ପାକିସ୍ତାନର ନୂଆ ଡ୍ରାମା, ଟି-୨୦ ବିଶ୍ଵକପରେ ଭାରତ ବିପକ୍ଷ ମ୍ୟାଚ୍ କରିବ ବୟକଟ !

NEWS7
17-year-old-hatya-by-group-people-in-delhi

ଇସଲାମାବାଦ: ଟି-୨୦ ବିଶ୍ଵକପ୍ ୨୦୨୬କୁ ଆଇ କେଇଟା ଦିନ ବାକି ରହିଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ହେଲେ ବିଶ୍ଵକପକୁ ନେଇ ବିବାଦ ଥମିବାର ନାଁ ଧରୁନି। ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରୁ ବହିଷ୍କାର କରାଯିବା ପରେ ଆଇସିସି ଉପରେ ଖପ୍ପା ପାକିସ୍ତାନ କ୍ରିକେଟ୍ ବୋର୍ଡ। ସେଥିପାଇଁ ପ୍ରଥମେ ପ୍ରଥମେ ଟୁର୍ଣ୍ଣାମେଣ୍ଟରୁ ଓହରିବା ପାଇଁ ଧମକ ଦେଇଥିଲା ପାକିସ୍ତାନ। ତେବେ ସାଂପ୍ରତିକ ସ୍ଥିତି ଏବଂ ଆଇସିସିର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ ନିଜର ଦଳ ଘୋଷଣା କରିଛି। ତଥାପି ପାକିସ୍ତାନର ଡ୍ରାମା ଥମିବାର ନାଁ ନେଉନି। ସଦ୍ୟତମ ଖବର ଅନୁଯାୟୀ, ପାକିସ୍ତାନ ଲିଗ୍ ପର୍ଯ୍ୟାୟରେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିପାରେ।

ଜିଓ ସୁପର ରିପୋର୍ଟ ମୁତାବକ ପାକିସ୍ତାନ ଟି-୨୦ ବିଶ୍ଵକପରେ ଭାରତ ବିପକ୍ଷ ମ୍ୟାଚକୁ ବହିଷ୍କାର କରିପାରେ। ଏଥିପାଇଁ ଗମ୍ଭୀରତାର ସହ ବିଚାର କରୁଛି ପିସିବି। ଏହି ମୁକାବିଲା ଫେବୃଆରୀ ୧୫ରେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ପାକିସ୍ତାନ ଏହା ଜରିଆରେ ଆଇସିସିର ସେହି ନିଷ୍ପତ୍ତିକୁ ବିରୋଧ କରିବାକୁ ଚାହୁଁଛି, ଯେଉଁଥିରେ ବାଂଲାଦେଶକୁ ଟି-୨୦ ବିଶ୍ଵକପରୁ ବାଦ୍ ଦିଆଯାଇ ସ୍କଟଲାଣ୍ଡକୁ ସାମିଲ୍ କରାଯାଇଛି।

ସୂତ୍ର ମୁତାବକ, ପାକିସ୍ତାନ କ୍ରିକେଟ୍ ବୋର୍ଡ ବିରୋଧର ଅନେକ ବିକଳ୍ପ ଉପରେ ବିଚାର କରୁଛି। ଯଦି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ନ ଖେଳେ ତେବେ ଦଳର ଦୁଇ ଅଙ୍କ କମିବ। ଏମିତି ହେଲେ ଆଇସିସିକୁ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଦଳ ସହ ସାକ୍ଷାତ କରି ରଣନୀତି ଏବଂ ଆଗାମୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ନକଭି କହିଛନ୍ତି ଅନ୍ତିମ ନିଷ୍ପତ୍ତି ସଂଘୀୟ ସରକାରଙ୍କ ପରାମର୍ଶ ପରେ ନିଆଯିବ।

ନକଭି କହିଛନ୍ତି, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ସଂପ୍ରତି ଦେଶରେ ନାହାନ୍ତି। ତାଙ୍କ ଫେରିବା ପରେ ଆମେ ଅନ୍ତିମ ନିଷ୍ପତ୍ତି ଘୋଷଣା କରିବୁ। ନକଭି ଆଇସିସିର ସମାଲୋଚନା କରି କହିଛନ୍ତି, ବାଂଲାଦେଶ ସହ ଘୋର ଅନ୍ୟାୟ ହୋଇଛି। ଏହାକୁ ଆଇସିସିର ଦୋମୁହାଁ ନୀତି ଭାବେ ବିବେଚନା କରାଯିବା ଉଚିତ୍। ନକଭି କହିଛନ୍ତି, ଆଇସିସି ଏହି ନିଷ୍ପତ୍ତି ବିସିସିଆଇର ପ୍ରଭାବରେ ଆସି ନେଇଛି। ବାଂଲାଦେଶ ମଧ୍ୟ ପାକିସ୍ତାନ ପରି ଆଇସିସିର ସଦସ୍ୟ। ଗୋଟିଏ ଦେଶ ଅନ୍ୟ କୌଣସି ଦେଶ ଉପରେ ଆଦେଶ ଦେଇ ପାରିବ ନାହିଁ। ଯଦି ଏମିତି ଜାରି ରହେ ତେବେ ପାକିସ୍ତାନ କଠୋର ପଦକ୍ଷେପ ନେବ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ପାକିସ୍ତାନ ପ୍ରଥମ ମ୍ୟାଚ୍ ଫେବୃଆରୀ ୭ରେ ନେଦରଲାଣ୍ଡ୍ସ ବିପକ୍ଷରେ କଲୋମ୍ବୋରେ ଖେଳିବ। ଏହା ପରେ ଫେବୃଆରୀ ୧୦ରେ ଆମେରିକା, ଫେବୃଆରୀ ୧୫ରେ ଭାରତ ଏବଂ ଫେବୃଆରୀ ୧୮ରେ ନାମିବ୍ୟା ସହ ମୁକାବିଲା ଖେଳିବ ପାକିସ୍ତାନ। ସୁପର-୮ ପର୍ଯ୍ୟାୟ ମୁକାବିଲା ଫେବୃଆରୀ ୨୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେମି ଫାଇନାଲ୍ ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୫ରେ ଖେଳାଯିବ। ଟାଇଟଲ୍ ମୁକାବିଲା ମାର୍ଚ୍ଚ ୮ରେ ଅହମ୍ମଦାବାଦ କିମ୍ବା କଲୋମ୍ଵୋରେ ଖେଳାଯିବ। ଯଦି ପାକିସ୍ତାନ ଫାଇନାଲରେ ପ୍ରବେଶ କରେ ତେବେ ଏହି ମ୍ୟାଚ୍ କଲୋମ୍ବୋରେ ଖେଳାଯିବ।