china hydropower system: ବ୍ରହ୍ମପୁତ୍ର ନଦୀର ପାଣି ଅଟକାଇ ଦେବ କି ଚୀନ? ତିଆରି କରୁଛି ବିଶାଳ ଡ୍ୟାମ୍

NEWS7
bhubaneswar-re-agnikanda

ନୂଆଦିଲ୍ଲୀଚୀନ ଏକ ବିଶାଳ ହାଇଡ୍ରୋପାୱାର ପ୍ରୋଜେକ୍ଟ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି। ଯାହା ଭାରତ ପାଇଁ ଏକ ବଡ଼ ୱାଟର ବୋମା ବୋଲି କୁହାଯାଉଛି। ଏହା ଏଥିପାଇଁ କୁହାଯାଉଛି, କାରଣ ଚୀନ ଏହି ହାଇଡ୍ରୋପାୱାର ପ୍ରୋଜେକ୍ଟ ମାଧ୍ୟମରେ ଭାରତକୁ ବୋହି ଆସୁଥିବା ବ୍ରହ୍ମପୁତ୍ର ନଦୀର ଜଳ ଧାରାକୁ ରୋକିବ। ଯାହା ଏହି ନଦୀର ଧାରା ଉପରେ ନିର୍ଭରଶୀଳ ଭାରତୀୟ ଜନତାଙ୍କ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ।

ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଚୀନ୍ ଏହି ବିଶାଳ ଜଳବିଦ୍ୟୁତ ପ୍ରକଳ୍ପ ତିଆରି କରୁଛି। ଆଉ ଏହି ନଦୀ ଭାରତରେ ବ୍ରହ୍ମପୁତ୍ର ନଦୀ ଭାବେ ପ୍ରବେଶ କରୁଥିବାରୁ ନୀଦର ଉପରମୁଣ୍ଡରେ ଯେକୌଣସି ବଡ଼ ଧରଣର ହସ୍ତକ୍ଷେପ ଏହାର ପ୍ରାକୃତିକ ପ୍ରବାହକୁ ପ୍ରଭାବିତ କରିବ। ଫଳରେ ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଲେଣି।

ସିଏନଏନର ରିପୋର୍ଟ ଅନୁଯାୟୀ, ଚୀନ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ୧୬୮ ବିଲିୟନ ଡଲାରର ଅର୍ଥ ଖର୍ଚ୍ଚ କରୁଛି। ଏହି ଜଳବିଦ୍ୟୁତ ଡ୍ୟାମରେ ଜଳଭଣ୍ଡାର, ଟନେଲ୍ସ ଏବଂ ଭୂତଳ ବିଦ୍ୟୁତ୍ କେନ୍ଦ୍ରର ପୂରା ନେଟୱାର୍କ ରହିବ। ଯାହାର ଉଚ୍ଚତା ହେବ ୨,୦୦୦ ମିଟର। ତେଣୁ ଏତେ ଉଚ୍ଚରୁ ଜଳର ପ୍ରବାହ ସାଂଘାତିକ ହୋଇପାରେ। ତେଣୁ ଭାରତ ପାଇଁ ଚିନ୍ତା କେବଳ ପରିବେଶଗତ ନୁହେଁ, ବରଂ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ନେଇ ମଧ୍ୟ ରହିଛି।

ବର୍ଷ ଆରମ୍ଭରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହାକୁ ଭାରତ ପାଇଁ ଏହା ଏକ ଟିକିଂ ୱାଟର ବୋମା ବୋଲି କହିଥିଲେ। କାରଣ ଚୀନ ଏହି ପ୍ରକଳ୍ପ ମାଧ୍ୟମରେ ବ୍ରହ୍ମପୁତ୍ର ନଦୀର ଜଳ କେଉଁ ସମୟରେ ଛାଡ଼଼ିବ ଓ କେତେ ମାତ୍ରାରେ ଛାଡ଼ିବ ଏହାକୁ ନିୟନ୍ତ୍ରଣ କରିପାରେ। ଯଦି ହଠାତ୍ ଅଧିକ ପାଣି ଛାଡ଼ି ଦିଏ ତେବେ ଏହା ଭାରତର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ଏଥିରେ ଧନଜୀବନ ହାନୀ ସହ କୃଷି ଉଜୁଡ଼ିବ। ଫଳରେ ଭାରତର ଅର୍ଥନୀତିକୁ ଆଘାତ ପହଞ୍ଚିବ। ସେହିଭଳି ପାଣି ନଛାଡ଼ିଲେ ତଳିଆ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଆଗକୁ ଭାରତ ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଶ୍ରୀ ଖାଣ୍ଡୁ କହିଥିଲେ।

ମାମଲା ସାମ୍ନାକୁ ଆସିବା ପରେ ଅଗଷ୍ଟ ମାସରେ ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଏହି ପ୍ରକଳ୍ପ ବିଷୟରେ ଏକ ବିବୃତ୍ତି ଜାରି କରିଥିଲେ। ବ୍ରହ୍ମପୁତ୍ର ନଦୀ ସହ ଜଡିତ ଚୀନ କାର୍ଯ୍ୟ ଉପରେ ଭାରତ ସରକାର ନିରନ୍ତର ନଜର ରଖିଛନ୍ତି ବୋଲି ସେ କହିଥିଲେ।

