WTC FIGHT: ବିଜୟ ଦ୍ୱାର ଦେଶରେ ଦକ୍ଷିଣ ଆଫ୍ରିକା, ମାରକମଙ୍କ ଲଢୁଆ ଶତକ, ଫେଲ୍ ମାରିଲେ କଙ୍ଗାରୁ

Published By : Prameya-News7 Bureau | June 14, 2025 IST

ଲଣ୍ଡନ,୧୩/୦୬: ଦୀର୍ଘ ୨୭ ବର୍ଷ  ଧରି ଏକ ଆଇସିସି ଟ୍ରଫି ଅପେକ୍ଷାରେ ରହିଥିବା ଦକ୍ଷିଣ ଆଫ୍ରିକାର ସ୍ୱପ୍ନ ସଫଳ ହେବାକୁ ବାକି ରହିଛି ଆଉ ମାତ୍ର ୬୯ରନ ।  ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଟାଇଟଲ । ଏଥର ‘ଚୋକର’ ନାମ ହଟିବ ଓ ଯୋଡ଼ି ହେବ ‘ଚାମ୍ପିଅନ୍‌’ ଟାଇଟଲ । ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡ୍‌ରେ ଇତିହାସ ରଚିବାକୁ ଯାଉଛି ଦକ୍ଷିଣ ଆଫ୍ରିକା । 

ଡିଫେଣ୍ଡିଂ ଚାମ୍ପିଅନ୍‌  ଅଷ୍ଟ୍ରେଲିଆ ବିପକ୍ଷରେ ତେମ୍ବା ବଭୁମାଙ୍କ ଯୁବ ଦଳ ଦମ୍‌ଦାର ପ୍ରଦର୍ଶନ କରି ବିଜୟ ଦ୍ୱାରରେ ଉପନୀତ ହୋଇଛି । ୨୮୨ ରନ୍‌  ବିଜୟ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୨୧୩  ରନ ସଂଗ୍ରହ କରି ନେଇଛି । ଶେଷ ୨ ଦିନରେ  ଦଳକୁ ବିଜୟ ପାଇଁ ୬୯ ରନ ଆବଶ୍ୟକ  ହେଉଥିବାବେଳେ ହାତରେ ରହିଛି ୮ଟି ୱିକେଟ୍‌ । 

ଶୁକ୍ରବାର ଅଷ୍ଟ୍ରେଲିଆକୁ ୨୦୭ ରନ୍‌ରେ ଅଲ୍‌ ଆଉଟ୍‌ କରିବା ପରେ ଦକ୍ଷିଣ ଆଫ୍ରିକା ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଆଡେନ ମାରକ୍ରମ ଓ ବଭୁମା ଖେଳିଥିଲେ କ୍ୟାରିୟର୍‌ର ଶ୍ରେଷ୍ଠ ଇନିଂସ । ଉଭୟ ଅସମାପ୍ତ ତୃତୀୟ  ୱିକେଟ୍‌ରେ ୧୪୩ ରନ୍‌ର ଭାଗିଦାରୀ ଗଠନ  କରିଥିଲେ । ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବୋଲିଂ ବିଭାଗକୁ ସାହସର ସହ ସାମ୍ନା କରି ମାରକ୍ରମ  ଅଷ୍ଟମ ଟେଷ୍ଟ ଶତକ ଅର୍ଜନ କରିଥିଲେ । 

ତୃତୀୟ ଦିବସରେ ଅଷ୍ଟ୍ରେଲିଆ ଅସମାପ୍ତ  ଦ୍ୱିତୀୟ ଇନିଂସ ୮/୧୪୪ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ମିଚେଲ ଷ୍ଟାର୍କ ଓ ନାଥାନ ଲାୟନ ଆଉ ମାତ୍ର  ୪ ରନ ଯୋଗ କରିଥିଲେ । ରାବାଡ଼ା ୪୩ତମ ଓଭର ବୋଲିଂ କରିବାକୁ ଆସି ଲାୟନ୍‌ (୨)ଙ୍କୁ ଆଉଟ୍‌ କରିଥିଲେ । ଡିଫେଣ୍ଡିଂ ଚାମ୍ପିଅନ୍‌ ଦଳ  ୧୫୦ ଛୁଇଁବା ନେଇ ଆଶଙ୍କା ଦେଖା ଦେଇଥିଲା । ମାତ୍ର ଜୋସ ହାଜେଲଉଡ୍‌ ଅପରାଜିତ ଷ୍ଟାର୍କଙ୍କ ସହ ମିଶି ଲଢୁଆ ବ୍ୟାଟିଂ କରିଥିଲେ ।   

