WTC FINAL : ପ୍ରଥମ ଇନିଂସରେ ୪୬୯ ରନ୍ କଲା ଅଷ୍ଟ୍ରେଲିଆ, ହେଡ୍-ସ୍ମିଥ୍‌ଙ୍କ ଶତକ

Published By : Prameya-News7 Bureau | June 08, 2023 IST

ଓଭାଲ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ର ଫାଇନାଲ ମୁକାବିଲା ଲଣ୍ଡନର ଓଭାଲରେ ଖେଳାଯାଉଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ବିଶାଳ ସ୍କୋର ଠିଆ କରିଛି । କଙ୍ଗାରୁ ଟିମ୍ ୧୨୧.୩ ଓଭରରେ ୪୬୯ ରନରେ ଅଲଆଉଟ୍ ହୋଇଛି । ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ଏବଂ ଷ୍ଟିଭ୍ ସ୍ମିଥ୍ ଶତକୀୟ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ୍ ହାସଲ କରିଛନ୍ତି ।

ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ଦିନରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିଲା । ପ୍ରଥମ ଦିନ ଖେଳ ଶେଷ ବେଳକୁ ଦଳ ୮୫ ଓଭର ଖେଳି ୩ ୱିକେଟ୍ ହରାଇ ୩୨୭ ରନ କରିଥିଲା । ଟ୍ରାଭିସ ହେଡ୍ ୧୪୬ ରନ ଏବଂ ଉପଅଧିନାୟକ ଷ୍ଟିଭ ସ୍ମଥ୍ ୯୫ ରନ କରି ଅପରାଜିତ ଫେରିଥିଲେ । ଅଷ୍ଟ୍ରେଲିଆର ଦୁଇ ବ୍ୟାଟର ଦ୍ୱିତୀୟ ଦିନରେ ଛାଡିଯାଇଥିବା ନିଜ ଖେଳରୁ ଆରମ୍ଭ କରିଥିଲେ । ଟ୍ରାଭିସ ହେଡ ୧୭୪ ବଲରେ ୧୬୩ ରନ କରି ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ । ଏହାପରେ ଷ୍ଟିଭ୍ ସ୍ମିଥ୍ ମଧ୍ୟ ନିଜ କ୍ୟାରିୟରର ୩୧ତମ ଶତକ ହାସଲ କରିଥିଲେ । ସ୍ମଥଙ୍କୁ ୧୨୧ ରନରେ ଶାର୍ଦୁଲ ଠାକୁର କ୍ଲିନ ବୋଲ୍ଡ କରି ପାଭିଲିୟନ ପଠାଇଥିଲେ ।

ପ୍ରଥମ ଇନିଂସରେ ଭାରତୀୟ ବୋଲର ବେଶ ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ । ଯେଉଁଥି ପାଇଁ ଅଷ୍ଟ୍ରେଲିଆ ଟିମ୍ ଏତେ ବଡ଼ ସ୍କୋର ଠିଆ କରାଇ ପାରିଲା । ଭାରତ ପାଇଁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ୍ ହାସଲ କରିଥିଲେ । ମହମ୍ମଦ ଶାମି ୨, ଶାର୍ଦୁଲ ଠାକୁର ୨ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

Also Read:ଲଗାତାର ଚୌକା ମାଡ଼ ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ସିରାଜ, ସ୍ମିଥ୍‌ଙ୍କ ଆଡକୁ ଫିଙ୍ଗିଲେ ବଲ, ରାଗିଲେ ଦର୍ଶକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.