Bangladesh unrest: ହିନ୍ଦୁ ଯୁବକଙ୍କ ହତ୍ୟାକୁ ନିନ୍ଦା କଲେ ୟୁନୁସ ସରକାର, କହିଲେ, ନୂଆ ବାଂଲାଦେଶରେ ହିଂସାର ସ୍ଥାନ ନାହିଁ

NEWS7
adivasi-protest-rally-in-front-of-nuapada-collector-office

ନୂଆଦିଲ୍ଲୀ: Dipu Chandra Das:ଜଣେ ଛାତ୍ର ନେତାଙ୍କ ମୃତ୍ୟୁ ପରେ ବାଂଲାଦେଶରେ ବର୍ତ୍ତମାନ ହିଂସାର ବାତାବରଣ ଦେଖା ଦେଇଛି। ଆଉ ଏହି ହିଂସା ପୁଣି ଜଣେ ହିନ୍ଦୁ ବ୍ୟକ୍ତିଙ୍କର ଜୀବନ ନେଇଛି। ମୟମନସିଂ ଜିଲ୍ଲାର ଭାଲୁକାରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ମୁସ୍ଲିମ ମୌଳବାଦୀ ଭିଡ଼ ଦୀପଙ୍କୁ ହତ୍ୟା କରିଛି। ଏହି ନିର୍ମମ ହତ୍ୟାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। 

ଏହି ଘଟଣା ଭାଇରାଲ ହୋଇ ଲୋକଲୋଚନକୁ ଆସିବା ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ଅନ୍ତରୀଣ ସରକାର ଏହାକୁ କଡ଼ା ନିନ୍ଦା କରିଛନ୍ତି। ଶୁକ୍ରବାର ଏନେଇ ଏକ ବିବୃତ୍ତି ଜାରି କରି ୟୁନୁସ ସରକାର କହିଛନ୍ତି ଯେ ନୂଆ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। ଏହି ଅପରାଧରେ ସମ୍ପୃକ୍ତ କାହାକୁ ମଧ୍ୟ ଛଡାଯିବ ନାହିଁ।

ବାଂଲାଦେଶ ପୁଲିସ ସୂଚନା ଆନୁସାରେ, ପୀଡିତ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏକ କପଡ଼ା କାରଖାନାର କର୍ମଚାରୀ ଥିଲେ। ଭାଲୁକା ଉପଜିଲ୍ଲା ଦୁବାଲିଆ ପାରା ଅଞ୍ଚଳରେ ଭଡାରେ ରହୁଥିଲେ। ଗୁରୁବାର ରାତି ୯ଟା ବେଳେ କିଛି ସ୍ଥାନୀୟ ଲୋକେ ଦୀପୁଙ୍କ ଉପରେ ଆକ୍ରମଣ କରିଥିଲେ। ଦୀପୁ ପୟଗମ୍ବର ମହମ୍ମଦଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବାର ଅଭିଯୋଗ କରି ସେମାନେ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ। ତାଙ୍କୁ ହତ୍ୟା କରିବା ପରେ, ମୃତଦେହକୁ ଗଛରେ ଝୁଲାଇ ନିଆଁ ଲଗାଇ ଦିଆଯାଇଛି। ଧର୍ମ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭିଡ଼ ହିଂସାର ଶିକାର ହୋଇଛନ୍ତି ଦୀପୁ ଚନ୍ଦ୍ର ଦାସ । ଉତ୍ତ୍ୟକ୍ତ ଲୋକେ 'ଆଲ୍ଲା-ହୁ-ଆକବର' ସ୍ଲୋଗାନ ଦେଉଥିବା ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳିଛି ।

ମଧ୍ୟବର୍ତ୍ତୀକାଳୀନ ସରକାର ଏହି ଆକ୍ରମଣକୁ ନିନ୍ଦା କରିବା ସହିତ ନାଗରିକମାନଙ୍କୁ ସମସ୍ତ ପ୍ରକାରର ହିଂସା ବିରୁଦ୍ଧରେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। କିଛି ବିଚ୍ଛିନ୍ନ ଆତଙ୍କବାଦୀ ଗୋଷ୍ଠୀ ଏହି ହିଂସା ଭିଆଉଛନ୍ତି। ତେଣୁ ଏପରି ହିଂସା, ଭୟ, ପୋଡ଼ାଜଳା ଏବଂ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରୁଛି। ତେଣୁ ଏଥିରୁ ଦୂରେଇ ରହିବାକୁ ୟୁନୁସ ସରକାର ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।

ଢାକାରେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ହିଂସାର ବାତାବରଣ ଦେଖା ଦେଇଛି। ହାଦି ପୂର୍ବର ଶେଖ ହସିନା ସରକାରର ମୁଖର ବିରୋଧୀ ଥିଲେ। ହସିନା ସରକାରର ପତ୍ତନ ପାଇଁ ମଖ୍ୟ ଭୂମିକା ନିଭାଇଥିଲେ। ଦୁଇ ଜଣ ଦୁର୍ବୃତ ତାଙ୍କୁ ଗୁଳି କରି ହତ୍ୟା କରିବା ପରେ ବାଂଲାଦେଶ ଭାରତ ସୀମା ନିକଟକୁ ଆସିଥିଲେ ବୋଲି ବାଂଲାଦେଶ କହୁଛି।