ନୂଆଦିଲ୍ଲୀ: ଶନିବାର ସାରା ବିଶ୍ୱରେ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟପାଇଁ ଯୋଗ। ଏହି ଅବସରରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୋଗ ଏକ ଶକ୍ତିଶାଳୀ ଅସ୍ତ୍ର। ବିଶ୍ୱବ୍ୟାପୀ ଅସ୍ଥିରତା ମଧ୍ୟରେ ମାନବତାକୁ ଟିକେ ନିଶ୍ୱାସ୍ ମାରିବାକୁ, ସନ୍ତୁଳନ ରକ୍ଷା କରିବାକୁ ଯୋଗ ଗୋଟେ ପଜ୍ ବଟନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ ଗତ ଦଶନ୍ଧିରେ ସାରା ବିଶ୍ୱରେ ଯୋଗର ସଫଳ ଯାତ୍ରା ବିଷୟରେ ଉଲ୍ଲେଖ କରିଥିଲେ। ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଥିଲେ ଯେତେବେଳେ ଭାରତ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ମାନ୍ୟତା ଦେବା ପାଇଁ ମିଳିତ ଜାତିସଂଘ ସାଧାରଣ ସଭାରେ ପ୍ରସ୍ତାବ ଦେଇଥିଲା। ବହୁତ କମ୍ ସମୟ ମଧ୍ୟରେ ୧୭୫ଟି ଦେଶ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିବା ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି “ଆଜିର ଦୁନିଆରେ ଏପରି ସମର୍ଥନ ମିଳିବା ସାଧାରଣ କଥା ନୁହେଁ। ଏହା କେବଳ ଏକ ପ୍ରସ୍ତାବକୁ ସମର୍ଥନ ନଥିଲା, ଏହା ମାନବତାର ମଙ୍ଗଳ ପାଇଁ ବିଶ୍ୱର ଏକ ସାମୂହିକ ପ୍ରୟାସ ଥିଲା। ହେଲେ ଦୁର୍ଭାଗ୍ୟର କଥା ଯେ ଆଜି ସାରା ବିଶ୍ୱ କୌଣସି ନା କୌଣସି ସମସ୍ୟା ଦେଇ ଗତି କରୁଛି। ଅନେକ ସ୍ଥାନରେ ଅଶାନ୍ତି ଏବଂ ଅସ୍ଥିରତା ବଢ଼ୁଛି। ଏପରି ପରିସ୍ଥିତିରେ, ଯୋଗ ଆମକୁ ଶାନ୍ତି ପାଇଁ ଦିଗଦର୍ଶନ ଦିଏ। ମାନବଜାତିକୁ ଶାନ୍ତିରେ ନିଶ୍ୱାସ ମାରିବା, ସନ୍ତୁଳନ ବଜାଇ ରଖିବା ଓ ମନକୁ ସ୍ଥିର ରଖିବା ପାଇଁ ଯୋଗ ହେଉଛି ଏକ ପଜ୍ ବଟନ। ଆସନ୍ତୁ ଏହି ଯୋଗ ଦିବସକୁ ମାନବତା ପାଇଁ ଓମ୍ କୋଜିବାକୁ ଯୋଗକୁ ପ୍ରାରମ୍ଭିକ ମାଧ୍ୟମ ଭାବରେ ନେବା, ଯେଉଁଠାରେ ଆନ୍ତରିକ ଶାନ୍ତି ସମଗ୍ର ଶାନ୍ତିର ମାର୍ଗ ହୋଇଯିବ।”
ସେ ଆହୁରି କହିଛନ୍ତି “ଆଜି, ୧୧ ବର୍ଷ ପରେ, ଆମେ ଦେଖୁଛୁ ଯେ ଯୋଗ ବିଶ୍ୱର କୋଟି କୋଟି ଲୋକଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଛି। ଯେତେବେଳେ ମୁଁ ଦେଖେ ଯେ ଆମର ଦିବ୍ୟାଙ୍ଗ ବନ୍ଧୁମାନେ ଯୋଗ ଶାସ୍ତ୍ର ପଢ଼ନ୍ତି, ବୈଜ୍ଞାନିକମାନେ ମହାକାଶରେ ଯୋଗ କରୁଛନ୍ତି ସେତେବେଳେ ମୁଁ ଗର୍ବିତ ଅନୁଭବ କରେ।”
