ପରଦାକୁ ଆସିବ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଅନନ୍ତ ଯୋଶୀ

Published By : Prameya-News7 Bureau | March 28, 2025 IST

ମୁମ୍ଵାଇ ୨୮।୦୩; ପରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍‌ । ଫିଲ୍ମର ଟାଇଟଲ୍‌ ‘ଅଜେୟ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ ଅଫ୍‌ ଏ ଯୋଗୀ’ । ବୁଧବାର ଏହାର ଫାର୍ଷ୍ଟଲୁକ୍‌ ରିଲିଜ୍‌ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍‌ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଋତୁ ମେଙ୍ଗୀ । ରବିନ୍ଦ୍ର ଗୌତମ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଶାନ୍ତନୁ ଗୁପ୍ତାଙ୍କ ପୁସ୍ତକ ‘ଦ ମଙ୍କ୍‌ ହୁ ବିକେମ୍‌ ଚିଫ୍‌ ମିନିଷ୍ଟର୍‌’ ଦ୍ୱାରା ପ୍ରେରିତ ।

ଫାର୍ଷ୍ଟଲୁକ୍‌ ଭିଡିଓରେ ଯୋଗୀଙ୍କ ଜୀବନରେ ପରିବର୍ତ୍ତନର ଏକ ଝଲକ୍‌ ରହିଛି, ଯାହା ତାଙ୍କ ଆଧ୍ୟାତ୍ମିକ ଓ ରାଜନୈତିକ ମାର୍ଗକୁ ଆକାର ଦେଉଥିବା ନିଷ୍ପତ୍ତିକୁ ଦର୍ଶାଇଛି। ଫିଲ୍ମରେ ଯୋଗୀଙ୍କ ପ୍ରାରମ୍ଭିକ ବର୍ଷ, ନାଥପନ୍ଥୀ ଯୋଗୀ ହେବାର ନିଷ୍ପତ୍ତି ଏବଂ ଉତ୍ତରପ୍ରଦେଶର ସାମାଜିକ-ରାଜନୈତିକ ପରିଦୃଶ୍ୟକୁ ବଦଳାଉଥିବା ଜଣେ ନେତା ରୂପରେ ତାଙ୍କର ବିକାଶ ପ୍ରଦର୍ଶିତ ହେବ । ନାଟକ, ଭାବପ୍ରବଣତା, ଆକ୍ସନ୍‌ ଓ ବଳିଦାନର ସୁନ୍ଦର ମିଶ୍ରଣ ଫିଲ୍ମରେ ଦେଖିବାକୁ ମିଳିବ । ଯୋଗୀଙ୍କ ପିଲାଦିନଠୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତର ସଂଘର୍ଷ ଏଥିରେ ରହିଛି ।

ଫିଲ୍ମରେ ଯୋଗୀଙ୍କ ଭୂମିକା ନିର୍ବାହ କରିଛନ୍ତି ଅନନ୍ତ ଯୋଶୀ । ପରେଶ ରାୱଲ ଗୁରୁ ମହନ୍ତ ଅବେଦ୍ୟନାଥ ଭୂମିକାରେ ନଜର ଆସିବେ । ଏହି ବର୍ଷ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲମ୍‌ ଭାଷାରେ ଫିଲ୍ମଟି ମୁକ୍ତିଲାଭ କରିବ । ତେବେ ଏହାର ରିଲିଜ୍‌ ତାରିଖ ଘୋଷଣା ହୋଇନାହିଁ । ଫିଲ୍ମର ମୋସନ୍‌ ପୋଷ୍ଟର୍‌ରେ ଅନନ୍ତ ଯୋଶୀଙ୍କୁ ଗେରୁଆ ବସ୍ତ୍ରରେ ଦେଖିବାକୁ ମିଳିଛି, ଯିଏକି ସାଂସାରିକ ଜୀବନ ତ୍ୟାଗକରି ସେବା ଓ ସଂକଳ୍ପ ନେଇଛନ୍ତି । ପ୍ରଚ୍ଛଦରେ ପରେଶ ରାୱଲଙ୍କ କଣ୍ଠରେ ଶୁଣିବାକୁ ମିଳୁଛି ‘ସେ କିଛି ଚାହୁଁନଥିଲା, ସମସ୍ତେ ତାକୁ ଚାହୁଁଥିଲେ । ଜନତା ତାକୁ ସରକାର ବନେଇଦେଲେ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.