ସିମୁଳିଆ ୧୬/୦୫: ଯାତ୍ରା ମାଲିକ ଓ କଳାକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଦୈନିକ ରୋଚକ ପୂର୍ଣ୍ଣ ଘଟଣା ଓ ଅଭିଯୋଗ ସାମ୍ନାକୁ ଆସୁଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ ରାଜଧାନୀ ଯାତ୍ରା ପାର୍ଟି ଗତ ୪ ଦିନ ଧରି ଯାତ୍ରାପାର୍ଟି ପଡ଼ିଥିବା ବେଳେ ଏହି ପାର୍ଟିର କଳାକାରଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନଥିବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି ।
ଏଭଳି ଅଭିଯୋଗ ଆଣିଛନ୍ତି ରାଜଧାନୀ ଅପେରାର ଚର୍ଚ୍ଚିତ ଖଳନାୟକ ମଣ୍ଟୁ । ଯାତ୍ରା ଅପେରା ମାଲିକ ପବିତ୍ର ପାତ୍ରଙ୍କ ନାଁରେ ଗୁରୁବାର ରାତିରେ ସିମୁଳିଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଉଲ୍ଲେଖ ରହିଛି ଯେ, ମାଲିକ ତାଙ୍କୁ ଚଳିତ ବର୍ଷ ତିନି ମାସର ଦରମା ୧ ଲକ୍ଷ ୬୫ ହଜାର ଟଙ୍କା ବାକି ରଖିଛନ୍ତି ଏବଂ ଏ ସମ୍ପର୍କରେ ପବିତ୍ର ବାବୁଙ୍କୁ ଫୋନ କରିବା ପରେ ବି ସେ ଫୋନ ଉଠାଉ ନଥିବାର କହିଛନ୍ତି ।
ପୂର୍ବରୁ ମଧ୍ୟ ପ୍ରାପ୍ୟ ବାକି ରହିଛି କିନ୍ତୁ, ବାବୁ ସବୁ ଟଙ୍କା ଦେଇଦେଇଛନ୍ତି ବୋଲି ମିଥ୍ୟା କଥା କହି ତାଙ୍କୁ ଭଣ୍ଡାଉଥିବାର କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ କହିଛନ୍ତି ଖଳନାୟକ ମଣ୍ଟୁ । ଶେଷରେ ସେ ନିରାଶ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ବାବୁ ତାଙ୍କର ପ୍ରାପ୍ୟ ଦେଇ ଦିଅନ୍ତୁ ବୋଲି ସେ ହାତ ଯୋଡ଼ି ନେହୁରା ହୋଇଛନ୍ତି । କେବଳ ମଣ୍ଟୁ ନୁହନ୍ତି ତାଙ୍କ ପରି ଅନେକ କଳାକାର ମାଲିକ ପବିତ୍ରଙ୍କ ନାଁରେ ଏକାଧିକ ଅଭିଯୋଗ ଆଣୁଛନ୍ତି ।
ଯାତ୍ରା କଳାକାରମାନେ ଯାତ୍ରା ପେଣ୍ଡାଲରେ କଠିନ ପରିଶ୍ରମ କରି ମାଲିକଙ୍କୁ ଭଲ ରୋଜଗାର ଦେଉଥିବା ବେଳେ ମାଲିକମାନେ କାହିଁକି କଳାକାରମାନଙ୍କୁ ଦରମା ଦେଉନାହାନ୍ତି ? ଏ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଥାନା ଆଇଆଇସି ଶ୍ରବଣ କୁମାର ମହାରଣା ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ୱ ସହକାରେ ତଦନ୍ତ କରୁଛନ୍ତି । ଅନ୍ୟପଟେ ଏ ପର୍ଯ୍ୟନ୍ତ ଯାତ୍ରା ମାଲିକ ପବିତ୍ର ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।