LIVE TV

ଆରସିବି ବିଜୟ ଉତ୍ସବରୁ TVK ରାଲି: ଭାରତରେ ଘଟିଥିବା କିଛି ବଡ଼ ଦଳାଚକଟା ଘଟଣା

NEWS7
ବାଲେଶ୍ୱର-ବାଳାଶ୍ରମରେ-ବାଳକ

ଅମରାବତୀ: ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର କାଶୀବୁଗା ସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଶନିବାର ଏକାଦଶୀରେ ଭକ୍ତଙ୍କ ପ୍ରବଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ହୋଇଥିଲା । ଦଳାଚକଟାରେ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଂକା କରାଯାଉଛି । ୨୦୨୫ ଆରମ୍ଭରୁ ନଭେମ୍ୱର ମଧ୍ୟରେ ଦେଶରେ ଦଳାଚକଟା ଘଟଣାରେ ଶତାଧିକ ଲୋଙ୍କ ମୃତ୍ୟୁ ହୋଇଛି । ଆସନ୍ତୁ ନଜର ପକାଇବା ଦେଶରେ ଘଟିଥିବା ଏପରି କିଛି ପ୍ରମୁଖ ଘଟଣା ଉପରେ ।

୨୦୨୫ ଜାନୁଆରୀରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ସମୟରେ ଏକ ବଡ଼ ଦଳାଚକଟା ହୋଇଥିଲା । ରିପୋର୍ଟ ଅନୁସାରେ, 30 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬୦ ଜଣ ଆହତ ହୋଇଥିଲେ ।

୨୦୨୫ ଜାନୁଆରୀ ୮ରେ ତିରୁମାଲା ହିଲ୍ସରେ ଥିବା ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦଳାଚକଟା ହେବା ଫଳରେ ପ୍ରାୟ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ ।

୨୦୨୫ ଫେବ୍ରୁଆରୀରେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ୧୪ ଏବଂ ୧୫ରେ ଦଳାଚକଟା ହୋଇଥିଲା, ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୫ ଜଣ ଆହତ ହୋଇଥିଲେ । ଅଧିକାଂଶ ଲୋକ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିଲେ ।

୨୦୨୫ ମେ ୩ରେ ଗୋଆର ଶିରଗାଓ ଗାଁରେ ଶ୍ରୀ ଲୈରାଇ ଦେବୀ ମନ୍ଦିରର ବାର୍ଷିକ ଉତ୍ସବ ସମୟରେ ଦଳାଚକଟା ଘଟିଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୦୦ ଜଣ ଆହତ ହୋଇଥିଲେ ।

ଜୁନ୍ ୪ ୨୦୨୫ରେ ଆରସିବିର ବିଜୟ ଉତ୍ସବ ଆୟୋଜନ ବେଳେ ବେଙ୍ଗାଲୁରୁରେ ଦଳାଚକଟା ଘଟି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ ।

୨୭ ସେପ୍ଟେମ୍ବର, ୨୦୨୫ରେ ତାମିଲନାଡ଼ୁର କରୁରରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ରାଜନୈତିକ ରାଲିରେ ଦଳାଚକଟା ଯୋଗୁଁ ଛଅ ଜଣ ଶିଶୁଙ୍କ ସମେତ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୦୨୪ ଜୁଲାଇ ୨ରେ ଉତ୍ତର ପ୍ରଦେଶର ହାଥରସରେ ଆତ୍ମଘୋଷିତ ବାବା ଭୋଲେ ବାବା ଓରଫ ନାରାୟଣ ସାକର ହରିଙ୍କ ସଭାରେ ଦଳାଚକଟା ଘଟି ମହିଳା ଏବଂ ଶିଶୁ ସମେତ ୧୨୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

୨୯ ସେପ୍ଟେମ୍ବର ୨୦୧୭ରେ ମୁମ୍ବାଇର କେନ୍ଦ୍ରୀୟ ରେଳବାଇର ପାରେଲ ଷ୍ଟେସନ ସହିତ ପଶ୍ଚିମ ରେଳବାଇର ଏଲଫିନଷ୍ଟୋନ ରୋଡ ଷ୍ଟେସନକୁ ସଂଯୋଗ କରୁଥିବା ପୋଲ ଉପରେ ଦଳାଚକଟା ଘଟି ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୬ ଜଣ ଆହତ ହୋଇଥିଲେ ।

୧୪ ଜୁଲାଇ, ୨୦୧୫ରେ ଆନ୍ଧ୍ରପ୍ରଦେଶର ରାଜମୁଣ୍ଡ୍ରିରେ 'ପୁଷ୍କରମ୍' ମହୋତ୍ସବ ସମୟରେ ଗୋଦାବରୀ ନଦୀ କୂଳରେ ଏକ ପ୍ରମୁଖ ସ୍ନାନସ୍ଥଳରେ ଦଳାଚକଟାରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା।

୧୩ ଅକ୍ଟୋବର ୨୦୧୩ରେ ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାର ରତନଗଡ଼ ମନ୍ଦିର ନିକଟରେ ନବରାତ୍ରି ଉତ୍ସବ ସମୟରେ ଦଳାଚକଟା ହେବାରୁ ପ୍ରାୟ ୧୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଆହତ ହୋଇଥିଲେ।