ଘଟଗାଁ: କେନ୍ଦୁଝର- ଆନନ୍ଦପୁର ୱାଇଲ୍ଡ ଲାଇଫ ଡିଭିଜନ ସୀମାନ୍ତରେ ବୁଲୁଥିବା ଆହତ ହାତୀର ମୃତ୍ୟୁ ହୋଇଛି। ମୁଷଳ ନଦୀ ନିକଟରେ ଚିକିତ୍ସାଧୀନ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ ଘଟିଛି। ହାତୀଟି ୨୦ ଦିନ ତଳେ ତୀରମାଡ଼ ଶିକାର ହୋଇ ଏଣେତେଣେ ବୁଲୁଥିଲା। ଖବର ପାଇ ବନବିଭାଗ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଆରମ୍ଭ କରିଥିଲେବି ସୋମବାର ହାତୀଟିର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ୨୦ ଦିନ ପୂର୍ବେ ଦନ୍ତାଟିକୁ ତୀର ମାଡ଼ ହୋଇଥିଲା। ତୀରମାଡ଼ରେ ଆହତ ହାତୀଟି ଏଣେତେଣେ ବୁଲୁଥିଲା। ଫଳରେ ବନବିଭାଗ ପାଇଁ ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ବେଶ୍ କାଠିକର ପାଠ ହୋଇପଡ଼ିଥିଲା। ଆଉ ଅନେକ ପରିଶ୍ରମ ପରେ ରବିବାର ହାତୀକୁ କେନ୍ଦୁଝର - ଆନନ୍ଦପୁର ୱାଇଲ୍ଡ ଲାଇଫ ଡିଭିଜନ ସୀମାନ୍ତ ମୁଷଳ ନଦୀ ନିକଟରେ ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲା। ମାତ୍ର ସୋମବାର ହାତୀଟିର ମୃତ୍ୟୁ ଘଟିଛି।
ଦନ୍ତାହାତୀ କ୍ଷତ ସ୍ଥାନରୁ ୬ ଇଞ୍ଚର ତୀର ବାହାର କରାଯାଇଛି। ହାତୀକୁ ଦାନ୍ତ ଉଦ୍ଦେଶ୍ୟରେ ତୀର ମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ହାତୀଟିର ବୟସ ଆନୁମାନିକ ୨୦ ବର୍ଷ ହେବ ବୋଲି ସୂଚନା ମିଳିଛି।