ଏନେଇ ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି “ଏହି ପ୍ରକଳ୍ପଟି ପ୍ରଥମେ ୧୯୮୬ ମସିହାରେ ସାର୍ବଜନୀନ ହୋଇଥିଲା ଏବଂ ସେବେଠାରୁ ଚୀନରେ ଏନେଇ ପ୍ରସ୍ତୁତି ଚାଲିଛି।” ତେବେ ଭାରତ ସରକାର ତିଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ସତର୍କ ଅଛନ୍ତି। ଏବଂ ସୁରକ୍ଷା ଦିଗରେ କାମ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।

ବ୍ରହ୍ମପୁତ୍ର ନଦୀର ଉତ୍ପତ୍ତି କୈଳାସ ପର୍ବତ ଏବଂ ମାନସରୋବର ହ୍ରଦ ନିକଟରେ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳ (ଚୀନ)ର ବୁରାଙ୍ଗ କାଉଣ୍ଟିରେ ହିମାଳୟର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଆଙ୍ଗସି ଗ୍ଲେସିୟର (ନାଙ୍ଗସେର ଗ୍ଲେସିୟର ନାମରେ ମଧ୍ୟ ଜଣାଶୁଣା)ରୁ ହୋଇଛି। ତିବ୍ଦତ୍ରେ ଏହାର ନାଁ ୟାର୍ଲୁଙ୍ଗ ସାଙ୍ଗପୋ (Yarlung Tsangpo) ବୋଲି କୁହାଯାଉଛି। ବ୍ରହ୍ମପୁତ୍ରର ଅଧିକାଂଶ ଜଳ ଭାରତ ଭିତରେ ମୌସୁମୀ ବର୍ଷା ଏବଂ ଶାଖା ନଦୀରୁ ଆସିଥାଏ।

ତଥାପି ସିଏଏନ ରିପୋର୍ଟ ଅନୁସାରେ, ବିଶେଷଜ୍ଞଙ୍କ ଦାବି କରିଛନ୍ତି ଯେ ଉପରମୁଣ୍ଡରେ କୌଣସି ପ୍ରକାର ହସ୍ତକ୍ଷେପ ନଦୀର ପ୍ରାକୃତିକ ପ୍ରବାହକୁ ବିଗାଡ଼ି ଦେଇପାରେ। ସାମାନ୍ୟ ପରିବର୍ତ୍ତନ ମଧ୍ୟ ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଉର୍ବର ବନ୍ୟାଭୂମି, ମତ୍ସ୍ୟଜୀବୀ ଏବଂ ଭୂତଳ ଜଳ ପୁନଃଭରଣକୁ ପ୍ରଭାବିତ କରିପାରେ। ପୂର୍ବରୁ ହିଁ ଏହି ଦୁଇ ରାଜ୍ୟ ଜଳବାୟୁ ଚାପର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଭଳି ପ୍ରାକୃତିକ ବିତ୍ପାତରେ କ୍ଷତି ସହୁଛନ୍ତି। ଆଉ ଯଦି ଚୀନ କିଛି କରେ, ତେବେ କଥା ସରିଲା। ହେଲେ ଚୀନ୍ କିନ୍ତୁ ଭାରତର ଏହି ଚିନ୍ତାଗୁଡ଼ିକୁ ଖାରଜ କରିଛି। ନିମ୍ନଗାମୀ ଦେଶଗୁଡ଼ିକ ପ୍ରଭାବିତ ହେବେ ନାହିଁ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଜୋର ଦେଇଛି।

ଏହି ପ୍ରକଳ୍ପର ଟେକ୍ନିକାଲ ଦିଗ ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ୱାଶିଂଟନର ଷ୍ଟିମସନ ସେଣ୍ଟରର ଶକ୍ତି, ଜଳ ଏବଂ ସଷ୍ଟେନେବିଲିଟି କାର୍ଯ୍ୟକ୍ରମର ନିର୍ଦ୍ଦେଶକ ବ୍ରାଏନ୍ ଆଇଲର ସିଏନଏନକୁ ପ୍ରତିକ୍ରିୟା ଦେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଏହାକୁ ଏପର୍ଯ୍ୟନ୍ତ ଚେଷ୍ଟା କରାଯାଇଥିବା ସବୁଠାରୁ ବଡ଼ ଓ ଜଟିଳ ଜଳବିଦ୍ୟୁତ ପ୍ରଣାଳୀ ବୋଲି କହିବା ସହ ସବୁଠାରୁ ବିପଦପୂର୍ଣ୍ଣ ମଧ୍ୟରୁ ଗୋଟିଏ ବୋଲି ମଧ୍ୟ କହିଛନ୍ତି। ଏହା ଏକ ଭୂମିକମ୍ପ ପ୍ରବଣ ଓ ପରିବେଶଗତ ସମ୍ବେଦନଶୀଳ ଓ ଦୁର୍ବଳ ଅଞ୍ଚଳରେ ତିଆରି ହେଉଛି, ତେଣୁ ଏଥିରେ ଯେକୌଣସି ବିଫଳତା କିମ୍ବା ଭୁଲ ଆକଳନ ହେଲେ ଏହାର ଗମ୍ଭୀର ପ୍ରଭାବ ନିମ୍ନଗାମୀ ନଦୀ ଉପରେ ପଡ଼ିପାରେ।