ଅବୁଧାବୀରେ ଋଷିଆ-ୟୁକ୍ରେନ ଶାନ୍ତିବର୍ତ୍ତା ଶେଷ, ହୋଇ ପାରିଲାନି ବଡ଼ ବୁଝାମଣା

NEWS7
26th-national-childrens-science-congress-2018-closing-day

ଅବୁଧାବୀ ୫।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପର ସବୁଠୁ ଘାତକ ଯୁଦ୍ଧକୁ ସମାପ୍ତ କରିବା ଲାଗି ୟୁଏଇ ରାଜଧାନୀ ଅବୁଧାବୀରେ ଅନୁଷ୍ଠିତ ଦୁଇ ଦିବସୀୟ ଶାନ୍ତି ବାର୍ତ୍ତାର ଦ୍ୱିତୀୟ ପର୍ଯ୍ୟାୟ ଗୁରୁବାର ବିନା କୌଣସି ନିଷ୍ପତ୍ତିରେ ସମାପ୍ତ ହୋଇଛି। ହେଲେ ଦୀର୍ଘ ବ୍ୟବଧାନ ପରେ କିଭ ଓ ମସ୍କୋର ବରିଷ୍ଠ ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ଏହି କୂଟନୈତିକ ପ୍ରୟାସକୁ ଏକ ନୂଆ ପ୍ରାରମ୍ଭ ରୂପେ ଦେଖାଯାଉଛି। ତେବେ ଏହି ବାର୍ତ୍ତାର ଗୁରୁତ୍ୱପୂର୍ଣ୍ଣ ପରିଣାମ ଭାବେ ଯୁଦ୍ଧବନ୍ଦୀଙ୍କ ପ୍ରତ୍ୟାର୍ପଣ ରୂପେ ସାମ୍ନାକୁ ଆସିଛି। ଉଭୟପକ୍ଷ ନିଜପଟରୁ ୧୫୭ ଜଣ ଲେଖାଏଁ ଯୁଦ୍ଧବନ୍ଦୀଙ୍କୁ ପ୍ରତ୍ୟାର୍ପଣ କରିବାକୁ ରାଜି ହୋଇଛନ୍ତି।

ଏହି ପ୍ରତ୍ୟାର୍ପଣରେ ମୋଟ ୩୧୪ ଜଣ ବନ୍ଦୀ ମୁକ୍ତ ହେବେ। ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଫଟୋଚିତ୍ରରେ କୈଦୀଙ୍କୁ ବସମାନଙ୍କରେ ବସୁଥିବାର ଦେଖାଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି ଏହାକୁ ଏକ ସକରାତ୍ମକ ଫଳାଫଳ ବୋଲି କହିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ଏହି ବାର୍ତ୍ତା ଏତେ ସହଜ ନୁହେଁ। ଏହି ବୈଠକରେ ଆମେରିକା ପକ୍ଷରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଶେଷ ଦୂତ ଷ୍ଟିଭ ଭିଟକଫ ମଧ୍ୟ ସାମିଲ ଥିଲେ।

ବାର୍ତ୍ତା ପରେ ଭିଟକଫ ସାବଧାନତା ଅବଲମ୍ବନ କରି କହିଛନ୍ତି ଯେ ଆଗାମୀ ସପ୍ତାହମାନଙ୍କରେ ଆହୁରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବ। ଏଣୁ ତତ୍କାଳ ଶାନ୍ତି ବୁଝାମଣା ଆଶାକୁ ହ୍ରାସ କରିଛି। ଏଥିରେ ଆମେରିକା ବିଦେଶମନ୍ତ୍ରୀ ମାର୍କୋ ରୁବିୟୋ ସୂଚନା ଦେଇଛନ୍ତି ଯେ ପ୍ରଥମ ଥର ଋଷିଆ ଓ ୟୁକ୍ରେନର ବୈଷୟିକ ସୈନ୍ୟ ଟିମ୍ ଏହି ବୈଠକରେ ମୁହାଁ ମୁହିଁ ବସିଥିଲେ। ଶାନ୍ତିବାର୍ତ୍ତା ପାଇଁ ସକରାତ୍ମକ ପରିବେଶ ସତ୍ତ୍ୱେ ବୁଝାମଣା ରାସ୍ତାରେ ମସ୍କୋର ଆଞ୍ଚଳିକ ଦାବି ବାଧକ ପାଲଟିଛି। କ୍ରେମଲିନର ସ୍ପଷ୍ଟ ଆଭିମୁଖ୍ୟ ହେଉଛି କୌଣସି ବୁଝାମଣା ନିମନ୍ତେ ୟୁକ୍ରେନକୁ ସମ୍ପୂର୍ଣ୍ଣ ପୂର୍ବ ଡୋନାବାସ କ୍ଷେତ୍ରକୁ ଋଷିଆ ହାତକୁ ଟେକିଦେବାକୁ ପଡିବ।

ତେବେ ୟୁକ୍ରେନ ଅଧିକାରୀ ଏହି ସର୍ତ୍ତକୁ ଅଗ୍ରାହ୍ୟ କରିଦେଇଛନ୍ତି ଓ ବର୍ତ୍ତମାନ ଫ୍ରଣ୍ଟ ଲାଇନରେ ଯୁଦ୍ଧବିରାମ ଦାବି କରିଛନ୍ତି। ପୁଟିନ ସଂକେତ ଦେଇଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ତାଙ୍କ କଠୋର ସର୍ତ୍ତ ପାଳନ ନ ହୋଇଛି ସେ ଯୁଦ୍ଧକୁ ଦୀର୍ଘ କରିବାକୁ ପ୍ରସ୍ତୁତ। ଏହି ବାର୍ତ୍ତା ଏପରି ସମୟର ହୋଇଛି ଯେତେବେଳେ ଋଷିଆ ୟୁକ୍ରେନର ଶକ୍ତି ଉତ୍ସ ଉପରେ ଆକ୍ରମଣ ତୀବ୍ର କରିଛି। ଫଳରେ ୟୁକ୍ରେନର ଏକ ବିଶାଳ ଅଞ୍ଚଳ ଅନ୍ଧକାରରେ ଡୁବି ଯାଇଛି। ପ୍ରଚଣ୍ଡ ଥଣ୍ଡା ଓ ୟୁକ୍ରେନର କଡା଼ ପ୍ରତିରୋଧ ଯୋଗୁ ଭୂ ଭାଗରେ ଋଷିଆ ସେନାର ଅଗ୍ରଗତି ଗତ ବର୍ଷ ତୁଳନାରେ ଧିମା ରହିଛି। ୟୁକ୍ରେନ ସୈନ୍ୟ ଗୁଇନ୍ଦା ମୁଖ୍ୟ କିରଲୋ ବୁଡାନୋଭ ଏହି ତ୍ରିପକ୍ଷୀୟ ବାର୍ତ୍ତାକୁ ବାସ୍ତବରେ ଉପଯୋଗୀ ଓ ଭବିଷ୍ୟତରେ ଏହା ଜାରି ରହୁ ବୋଲି କହିଛନ୍ତି।

ଏହା ବି ପଢନ୍ତୁ:-ମହାକାଶକୁ ପହଞ୍ଚିଲା ଋଷିଆ-ୟୁକ୍ରେନ ଯୁଦ୍ଧ,ୟୁରୋପୀୟ ଉପଗ୍ରହର ଜାସୁସି କରୁଛି ଋଷ