିଦେବା ଉଚିତ୍ ନୁହେଁ। ବରଂ, ନିଜର ସାଂସଦ ଓ ବିଧାୟକ କାର୍ଯ୍ୟ କରିବାରେ ବିଫଳ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନଙ୍କ ପାଖରେ କ୍ଷମତା ରହିବା ଉଚିତ୍। ଚଢାଙ୍କର ‘ରାଇଟ୍ ଟୁ ରି-କଲ’ ପ୍ରସ୍ତାବ ସଂସଦରେ ଉଭୟ ବିରୋଧ ଓ ଆଗ୍ରହ ସୃଷ୍ଟି କରିଥିଲା। କଂଗ୍ରେସ ନେତା ପ୍ରମୋଦ ତିୱାରୀ ଏହାକୁ "ଗଣତନ୍ତ୍ର ପାଇଁ ବିପଜ୍ଜନକ" ବୋଲି କହିଥିଲେ।

ଚଢା ପ୍ରକୃତରେ କ'ଣ ପରାମର୍ଶ ଦେଇଥିଲେ ଏବଂ ଏହାକୁ ନେଇ କାହିଁକି ବିତର୍କ ଆରମ୍ଭ କରିଛି ଆସନ୍ତୁ ବୁଝିବା?

ରାଇଟ୍ ଟୁ ରିକଲ ପ୍ରସ୍ତାବ କ?

ଚଢା କହିଛନ୍ତି ଯେ ଭାରତୀୟମାନଙ୍କୁ ସେମାନଙ୍କର ପ୍ରତିନିଧି ବାଛିବାର ସାମ୍ବିଧାନିକ ଅଧିକାର ଅଛି, ହେଲେ ପ୍ରତିନିଧି କାମ କରିବାରେ ବିଫଳ ହେଲେ କିମ୍ବା ଖରାପ ବ୍ୟବହାର କେଲେ ତାଙ୍କୁ ମଝିରୁ ହଟାଇବାକୁ କୌଣସି ସିଧା ବ୍ୟବସ୍ଥା ନାହିଁ। ହେଲେ ଏହି ରାଇଟ୍ ଟୁ ରି-କଲ ବ୍ୟବସ୍ଥାରେ ଭୋଟର ମାନେ ନିଜର ସାଂସଦ କିମ୍ବା ବିଧାୟକ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେମାନଙ୍କୁ ଡି-ଇଲେକ୍ଟ(ପଦବୀରୁ ହଟାଇବା) କରିବା ପାଇଁ ଏକ ଔପଚାରିକ ଓ ଆଇନଗତ ପ୍ରକ୍ରିୟା ଆରମ୍ଭ କରିପାରିବେ।

ସେ ତର୍କ ଦେଇଥିଲେ ଯେ ଏଭଳି ଉତ୍ତରଦାୟିତ୍ୱ ବ୍ୟବସ୍ଥା ପୂର୍ବରୁ ହିଁ ଭାରତରେ ରହିଛି। ଉଦାହରଣ ଦେଇ କହିଥିଲେ “ଆମେ ରାଷ୍ଟ୍ରପତି ଏବଂ ବିଚାରପତିମାନଙ୍କ ବିରୁଦ୍ଧରେ ମହାଭିଯୋଗ କରିପାରିବା। ସରକାରଗୁଡ଼ିକ ମଧ୍ୟ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୁଅନ୍ତି। କିନ୍ତୁ ଜଣେ ଦୁର୍ବଳ କାର୍ଯ୍ୟକ୍ଷମ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ନାଗରିକମାନଙ୍କର କୌଣସି କ୍ଷମତା ନାହିଁ।” ବ୍ୟବସ୍ଥାକୁ କଟାକ୍ଷ କରି ଚଢା କହିଥିଲେ ଯେ ପାଞ୍ଚ ବର୍ଷ ଏକ ଦୀର୍ଘ କାର୍ଯ୍ୟକାଳ ଯାହାର କୌଣସି ପରିଣାମ ନାହିଁ। ଅନ୍ୟ କୌଣସି ବୃତ୍ତିରେ ପାଞ୍ଚ ବର୍ଷ ପାଇଁ ବିନା ଯାଞ୍ଚରେ କାହାକୁ ଏଭଳି ଖରାପ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ। ହେଲେ ଗଣତନ୍ତ୍ରରେ ଏଭଳି ବ୍ୟବସ୍ଥା ରହିଛି।

