ପୁରୀ ୨୯।୭: ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା । ଜଣେ ଯୁବକ ଶ୍ରୀମନ୍ଦିର ଭିତରକୁ ହିଡେନ୍ କ୍ୟାମେରା ନେଇ ପୋଲିସ ହାତରେ ଧରାପଡ଼ିଛନ୍ତି । ସିଂହଦ୍ଵାର ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ସହ କ୍ୟାମେରା ଓ ତାଙ୍କ ମୋବାଇଲ ଫୋନ୍ ଜବତ କରିଛି । ଅଟକ ଯୁବକ ଜଣକ ପୁରୀ ଗଜପତି ନଗରର ଅଭିସିତ୍ କର ବୋଲି ଜଣାପଡିଛି । ତେବେ ତାଙ୍କ ସହ କେଉଁ ସେବକ ଯାଇଥିଲା ସେନେଇ ସିଂହଦ୍ଵାର ଥାନା ପୋଲିସ ତଦନ୍ତ କରୁଛି ।
ତେବେ ଏହି ଯୁବକ ଜଣକ ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ ଫଟୋ ଓ ଭିଡିଓ ହିଡେନ୍ କ୍ୟାମେରା ମାଧ୍ୟମରେ କଏଦ କରିଥିବା ସନ୍ଦେହ କରାଯାଉଛି । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରାଯାଉଛି । ଚଷମାରେ ଲାଗିଥିବା ଲେନ୍ସରୁ ଫଟୋ ଓ ଭିଡିଓ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର କରିପାରେ ଏହି କ୍ୟାମେରା ।
ତେବେ ବେହରଣ ଦ୍ଵାର ନିକଟରେ ପୋଲିସ ସନ୍ଦେହ କରିବାରୁ ସମ୍ପୃକ୍ତ ଯୁବକକୁ ପୋଲିସ ଧରି ସିଂହଦ୍ଵାର ଥାନାକୁ ନେଇଥିଲା। ସେପଟେ ଶ୍ରୀମନ୍ଦିର ଚାରି ଦ୍ଵାରରେ କଡ଼ା ସୁରକ୍ଷା ଏବଂ ଚେକିଂ ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ଏହି ଯୁବକ ଜଣକ କ୍ୟାମେରା ଓ ମୋବାଇଲ ଫୋନ୍ ନେବାକୁ କିଭଳି ସାହାସ କଲେ ତାକୁ ନେଇ ଏବେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
You Can Read:
ଭିଜିଲାନ୍ସ ଜାଲରେ R&B ଡିଭିଜନ୍ ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