ବାଲିଯାତ୍ରା ୨୦୨୫
LIVE TV

ଏସଆଇରକୁ ନେଇ ନିର୍ବାଚନ କମିଶନ ଓ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ

NEWS7
central-excise-asst-comm-suicide-case-in-bhubaneswar

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇ)କୁ ନେଇ ସୋମବାର ନିର୍ବାଚନ କମିଶନଙ୍କ ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସଆଇର ଅର୍ଥ ଭୋଟବନ୍ଦୀ ବୋଲି କହିବା ସହ ଏହାକୁ ଯଥାଶୀଘ୍ର ବନ୍ଦ କରିବାକୁ ସେ ଦାବି କରିଛନ୍ତି । ନିର୍ବାଚନ ପୂର୍ବରୁ ଲାଗୁ ହୋଇଥିବା ଏସଆଇଆର ପ୍ରକ୍ରିୟାକୁ ସମାଲୋଚନା କରି ଏହାକୁ ନୋଟବନ୍ଦୀ (ବିମୂଦ୍ରୀକରଣ) ସହ ତୁଳନା କରିଛନ୍ତି ମମତା । ସେ ଏହାକୁ ଭୋଟବନ୍ଦୀର ଆଖ୍ୟା ଦେଇଛନ୍ତି । 

ସିଲିଗୁଡ଼ିରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିଏମସି ସୁପ୍ରିମୋ କହିଛନ୍ତି, ‘ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଏସଆଇଆର ନାଁରେ ଲୋକଙ୍କୁ ଅପମାନିତ କରୁଛନ୍ତି ।  ବିମୂଦ୍ରୀକରଣ ଯେମିତି ନୋଟବନ୍ଦୀ, ଠିକ ସେମିତି ଏସଆଇଆର ହେଉଛି ଭୋଟବନ୍ଦୀ । ଏହା ଜରୁରୀ ସ୍ଥିତିର ଏକ ନୂଆ ରୂପ ।’ ସେହଭଳି ଏସଆଇଆର ଲାଗୁ ହେବାର ସମୟକୁ ନେଇ ମମତା ପ୍ରଶ୍ନ କରିଥିବା ବେଳେ ଆଗାମୀ ୨-୩ ମାସରେ ନିର୍ବାଚନ କମିଶନ ଏହି ପ୍ରକ୍ରିୟା ଶେଷ କରିପାରିବେ ନାହିଁ ବୋଲି କହିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି, ଯଦି ଏସଆଇଆରକୁ ବିରୋଧ କରିବାକୁ ନେଇ ବିଜେପି ମୋତେ ଜେଲ ପଠାଇଦିଏ, ତେବେ ମୁଁ ଭୟ କରିବି ନାହିଁ । ଏଥିପାଇ ଯଦି ମୋ ବେକ କାଟିଦିଅନ୍ତି ତଥାପି ମୁଁ ଏସଆଇର ବିରୋଧରେ କହିବି । କିନ୍ତୁ ଲୋକଙ୍କ ଭୋଟ ଦେବାର ଅଧିକାରକୁ କୌଣସି ପରିସ୍ଥିତିରେ ସାଲିସ କରାଯାଇପାରିବ ନାହିଁ । 
 
ଅନ୍ୟପଟେ ଦ୍ରବ୍ୟ ଏବଂ ସେବା କର (ଜିଏସଟି)କୁ ବିରୋଧ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ଏହା ବିରାଟ ଭୁଲ୍‌, ଏହାକୁ ପ୍ରତ୍ୟାହାର କରିନେବା ଉଚିତ । ଜିଏସଟି ନାଁରେ ଲୋକଙ୍କୁ କେନ୍ଦ୍ର ସରକାର ଲୁଟୁଛନ୍ତି ବୋଲି ମଧ୍ୟ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।