ଚଢ଼ା କହିଥିଲେ “କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ପାଇଁ ପାଞ୍ଚ ବର୍ଷ ଏକ ଲମ୍ବା ଅବଧି। ଏପରି କୌଣସି ଚାକିରି ନାହିଁ ଯେଉଁଠାରେ ଆପଣ ଲଗାତାର ବିଫଳ ହୁଅନ୍ତି ଏବଂ ତଥାପି ଆପଣଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୁଏ ନାହିଁ।” ଚଢ଼ାଙ୍କ ଅନୁସାରେ, କାର୍ଯ୍ୟକାଳ ମଝିରେ କୌଣସି ଉତ୍ତରଦାୟିତ୍ୱ ନଥିବାରୁ ଗଣତାନ୍ତ୍ରିକ ତଦାରଖ ଦୁର୍ବଳ ହୋଇଥାଏ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ କାର୍ଯ୍ୟ କରିବାର କମ ଥାଏ।

ରାଇଟ୍ ଟୁ ରିକଲ ପ୍ରସ୍ତାବ କିପରି କାମ କରିବ?

ସଂସଦରେ ଭାଷମ ଦେଉଥିବା ବେଳେ ଶ୍ରୀ ଚଢା ଗଣତନ୍ତ୍ରର ଅପବ୍ୟବହାର କିମ୍ବା ରାଜନୈତିକ ଅସ୍ଥିରତାକୁ ରୋକିବା ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥାର ପରାମର୍ଶ ଦେଇଥିଲେ। ସେ ଯେଉଁ ଢାଞ୍ଚା ବତାଇଥିଲେ ସେଥିରେ ଥିଲା...

• ରି-କଲ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅତି କମ୍ରେ ୩୦-୪୦% ପଞ୍ଜୀକୃତ ଭୋଟରଙ୍କ ଦସ୍ତଖତ ଥିବା ଏକ ସର୍ବନିମ୍ନ ଆବେଦନ ରହିବ ଦରକାର।
• କୌଣସି ରି-କଲର ପ୍ରକ୍ରିୟା ଆରମ୍ଭ ପୂର୍ବରୁ ନିର୍ବାଚନ ପରେ ୧୮ ମାସର ଏକ କୁଲିଂ-ଅଫ୍ ଅବଧି ରହିବ।
• ପ୍ରମାଣିତ ଦୁଷ୍କର୍ମ, ଦୁର୍ନୀତି, ଠକେଇ କିମ୍ବା କର୍ତ୍ତବ୍ୟରେ ଗୁରୁତର ଅବହେଳା ପର୍ଯ୍ୟନ୍ତ ସୀମିତ କାରଣ ରଖାଯିବ।
• ଯଦି ୫୦% ରୁ ଅଧିକ ଭୋଟର ଏକ ଫର୍ମାଲ୍ ଭୋଟରେ ପ୍ରତିନିଧିକୁ ପ୍ରତ୍ୟାହାର କରିବା ସମର୍ଥନ ଦିଅନ୍ତି ତେବେ ଯାଇ ପ୍ରତିନିଧିଙ୍କୁ ହଟାଯାଇପାରିବ।

ସେ କହିଥିଲେ ଯେ ଏହି ଯାଞ୍ଚ ଦ୍ୱାରା ଏହା ସୁନିଶ୍ଚିତ ହେବ ଯେ ବ୍ୟବସ୍ଥାର ଉପଯୋଗ ରୁଟିନ ପଲିଟିକାଲ ଶତ୍ରୁତା ପାଇଁ ବ୍ୟବହାର କରାଯିବ ନାହିଁ।

