ମଝି ଆକାଶରେ ୨ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁ ମଞ୍ଚେଷ୍ଟର ଯାଉଥିବା ବିମାନର ଜରୁରି ଲ୍ୟାଣ୍ଡିଂ

NEWS7
corona-death-in-odisha

ବ୍ରସେଲସ୍ ୧୪।୨: ତୁର୍କିରୁ ବ୍ରିଟେନ ଯାଉଥିବା ଫ୍ଲାଇଟ୍ ୩୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବେଳେ ଦୁଇ ବ୍ରିଟିଶ ଯାତ୍ରୀଙ୍କ ଝଗଡ଼ା ବିମାନରେ ଆତାଙ୍କ ଖେଳାଇ ଦେଇଥିଲା। ଏଣୁ ପାଇଲଟ ମାର୍ଗ ବଦଳାଇ ବିମାନକୁ ବ୍ରସେଲସରେ ଅବତରଣ କରାଇଛନ୍ତି। ଏହି ଘଟଣା ଆଣ୍ଟାଲ୍ୟାରୁ ମଞ୍ଚେଷ୍ଟର ଯାଉଥିବା ‘ଜେଟ୍-୨’ର ଫ୍ଲାଇଟ୍ ସଂଖ୍ୟା ଏଲଏସ୍ ୮୯୬ରେ ଘଟିଛି। ବିମାନ ଜରୁରି ଅବତରଣ କରିବାମାତ୍ରେ ପୋଲିସ ଝଗଡାର ୨ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିଛି। ଜେଟ୍-୨ ପୁଷ୍ଟି କରିଛି ଯେ ୨ ଯାତ୍ରୀଙ୍କ ଅଭଦ୍ର ଆଚରଣ ଯୋଗୁ ସେମାନଙ୍କ ଆଜୀବନ ବିମାନ ଯାତ୍ରା ଉପରେ କଟକଣା ଲଗାଇ ଦିଆଯାଇଛି।

ଭିଡିଓ ଫୁଟେଜରେ ଉଚ୍ଚସ୍ୱରରେ ଗୀତ ବଜାଇବା ଯୋଗୁ ଦୁଇ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡିଛି। ଏଥିରେ ଜଣେ ଯାତ୍ରୀ ଅନ୍ୟ ଜଣକର ଫୋନ ଛଡେଇବାକୁ ଚେଷ୍ଟା କରୁଥିବାର ଦେଖା ଯାଇଛି। ବିମାନ ୩୦,୦୦୦ ଫୁଟ ଉଚ୍ଚରେ ଉଡୁଥିବା ବେଳେ ଏହି ଘଟଣା ଘଟିଥିଲା ଓ ଉଡନ୍ତା ବିମାନରେ ଦେଖୁ ଦେଖୁ ଝଗଡ଼ା ବଢି ଯାଇଥିଲା ଓ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁଇ ଯାତ୍ରୀ ଅତ୍ୟଧିକ ମଦ୍ୟପାନ କରିଥିଲେ ଓ ପରସ୍ପର ଉପରେ ବର୍ଣ୍ଣ ବିଦ୍ୱେଷ ଟିପ୍ପଣୀ କରୁଥିଲେ। ଏହା ପରେ ସେମାନେ ସିଗାରେଟକୁ ନେଇ ଚାଳକ ଦଳ ସଦସ୍ୟଙ୍କ ଉପରେ ଆକ୍ରମକ ହୋଇଉଠିଥିଲେ।

ବ୍ରସେଲସେ ପୋଲିସ ୨ ଯାତ୍ରୀଙ୍କୁ ଅଟକ ରଖିଛନ୍ତି। ଖବର ଅନୁସାରେ ପାଇଲଟ ଯାତ୍ରୀଙ୍କୁ କହିଛନ୍ତି ଯେ ତାଙ୍କର ୩୦ ବର୍ଷର ଉଡାଣ ଅନୁଭବରେ ସେ ମାତ୍ର କିଛି ଜରୁରିକାଳୀନ ଲ୍ୟାଣ୍ଡିଂର ସମ୍ମୁଖୀନ ହୋଇଛନ୍ତି। ତେବେ ସେ କେବେ ଏପରି ପରିସ୍ଥିତି ପାଇଁ ବିମାନର ଜରୁରି ଅବତରଣ କରାଇ ନଥିବା କହିଛନ୍ତି। ସମ୍ପୂର୍ଣ୍ଣ ଘଟଣାରେ ବିମାନ ଯାତ୍ରୀ ଜେଟ୍-୨ର କର୍ମଚାରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ଓ ବିମାନ ବ୍ରସେଲସରେ ଅବତରଣ କରିବା ପରେ ପୁଣି ମଞ୍ଚେଷ୍ଟର ଅଭିମୁଖେ ଉଡାଣ କରିଛି। ଏଥି ପାଇଁ ବିମାନ ସାମାନ୍ୟ ବିଳମ୍ବରେ ଗନ୍ତବ୍ୟରେ ପହଞ୍ଚିଛି।

ଏହାବି ପଢନ୍ତୁ:-କାରବିୟନ ସାଗରରେ ଧକ୍କା ଲାଗିଲେ ଆମେରିକୀୟ ନୌସେନା ଜାହାଜ, ଅଳ୍ପକେ ଟଳିଲା ଦୁର୍ଘଟଣା