ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆସିଲେ ଦୁଇ ବର୍ଷ ମଧ୍ୟରେ ଦେଶରେ ନକ୍ସଲବାଦର ମୂଳୋତ୍ପାଟନ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଜାତୀୟ ଗଣମାଧ୍ୟମକୁ ଇଣ୍ଡିଆ ଟୁଡେକୁ ସାକ୍ଷାତ୍କାର ଦେଇ ଶାହ ନିକଟରେ ହୋଇଥିବା ଛତିଶଗଡ଼ ନକ୍ସଲ ଅପରେସନ ବିଷୟରେ ଆଲୋକପାତ କରିଥିଲେ। ଏଥିରେ ୨୯ ଜଣ ନକ୍ସଲକୁ ଏନ୍କାଉଣ୍ଟର କରାଯାଇଥିଲା। ବିଏସ୍ଏଫ୍ ଓ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ମିଳିତ ଅପରେସନ୍ରେ କାଙ୍କେର୍ ହୋଇଥିବା ନକ୍ସଲ ଦମନ ଛତିଶଗଡ଼ ଇତିହାସର ସବୁଠାରୁ ବଡ଼ ସିଙ୍ଗଲ ଅପରେସନ ବୋଲି ଶାହ କହିଛନ୍ତି। ଛତିଶଗଡ଼ରେ ବିଜେପି ସରକାର ଗଢ଼ିବା ପରେ ନକ୍ସଲ ଦମନ ଦ୍ରୁତ ଅଗ୍ରଗତି ହୋଇଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପଢ଼ନ୍ତୁ- କେଜରିୱାଲ୍ଙ୍କୁ ଜେଲ୍ରେ ମାରିଦେବାକୁ ଷଡ଼ଯନ୍ତ୍ର ହେଉଛି, ଇନ୍ସୁଲିନ ଦିଆଯାଉନି: ଆପ୍ର ବଡ଼ ଅଭିଯୋଗ
ପୂର୍ବର କଂଗ୍ରେସର ସରକାରକୁ ଟାର୍ଗେଟ୍ କରି ଶାହ କହିଛନ୍ତି ଯେ ବର୍ତ୍ତମାନ ଛତିଶଗଡ଼ର କେବଳ ୪ ଜିଲ୍ଲାରେ ନକ୍ସଲମାନେ ସକ୍ରିୟ ରହିଛନ୍ତି। ଗତ ୫ ବର୍ଷ ଧରି ଥିବା କଂଗ୍ରେସ ସରକାର କେନ୍ଦ୍ରକୁ ସହଯୋଗ କରୁନଥିଲେ। ହେଲେ ସରକାର ବଦଳିବା ପରେ ୯୦ ଦିନ ଭିତରେ ଏ ଦିଗରେ ଅନେକ ସୁଧାର ଆସିଛି। ଆମେ ୮୬ ନକ୍ସଲକୁ ନିହତ କରିବା ସହ ୧୨୬ଙ୍କୁ ଗିରଫ କରିଛୁ। ସେହିପରି ୨୫୦ ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ମୁଁ ଦୃଢ଼ତାର ସହ କହିବାକୁ ଚାହେଁ ଯେ ଯଦି ଲୋକ ତୃତୀୟ ଥର ପାଇଁ ପିଏମ୍ ମୋଦୀଙ୍କୁ ନିର୍ବାଚିତ କରିବେ ତେବେ ଦୁଇ ବର୍ଷରେ ଆମେ ଦେଶ ନକ୍ସଲବାଦର ମୂଳୋତ୍ପାଟନ କରିଦେବୁ ବୋଲି ଅମିତ ଶାହ କହିଛନ୍ତି।