ସୁପ୍ରିମ ଲିଡରଙ୍କୁ ମିଳେନି ଶାନ୍ତିର ମୃତ୍ୟୁ; ଇରାନର ଅଭିଶପ୍ତ ଇତିହାସ, ପ୍ରାୟ ଅଢ଼େଇ ଶହ ବର୍ଷ ଧରି ପ୍ରମାଣିତ

NEWS7
bus-turns-over-divider-in-uttar-pradesh-17-died

ନୂଆଦିଲ୍ଲୀ : ଇରାନରେ ଜୋରଦାର ବିରୋଧ ପ୍ରଦର୍ଶନ। । ମୃତ୍ୟୁର ଦଣ୍ଡ ଭୋଗିବାକୁ ଆନ୍ଦୋଳନକାରୀ ବି ପ୍ରସ୍ତୁତ। ଲକ୍ଷ୍ୟ ଗୋଟିଏ- ସୁପ୍ରିମ ଲିଡରଙ୍କୁ ହଟାଅ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମିନେଇଙ୍କ ବିରୋଧରେ ତେଜିଛି ଆନ୍ଦୋଳନ। ରିଭୋଲ୍ୟୁସନାରୀ ଗାର୍ଡର ଆକ୍ସନ ସତ୍ୱେ ପଛକୁ ହଟୁନାହାନ୍ତି ଆନ୍ଦୋଳନକାରୀ। ସେପଟେ ଧମକ ଦେଇଛନ୍ତି ଟ୍ରମ୍ପ। କହିଛନ୍ତି- ନୂଆ ନେତୃତ୍ୱ ପାଇଁ ଆସିଛି ସମୟ। ଇରାନର ସର୍ବୋଚ୍ଚ ନେତା ଖାମେନି ଚାଲିଯାଆନ୍ତୁ। ଲାଗୁଛି ଯେମିତି- ସରିଆସୁଛି ଖାମେନିଙ୍କ ଯୁଗ। ଏହି ବିଦ୍ରୋହ ମନେପକାଇ ଦେଇଛି ୨୨୯ ବର୍ଷ ତଳର ଇତିହାସର କଥା। କାଜାର ରାଜବଂଶର ଆଗା ମହମ୍ମଦ ଶାହଙ୍କଠୁ ନେଇ ଅହମଦ ଶାହ। ପହଲଭି ରାଜବଂଶର ରେଜା ଶାହାଠୁ ନେଇ ମହମ୍ମଦ ଶାହଙ୍କ ନାଁ। କିଭଳି ଇରାନରେ ସର୍ବୋଚ୍ଚ ନେତାଙ୍କ ଅନ୍ତ ହୋଇଛି ଯନ୍ତ୍ରଣା ଓ ଦୁଃଖଦାୟକ।ଇରାନ।

ପାରସ୍ୟ ଉପସାଗରରେ ଅବସ୍ଥିତ ଏକ ଦେଶ, ଯାହାର ଇତିହାସ ୬୭୮ ବର୍ଷ ପୁରୁଣା। ଏହାର ଅଧିକାଂଶ ଜନସଂଖ୍ୟା ସିଆ ସମ୍ପ୍ରଦାୟର। ୧୯୭୯ ମସିହା ପର୍ଯ୍ୟନ୍ତ, ଇରାନ ଏକ ରାଜତନ୍ତ୍ର ଶାସନ ବ୍ୟବସ୍ଥା ଅଧୀନରେ ଥିଲା, କିନ୍ତୁ ୧୯୭୯ ମସିହାରେ, ଇସଲାମିକ୍ ଗଣରାଜ୍ୟ ପ୍ରତିଷ୍ଠିତ ହୋଇଥିଲା। ରାଜାଙ୍କ ଶାସନ ହଟିଲା। ସୁପ୍ରିମ ଲିଡରଙ୍କ ଚାଲିଲା ରାଜତ୍ୱ।

 

୧. ଆଗା ମହମ୍ମଦ ଶାହ କଜାର ରାଜବଂଶର ପ୍ରଥମ ଶାସକ ଥିଲେ। ୧୭୯୭ରେ ଶାହ ଜର୍ଜିଆ ଗସ୍ତରେ ଯାଇ ଥିଲେ। ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ଇରାନକୁ ଏକଜୁଟ୍ କରିବାରେ ଆଗା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଗାଙ୍କ ମୃତ୍ୟୁ ପରେ, ତାଙ୍କ ଭଣଜାଙ୍କୁ ତାଙ୍କର ଉତ୍ତରାଧିକାରୀ ନିଯୁକ୍ତ କରାଯାଇଥିଲା।