ଉଭୟ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାହସର  ସହ ମୁକାବିଲା କରିଥିଲେ ଓ ଧିରେ ଧିରେ ଦଳୀୟ ସ୍କୋରକୁ ଆଗେଇ ନେଇଥିଲା । ଏକ ସମୟରେ ଦକ୍ଷିଣ  ଆଫ୍ରିକା ମନୋବଳ  ହରାଇ ବସିଥିଲା । ଉଭୟ ୧୩୪ଟି ବଲ୍‌  ଖେଳି ୫୯ ରନ୍‌ର ଭାଗିଦାରୀ ଗଠନ  କରିବା ଫଳରେ ଦଳୀୟ ସ୍କୋର ୨୦୭ରେ  ପହଞ୍ଚିଥିଲା । ଆଡେନ ମାରକ୍ରମ ଶେଷ  ୱିକେଟ୍‌ ନେଇଥିଲେ। ହାଜେଲଉଡ୍‌ ୧୭  ରନ କରି ଆଉଟ୍‌ ହୋଇଥିଲେ । ଷ୍ଟାର୍କ  ୫୮ ରନ କରି ଅପରାଜିତ ରହିଥିଲେ । 

ପୂର୍ବରୁ ଲର୍ଡ୍ସରେ ମାତ୍ର ୨ଥର ୨୮୨ରୁ  ଅଧିକ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି  କୌଣସି ଦଳ ବିଜୟୀ ହୋଇଥିଲେ । ୧୯୮୪ରେ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୩୪୨ ରନ୍‌ର ବିଜୟ  ଲକ୍ଷ୍ୟ ଜବାବରେ ୱେଷ୍ଟ ଇଣ୍ଡିଜ ୧ ୱିକେଟ୍‌  ହରାଇ ବିଜୟ ହାସଲ କରିଥିଲା । ସେହିପରି ୨୦୦୪ରେ ନ୍ୟୁଜିଲାଣ୍ଡର ୨୮୨ ରନ୍‌ ଟାର୍ଗେଟ୍‌କୁ  ଇଂଲଣ୍ଡ ୩ ୱିକେଟ୍‌ ହରାଇ ହାସଲ କରିଥିଲା ।  

ସର୍ବଦା ବଡ଼ ମ୍ୟାଚ୍‌ରେ ଚାପର ବଶବର୍ତ୍ତୀ  ହୋଇ ହାରିବାରେ ରେକର୍ଡ କରିଥିବା ଦକ୍ଷିଣ  ଆଫ୍ରିକା ଏହି ମ୍ୟାଚ ଜିତିବ ବୋଲି ସହଜରେ ଅନୁମାନ କରିହେଉ ନଥିଲା । ହାତରେ  ଅଢ଼େଇ ଦିନ ଥିବାରୁ ସତର୍କତାର ସହ  ବ୍ୟାଟିଂ କରି ୱିକେଟ୍‌ ବଞ୍ଚାଇବା ଥିଲା ଉପଯୁକ୍ତ  ରଣନୀତି । ଅଷ୍ଟ୍ରେଲିଆ ମଧ୍ୟ ପ୍ରସ୍ତୁତ ଥିଲା। ର‌୍ୟାନ ରିକେଲଟନ (୬)ଙ୍କୁ ଆଉଟ୍‌ କରିଥିଲେ ମିଚେଲ ଷ୍ଟାର୍କ । 

ଅନ୍ୟ ଓପନର ମାରକ୍ରମଙ୍କ ସହ  ୱିଆନ ମୁଲ୍ଡର ଯୋଗ ଦେଇ ସ୍ଥିତି ସୁଧାରିଥିଲେ । ଉଭୟ ୬୧ ରନ୍‌ର ଭାଗିଦାରୀ ଗଠନ କରି  ଦଳୀୟ ସ୍କୋରକୁ ୭୦ରେ ପହଞ୍ଚାଇଥିଲେ ।  ମୁଲ୍ଡର ୨୭ ରନ କରିଥିବାବେଳେ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତେମ୍ବା ବଭୁମା କ୍ରିଜକୁ ଓହ୍ଲାଇବା ପରେ ବାଜି  ପଲଟିଥିଲା । ଅବଶ୍ୟ ବଭୁମା  ୨ ରନ କରିଥିବାବେଳେ  ଏକ ଜୀବନଦାନ ପାଇଥିଲେ ।  

ସ୍ଲିପ୍‌ରେ ଷ୍ଟିଭେନ ସ୍ମିଥ୍‌ ତାଙ୍କ  କ୍ୟାଚ ଛାଡ଼ିଥିଲେ । ଏହାପରେ ବଭୁମା ଅଟକି ନଥିଲେ । ମାରକ୍ରମ ମଧ୍ୟ ଗୋଟିଏ ପାଶ୍ୱର୍ ସମ୍ଭାଳିଥିଲେ । ଅଷ୍ଟ୍ରେଲିଆ ବୋଲର ଆଉ  ଯୋଡି ଭାଙ୍ଗିପାରି ନଥିଲେ । ଉଭୟ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ  ନେଇଥିଲେ । ଅଧିନାୟକ କମିନ୍ସ ୬ଜଣ  ବୋଲରଙ୍କୁ ନିୟୋଜିତ କରିଥିଲେ । ହେଲେ  କିଛି ଫଳ ମିଳି ନଥିଲା । ମାରକ୍ରମ ଶତକ ଓ  ବଭୁମା ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ  ସ୍କୋରକୁ ୨୧୩ରେ ପହଞ୍ଚାଇ ଦେଇଥିଲେ ।

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.