WTC Final: ଦ୍ୱିତୀୟ ଦିନରେ ବି ଅଷ୍ଟ୍ରେଲିଆର ଦବ୍‌ଦବା, ୧୫୧ ରନରେ ଭାରତର ଆଧା ଟିମ୍ ଆଉଟ୍

Published By : Prameya-News7 Bureau | June 08, 2023 IST

ଓଭାଲ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଦ ଓଭାଲରେ ଆଇସିସି ଟେଷ୍ଟ ୱାର୍ଲଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମୁକାବିଲା ଖେଳାଯାଉଛି । ଟାଇଟଲ ମୁକାବିଲାରେ ଅଷ୍ଟ୍ରେଲିଆ ମଜଭୁତ ସ୍ଥିତିରେ ରହିଛି । ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ୪୬୯ ରନ୍ କରିଥିଲା । ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଟିମ୍ ଅଲଆଉଟ୍ ହେବା ପୂର୍ବରୁ ସ୍କୋର ବୋର୍ଡରେ ବିଶାଳ ରନ ଛିଡା କରିଥିଲା । ଏହାର ଜବାବରେ ଭାରତ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ଅଧା ଟିମକୁ ପାଭିଲିୟନ ପଠାଇ ସାରିଛନ୍ତି ଅଷ୍ଟ୍ରେଲିଆ ବୋଲର । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ ୩୮ ଓଭରରେ ୫ ୱିକେଟରେ ୧୫୧ ରନ କରିଛି । ଭାରତ ଏବେ ଅଷ୍ଟ୍ରେଲିଆଠାରୁ ୩୧୮ ରନ ପଛରେ ରହିଛି ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଜବାବରେ ଭାରତର ଦୁଇ ଓପନର ରୋହିତ୍ ଏବଂ ଗିଲ୍ ମୈଦାନକୁ ଓହ୍ଲାଇଥିଲେ । କିନ୍ତୁ ଶୀଘ୍ର ଆଉଟ୍ ହୋଇ ଫେରି ଆସିଥିଲେ । ଟିମ୍ ଇଣ୍ଡିଆ ୩୦ ରନରେ ଦୁଇଟି ୱିକେଟ୍ ହରାଇ ସାରିଥିଲା । ଟିମର ୫୦ ରନରେ ଚେତେଶ୍ୱର ପୂଜାରା(୧୪)ଙ୍କ ରୂପେ ଟିମ୍ ଇଣ୍ଡିଆ ତୃତୀୟ ୱିକେଟ୍ ହରାଇଥିଲା । ଟିମର ୭୧ ରନରେ ଆଉଟ୍ ହୋଇଥିଲେ ବିରାଟ କୋହିଲ (୧୪) । ଏହାପରେ ୧୪୨ ରନରେ ଭାରତକୁ ପଞ୍ଚମ ଝଟକା ଲାଗିଥିଲା । ନାଥାନ ଲିୟନଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ ରବିନ୍ଦ୍ର ଜାଡେଜା (୪୮) ।

ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଦିନରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ପ୍ରଥମ ଦିନ ଖେଳ ଶେଷ ବେଳକୁ ଦଳ ୮୫ ଓଭର ଖେଳି ୩ ୱିକେଟ୍ ହରାଇ ୩୨୭ ରନ କରିଥିଲା । ଟ୍ରାଭିସ ହେଡ୍ ୧୪୬ ରନ ଏବଂ ଉପଅଧିନାୟକ ଷ୍ଟିଭ ସ୍ମଥ୍ ୯୫ ରନ କରି ଅପରାଜିତ ଫେରିଥିଲେ । ଅଷ୍ଟ୍ରେଲିଆର ଦୁଇ ବ୍ୟାଟର ଦ୍ୱିତୀୟ ଦିନରେ ଆଧା ଛାଡିଯାଇଥିବା ନିଜ ଖେଳରୁ ଆରମ୍ଭ କରିଥିଲେ । ଟ୍ରାଭିସ ହେଡ ୧୭୪ ବଲରେ ୧୬୩ ରନ କରି ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ଷ୍ଟିଭ୍ ସ୍ମିଥ୍ ମଧ୍ୟ ନିଜ କ୍ୟାରିୟରର ୩୧ତମ ଶତକ ହାସଲ କରିଥିଲେ । ସ୍ମିଥଙ୍କୁ ୧୨୧ ରନରେ ଶାର୍ଦୁଲ ଠାକୁର କ୍ଲିନ୍ ବୋଲ୍ଡ କରି ପାଭିଲିୟନ ପଠାଇଥିଲେ ।

ପଢନ୍ତୁ:WTC FINAL : ପ୍ରଥମ ଇନିଂସରେ ୪୬୯ ରନ୍ କଲା ଅଷ୍ଟ୍ରେଲିଆ, ହେଡ୍-ସ୍ମିଥ୍‌ଙ୍କ ଶତକ

ପ୍ରଥମ ଇନିଂସରେ ଭାରତୀୟ ବୋଲର ବେଶ ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ । ଯେଉଁଥି ପାଇଁ ଅଷ୍ଟ୍ରେଲିଆ ଟିମ୍ ଏତେ ବଡ଼ ସ୍କୋର ଠିଆ କରାଇ ପାରିଲା । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ୍ ହାସଲ କରିଥିଲେ । ମହମ୍ମଦ ଶାମି ୨, ଶାର୍ଦୁଲ ଠାକୁର ୨ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.