୨. ଆଗା ମହମ୍ମଦ ଶାହଙ୍କ ପରେ, ଫତହ ଅଲି ଶାହ ଇରାନର ଶାସନଭାର ଗ୍ରହଣ କରିଥିଲେ। କୁହାଯାଏ- ଫତହ ଶାହଙ୍କ ୧୦୦୦ରୁ ଅଧିକ ପତ୍ନୀ ଥିଲେ। ଫତହ ଶାହଙ୍କ ଶେଷ ସମୟ ଗୁଡ଼ିକ ଖୁବ୍ ଯନ୍ତ୍ରଣାଦାୟକ ଥିଲା। ପ୍ରାୟ ୧୮୩୦ ମସିହା ପାଖାପାଖି, ରୁଷ ଏବଂ ଇରାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ଜାର ନିକୋଲାସ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ।

୩. ୧୮୪୮ ମସିହାରେ, ନାସେର ଅଲି ଦିନ ଶାହ ଇରାନର ଶାସନଭାର ଗ୍ରହଣ କରିଥିଲେ। ନାସେରଙ୍କୁ ଆଧୁନିକ ଯୁଗର ନେତା ଭାବରେ ବିବେଚନା କରାଯାଏ। ନାସେର ୧୮୯୬ ପର୍ଯ୍ୟନ୍ତ ଇରାନରେ କ୍ଷମତାରେ ରହିଥିଲେ। ୧୮୯୬ ମସିହାରେ, ତେହେରାନର ଜିମ୍ ଦରଗାହରେ ନାସେରଙ୍କୁ ହତ୍ୟା କରାଯାଇଥିଲା। ଜମାଲ ଅଲ-ଦିନ ଅଲ-ଆଫଗାନିଙ୍କ ଅନୁଗାମୀ ମିର୍ଜା ରଜା କରମାନିଙ୍କୁ ନାସେରଙ୍କ ହତ୍ୟା ପାଇଁ ଅଭିଯୁକ୍ତ କରାଯାଇଥିଲା।

୪. ୧୯୦୯ ମସିହାରେ ମହମ୍ମଦ ଅଲି ଶାହ ମଧ୍ୟ ଏକ ଦୁଃଖଦ ଅନ୍ତ ଦେଖିଥିଲେ। ସମ୍ବିଧାନକୁ ନେଇ ଇରାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା, ଯାହାକୁ ଅଲି ଶାହ ନିୟନ୍ତ୍ରଣ କରିପାରି ନଥିଲେ। ଶେଷରେ, ତାଙ୍କୁ ୧୯୦୯ ମସିହାରେ ଇରାନରୁ ରୁଷ ପଳାଇବାକୁ ବାଧ୍ୟ କରାଯାଇଥିଲା। ସେହି ବର୍ଷ ଇରାନ ସଂସଦ ସ୍ଥାପନା ହୋଇଥିଲା। ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।

୫. ଅଲି ଶାହଙ୍କ ପରେ, ଅହମଦ ଶାହ ଇରାନରେ କ୍ଷମତା ଗ୍ରହଣ କରିଥିଲେ। ସେ ୧୬ ବର୍ଷ ପର୍ଯ୍ୟନ୍ତ ଇରାନର ଥିଲେ ସର୍ବେସର୍ବା। କିନ୍ତୁ ତାଙ୍କର ୧୯୨୫ ମସିହାରେ କାରାଜ ରାଜବଂଶ ମଧ୍ୟ ଶାହଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଯେଉଁଥିପାଇଁ ଶାହଙ୍କୁ ଫ୍ରାନ୍ସ ପଳାଇବାକୁ ବାଧ୍ୟ କରାଯାଇଥିଲା।