ବିଶ୍ୱରେ କିଛି ବ୍ୟବସ୍ଥାର ଉଦାହରଣ ଦେଇଥିଲେ ଚଢା

ତାଙ୍କ ଯୁକ୍ତିଙ୍କୁ ସଠିକ୍ ଦର୍ଶାଇବା ପାଇଁ ଚଢା ଗୃହରେ ୨୦ରୁ ଅଧିକ ଗଣତାନ୍ତ୍ରୀକ ରାଷ୍ଟ୍ରର ଉଦାହରଣ ଦେଇଥିଲେ। ଏବଂ କହିଥିଲେ ଯେ ଏମାନଙ୍କ ପାଖରେ ବି ରି-କଲ ମେକାନିଜମ୍ ରହିଛି। ଉଦାହରଣରେ ଚଢା ଆମେରିକା ଏବଂ ସ୍ୱିଜରଲ୍ୟାଣ୍ଡର ଉଦାହରଣ ଦେଇଥିଲେ। ଏହି ଦେଶଗୁଡ଼ିକ ନିର୍ଦ୍ଧାରିତ ବ୍ୟବସ୍ଥା ମାଧ୍ୟମରେ ସରକାରଙ୍କ ବିଭିନ୍ନ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ବହିଷ୍କାର କରିବାକୁ ଭୋଟରମାନଙ୍କୁ ଅନୁମତି ଦେଇଥାନ୍ତି। ତେଣୁ ଭାରତ ବି ଏହାର ଗଣତନ୍ତ୍ରକୁ ସୁହାଇଲା ଭଳି ଏକ ସମାନ ମଡେଲ୍ ଆପଣବାଇ ଦରକାର ବୋଲି ଚଢା କହିଥିଲେ।

ଚଢାଙ୍କ ଭାଷଣ ପରେ ଗୃହରେରାଜନୈତିକ ପ୍ରତିରୋଧ

ଚଢାଙ୍କର ଏହି ପ୍ରସ୍ତାବକୁ ଅନେକ ନେତା ସମର୍ଥନ କରିଥିବା ବେଳେ ଅନେକ ଏହାକୁ ବିରୋଧ କରିଥିଲେ। କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ଏହି ପ୍ରସ୍ତାବର କଡ଼ା ବିରୋଧ କରିଥିଲେ। ଏବଂ ଏହା ବିପଦପୂର୍ଣ୍ଣ ଏବଂ ସରକାର ଅସ୍ଥିରକାରୀ ବୋଲି କହିଥିଲେ। ସେ କହିଥିଲେ “ମୁଁ ଏହି ବିପଦପୂର୍ଣ୍ଣ ପ୍ରସ୍ତାବ ସହିତ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। ଏଗୁଡ଼ିକ ବହୁତ ବିପଦପୂର୍ଣ୍ଣ ଚିନ୍ତାଧାରା ଏବଂ ଗଣତନ୍ତ୍ର ବିରୋଧୀ।” ଏବଂ ତାଙ୍କର ଏହି ଆପତ୍ତିକୁ ଆନୁଷ୍ଠାନିକ ଭାବେ ରେକର୍ଡ କରିବାକୁ ସେ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ବାରମ୍ବାର ପ୍ରତିନିଧି ପ୍ରତ୍ୟାହାର ପ୍ରୟାସ ରାଜନୈତିକ ବିଶୃଙ୍ଖଳା ଏବଂ ନିରନ୍ତର ନିର୍ବାଚନ ମୋଡ୍ ସୃଷ୍ଟି କରିପାରେ ବୋଲି ଗୃହରେ ମତ ପ୍ରକାଶ ପାଇଥିଲା।

ଏନେଇ ଆପଣଙ୍କର ମତ କଣ କମେଣ୍ଟ କରି ନିଶ୍ଚୟ ଜଣାଇବେ।