LIVE TV

ସୁପ୍ରିମକୋର୍ଟଙ୍କ ଆଦେଶ ବଦଳାଇ ପାରିବେନି ସରକାର, ସଂସଦ ପାଖରେ ନାହିଁ ସମସ୍ତ କ୍ଷମତା

NEWS7
acfo-soumya-ranjans-wife-refuted-allegations

ନୂଆଦିଲ୍ଲୀ, ୨୦|୧୧: ମନଇଚ୍ଛା ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇ ହେବନି । ସଂସଦରେ କୋର୍ଟଙ୍କ ଆଦେଶ ବଦଳାଇବା ପାଇଁ ସମସ୍ତ କ୍ଷମତା ନାହିଁ । ସହଜରେ ଆଦେଶ ପରିବର୍ତ୍ତନ କରିପାରିବେନି ସରକାର । କିଛି ଏମିତି ସ୍ପଷ୍ଟ କରି କହିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ରିଫର୍ମ ଆକ୍ଟର ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି

ରିପୋର୍ଟ ଅନୁସାରେ, ବୁଧବାର କେନ୍ଦ୍ର ସରକାରଙ୍କ ଟ୍ରିବ୍ୟୁନାଲ ରିଫର୍ମ ଆକ୍ଟ ୨୦୨୧କୁ ନେଇ ଶୁଣାଣି ହୋଇଥିଲା । ଏଥିରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନକୁ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଛନ୍ତି । ସାମାନ୍ୟ ପରିବର୍ତ୍ତନ କରି ସଂସଦ କୋର୍ଟଙ୍କ ଆଦେଶକୁ ବଦଳାଇ ପାରିବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।

ଶୁଣାଣି ବେଳେ ପ୍ରଧାନ ବିଚାରପତି ବି.ଆର ଗଭାଇ ଓ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ୧୩୭ ପୃଷ୍ଠାର ରାୟ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ କୋର୍ଟ ଯାହାକୁ ପୂର୍ବରୁ ରଦ୍ଦ କରିଥିଲେ ସରକାର ସଂଶୋଧନ କରି ପୁଣି ସେହି ପ୍ରାବଧାନକୁ ଯୋଡି ଦେଇଛନ୍ତି । ନ୍ୟାୟପାଳିକାର ସ୍ୱତନ୍ତ୍ରତା ସୁନିଶ୍ଚିତ କରିବା ପାଇଁ ଉତ୍ତମ ନିଯୁକ୍ତି ପ୍ରକ୍ରିୟାର ଆବଶ୍ୟକତା ରହିଛି । ଏଥିସହ ସରକାର ୪ମାସ ଭିତରେ ନ୍ୟାସନାଲ ଟ୍ରିବ୍ୟୁନାଲ କମିଶନ ଗଠନ କରିବା ଦରକାର ବୋଲି କୋର୍ଟ ଆଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ଟ୍ରିବ୍ୟୁନାଲରେ ନିଯୁକ୍ତି ଲାଗି ସର୍ବନିମ୍ନ ୫୦ ବର୍ଷ ବୟସର ମାନଦଣ୍ଡ ଠିକ ନୁହେଁ । ଏହାଦ୍ୱାରା ଯୁବ ବିଚାରପତିମାନେ ନିଯୁକ୍ତି ପାଇବାରୁ ବଞ୍ଚିତ ହେବେ । ସେହିଭଳି ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ଅବଧି ରଖାଯିବା ବହୁତ୍ କମ୍ । ଏହାଫଳରେ ସ୍ୱତନ୍ତ୍ରତା ପ୍ରଭାବିତ ହେବ । ଚୟନ କମିଟିକୁ ୨ ନାମ ପଠାଇବାର ଯେଉଁ ପ୍ରାବଧାନ ରହିଛି ତାହା ଫଳରେ ସରକାରଙ୍କୁ ଆବଶ୍ୟକତା ଠାରୁ ଅଧିକ ନିୟନ୍ତ୍ରଣ କ୍ଷମତା ମିଳିବ । ତେଣୁ ଏସବୁ ପ୍ରାବଧାନକୁ ସୁପ୍ରିମକୋର୍ଟକୁ ରଦ୍ଦ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

୨୦୨୧ରୁ ଚାଲିଥିଲା ମାମଲା

ତେବେ ଏହି ମାମଲା ୨୦୨୦ରୁ କୋର୍ଟରେ ବିଚାରାଧିନ ରହିଛି । ସେହିବର୍ଷ ନଭେମ୍ବରରେ ସୁପ୍ରିମକୋର୍ଟ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ୫ ବର୍ଷ କରିଥିଲେ । ପରେ ସରକାର ୨୦୨୧ରେ ନୂଆ ଆଇନ ଆଣି ତାକୁ ୪ ବର୍ଷ କରି ଦେଇଥିଲେ । କେବଳ ଏତିକି ନୁହେଁ, ଅଧ୍ୟକ୍ଷ ଓ ସଦସ୍ୟ ହେବାକୁ ହେଲେ ଅତିକମରେ ବୟସ ୫୦ ବର୍ଷ ହେବା ଆବଶ୍ୟକ ବୋଲି କେନ୍ଦ୍ର ସରକାର କହିଥିଲେ। ଏଥିସହ ଚୟନ କମିଟିକୁ ଅତିକମ୍ରେ ଦୁଇଟି ନାମ ପଠାଇବାକୁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ମାଡ୍ରାସ ବାର୍ ଆସୋସିଏସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।