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବିଶ୍ୱରେ ଯୋଗର ପ୍ରସାର ପାଇଁ, ଭାରତ ଆଧୁନିକ ଗବେଷଣା ମାଧ୍ୟମରେ ଯୋଗ ବିଜ୍ଞାନକୁ ଆହୁରି ମଜବୁତ କରୁଛି। ଦେଶର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନଗୁଡ଼ିକ ଯୋଗ ଉପରେ ଗବେଷଣାରେ ନିୟୋଜିତ ଅଛନ୍ତି। ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଯୋଗର ବୈଜ୍ଞାନିକ ଦିଗକୁ ସ୍ଥାନ ଦେବା ଆମର ପ୍ରୟାସ। ଆସନ୍ତୁ ଆମେ ସମସ୍ତେ ମିଶି ଯୋଗକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବା। ଏକ ଏମିତି ଆନ୍ଦୋଳନ ଯାହା ବିଶ୍ୱକୁ ଶାନ୍ତି, ସ୍ୱାସ୍ଥ୍ୟ ଏବଂ ସମନ୍ୱୟ ଆଡକୁ ନେଇଯିବ। ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଯୋଗ ସହିତ ଦିନ ଆରମ୍ଭ କରିବେ ଏବଂ ଜୀବନରେ ସନ୍ତୁଳନ ପାଇବେ। ଯେଉଁଠାରେ ପ୍ରତ୍ୟେକ ସମାଜ ଯୋଗ ସହିତ ଜଡିତ ଏବଂ ଚାପମୁକ୍ତ ହେବ। ଯେଉଁଠାରେ ଯୋଗ ମାନବଜାତିକୁ ଏକତ୍ର ବାନ୍ଧିବାର ଏକ ମାଧ୍ୟମ ହେବ ଏବଂ ଯେଉଁଠି 'ଏକ ପୃଥିବୀ ଏକ ଯୋଗ, ଏକ ସ୍ୱାସ୍ଥ୍ୟ' ଏକ ବିଶ୍ୱ ସଂକଳ୍ପ ହୋଇଯିବ।
ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ମାନବତା ପାଇଁ ଯୋଗକୁ ଆପଣାଇବାକୁ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଥିଲେ। ଯେଉଁଠି ଯୋଗ କେବଳ ବ୍ୟକ୍ତିଗତ ଅଭ୍ୟାସ ନୁହେଁ ବରଂ ବିଶ୍ୱ ସମନ୍ୱୟ ଓ ଏକତା ପାଇଁ ଏକ ଶକ୍ତିଶାଳୀ ଉପରକରଣ ବୋଲି ହୋଇପାରିବ। ଯେତେବେଳେ ଜଣେ ବ୍ୟକ୍ତି ନିଜ ସ୍ୱାର୍ଥଠାରୁ ଉର୍ଦ୍ଧ୍ୱରେ ସମାଜ ବିଷୟରେ ଚିନ୍ତା କରେ, ସେତେବେଳେ ସମଗ୍ର ମାନବଜାତିର ଲାଭ ହୁଏ। ଭାରତୀୟ ସଂସ୍କୃତି ଆମକୁ ଶିଖାଏ - ସର୍ବେ ଭବନ୍ତୁ ସୁଖିନଃ, ଯାହାର ଅର୍ଥ ହେଉଛି ସମସ୍ତଙ୍କର କଲ୍ୟାଣ ମୋର କର୍ତ୍ତବ୍ୟ। ମୁଁ ରୁ ଆମେ ଯାତ୍ରା ହେଉଛି ସେବା, ସମର୍ପଣ ଏବଂ ସହ-ଅସ୍ତିତ୍ୱର ଆଧାର।