୬. ୧୯୪୦ ମସିହାରେ, ପହଲଭି ରାଜବଂଶର ରେଜା ଶାହ ଇରାନରେ କ୍ଷମତା ଗ୍ରହଣ କରିଥିଲେ। ରେଜା ଶାହଙ୍କୁ ଜର୍ମାନୀର ନିକଟତର ବୋଲି ବିବେଚନା କରାଯାଉଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ, ବ୍ରିଟେନ ଇରାନ ଉପରେ ଚାପ ପକାଇବା ଆରମ୍ଭ କରିଥିଲା। ୧୯୪୧ ମସିହାରେ, ରେଜା ଶାହଙ୍କୁ ପଦ ଛାଡିବାକୁ ବାଧ୍ୟ କରାଯାଇଥିଲା। ତାଙ୍କ ପୁଅ, ମହମ୍ମଦ ରେଜା ଶାହ କ୍ଷମତା ଗ୍ରହଣ କରିଥିଲେ। ତାଙ୍କୁ ମଧ୍ୟ ଦେଶ ଛାଡି ପଳାଇବାକୁ ବାଧ୍ୟ କରାଯାଇଥିଲା।

୭. ୧୯୭୦ ଦଶକରେ, ଇରାନରେ ଇସଲାମିକ ବିପ୍ଳବ ତୀବ୍ର ହୋଇଥିଲା। ମହମ୍ମଦ ରେଜା ଶାହ ଏହା ଜାଣି ନ ଥିଲେ। ୧୯୭୯ ମସିହାରେ, ଇସଲାମିକ ବିପ୍ଳବ ମହମ୍ମଦ ରେଜା ଶାହଙ୍କୁ ଇରାନ ଛାଡି ପଳାଇବାକୁ ବାଧ୍ୟ କରିଥିଲା। ସେ ପ୍ରଥମେ ମିଶର ଏବଂ ତା'ପରେ ଆମେରିକା ଯାଇଥିଲେ। ଏଇଠୁ ଇରାନରେ ଆରମ୍ଭ ଇସଲାମିକ ଗଣରାଜ୍ୟର ଶାସନ।

୮. ଇସଲାମିକ ବିପ୍ଳବ ପରେ, ଫ୍ରାନ୍ସରେ ନିର୍ବାସିତ ଜୀବନ ବିତାଉଥିବା ଆୟାତୋଲ୍ଲା ରୁହୋଲ୍ଲା ଖୋମେନି ଇରାନକୁ ଫେରିଥିଲେ। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଭାବେ ନିଯୁକ୍ତ କରାଯାଇଥିଲା। ୧୦୦ ବର୍ଷର ଇରାନୀ ଇତିହାସରେ ଖୋମେନି ଇରାନର ଥିଲେ ପ୍ରଥମ ସର୍ବୋଚ୍ଚ ନେତା। ଖୋମେନି କ୍ଷମତାକୁ ଆସିବା ମାତ୍ରେ ଇରାନ ଏବଂ ଇରାକ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଆମେରିକା ଏବଂ ସାଉଦି ଆରବ ଭଳି ଦେଶ ମଧ୍ୟ ଇରାନକୁ ଘେରି ରହିଥିଲେ। ୧୯୮୯ରେ ଖୋମେନିଙ୍କ ମୃତ୍ୟୁ ହୋଇଥିଲା।

୯. ଏହାପରେ ଖୋମେନିଙ୍କ ଶିଷ୍ୟ ଆୟୋତାଲ୍ଲା ଅଲ୍ଲୀ ଖାମେନି ଇରାନର ହେଲେ ସୁପ୍ରିମ ଲିଡର। ଏବେ ବଦଳିଛି ସମୟ। ବଦଳିଛି ଚିନ୍ତାଧାରା। ଇରାନରେ ଆର୍ଥିକ ସଙ୍କଟ ମଧ୍ୟରେ ସୁପ୍ରିମ ଲିଡରଙ୍କ ବିରୋଧରେ ବଢ଼ିଛି ବିଦ୍ରୋହ। ଘେରିରହିଛି ଆମେରିକା। ଇରାନର ସର୍ବୋଚ୍ଚ ନେତାଙ୍କ ଉପରେ ଆମେରିକା ଆକ୍ରମଣର ବିପଦ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ରିପବ୍ଲିକାନ ସେନେଟର ଲିଣ୍ଡସେ ଗ୍ରାହାମ ସାର୍ବଜନୀନ ଭାବରେ ଖାମେନିଙ୍କ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଆୟୋତୋଲ୍ଲା ଅଲି ଖାମେନିଙ୍କ କ୍ଷେତ୍ରରେ ଇତିହାସର ପୁନରାବୃତ୍ତି ହେବ କି?