କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି, ଉଚ୍ଚ ଶିକ୍ଷାନୁଷ୍ଠାନକୁ ସଶକ୍ତ କରିବ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌

NEWS7
according-to-nirf-top-100-report-soa-is-in-24th-position

ଭୁବନେଶ୍ୱର ୧୭।୧୨ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ୨୦୨୫ ଆଗତ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଯେ, ଏହି ବିଲ୍ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ୱାୟତ୍ତତା ପ୍ରଦାନ କରିବା ସହ ଉତ୍କର୍ଷତା ହାସଲ କରିବା ଲାଗି ସଶକ୍ତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଶିକ୍ଷଣ, ଶିକ୍ଷାଦାନ, ଗବେଷଣା ତଥା ଉଦ୍ଭାବନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତିଶାଳୀ କରିବା ଏବଂ ଏକ ସୁଦୃଢ଼ ଓ ସ୍ୱଚ୍ଛ ମାନ୍ୟତା ତଥା ସ୍ୱୟଂଶାସନ ବ୍ୟବସ୍ଥା ମାଧ୍ୟମରେ ଉତ୍କର୍ଷତାକୁ ପ୍ରୋତ୍ସାହନ କରିବା। ଉଚ୍ଚ ଶିକ୍ଷାନୁଷ୍ଠାନରେ ମାନଦଣ୍ଡ ସ୍ଥିର କରିବା, ନିୟମାବଳୀରେ ସମନ୍ୱୟ ରକ୍ଷା କରିବା ଏବଂ ଉତ୍କର୍ଷତା, ସ୍ୱୟଂଶାସନ ଓ ସ୍ୱଚ୍ଛ ମାନ୍ୟତାକୁ ପ୍ରୋତ୍ସାହନ କରିବା ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ପ୍ରତିଷ୍ଠା କରିବା। ଏହି ବିଲ୍ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନକୁ ସ୍ୱାଧୀନ ସ୍ୱ-ପରିଚାଳିତ ଅନୁଷ୍ଠାନ ହେବା ପାଇଁ ସୁବିଧା ଯୋଗାଇବାକୁ ଚେଷ୍ଟା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତ ୧୨ ତାରିଖରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ୨୦୨୫କୁ ଅନୁମୋଦନ କରାଯାଇଥିଲା। ଏହି ବିଲ୍ ୩ଟି ପରିଷଦ ସହିତ ଏକ ଶୀର୍ଷ ସଂସ୍ଥା ଭାବେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା କରେ ଯଥା ବିକଶିତ ଭାରତ ଶିକ୍ଷା ବିନିୟମନ ପରିଷଦ (ରେଗୁଲେଟରୀ କାଉନସିଲ), ବିକଶିତ ଭାରତ ଶିକ୍ଷା ଗୁଣବତ୍ତା ପରିଷଦ (ଆକ୍ରିଡେସନ କାଉନସିଲ) ଏବଂ ବିକଶିତ ଭାରତ ଶିକ୍ଷା ମାନକ ପରିଷଦ (ଷ୍ଟାଣ୍ଡାର୍ଡ କାଉନସିଲ) । ଶିକ୍ଷା ମନ୍ତ୍ରଣାଳୟ, ୟୁଜିସି, ଏଆଇସିଟିଇ ଏବଂ ଏନ୍ସିଟିଇ ଅଧୀନରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନ ନିର୍ଦ୍ଧାରଣ ପାଇଁ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ଅଧୀନରେ ରହିବ । ଜାତୀୟ ଶିକ୍ଷାନୀତି ୨୦୨୦ରେ ପରିକଳ୍ପିତ ହୋଇଥିବା କାଉସିଲ୍ ଅଫ୍ ଆର୍କିଟେକ୍ଟର (ସିଓଏ) ଏକ ବୃତ୍ତିଗତ ମାନକ ସେଟିଂ ସଂସ୍ଥା (ପିଏସ୍ଏସ୍ବି) ଭାବେ କାର୍ଯ୍ୟ କରିବ। ଏହି ବିଲ୍ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିବା ସ୍ୱୟଂଶାସନର ବର୍ତ୍ତମାନର ସ୍ତରକୁ ବଜାୟ ରଖିବା ସୁନିଶ୍ଚିତ କରୁଛି।