ଭୁବନେଶ୍ୱର ୦୩/୦୬: ଟ୍ରିଂ..ଟ୍ରିଂ...ଟ୍ରିଂ.. । ଶବ୍ଦ ବାଜିଲେ ଲାଗେ କିଏଛି । ସେ କୁନି ପିଲାର କୁନି ଶୂନଗାଡି ହେଉ ବା କଲେଜ ଛାତ୍ରୀର ସାଥୀ । ପିଲାଠୁ ବୁଢା ଲୋଡାପଡେ ସାଇକେଲର । ପିଲାଟି ଯେତେବେଳେ ବଡ ହୁଏ ତାର ପ୍ରଥମ ସାଥୀ ପାଲଟିଯାଏ ଏହି ଶୂନଗାଡି । ବାରମ୍ୱାର ପଡିଯାଏ ପୁଣି ଉଠିକି ଚଲାଏ । ବେଳେବେଳେ ଉଠିକି ପୁଣି ଗୋଟେ ଝୁଙ୍କରେ ଚଲେଇ ଶିଖିଛି।
କେବଳ କୁନି ପିଲା ଏହି ବାହନ କଲେଜ ଜୀବନରେ ବି ଲୋଡାପଡେ । ପକ୍ଷୀରାଜ ଘୋଡାଟିଏ ପରି । ପୁଅ ହେଉ ବା ଝିଅ ଅନେକଙ୍କ ପ୍ରଥମ ପ୍ରେମର ମୂକ ସାକ୍ଷୀ ସେ । ଦିନ ଥିଲା ସାଇକଲକୁ ସଂଭ୍ରାନ୍ତଙ୍କ ବାହାନ ବୋଲି କୁହାଯାଉଥିଲା । ସରକାରୀ ବିଭାଗରେ କାମ କରୁଥିବା ଡାକ ପିଅନ, ସ୍କୁଲ ଶିକ୍ଷକମାନେ ୧୪ ଇଞ୍ଚରୁ ନେଇ ୨୨ ଇଞ୍ଚିଆ ଘୋଡ଼ା ସାଇକଲ ଚଲାଉଥିଲେ । ରାତିରେ ରାସ୍ତା ଦିଶିବା ପାଇଁ ସାଇକଲ ଆଗରେ ଡାଇନାମା ଲଗାଯାଉଥିଲା ।
ସାଇକେଲର ରିଙ୍ଗ୍ ବାଜିଲେ କେହି ଜଣେ ଘରକୁ ଆସିଲା ବୋଲି ଭାବିନିଆଯାଉଥିଲା । ଝିଅ ବିବାହ ହେଲେ ଜ୍ୱାଇଁକୁ ଯୌତୁକରେ ସାଇକଲ ଦିଆଯାଉଥିଲା । ଏପରିକି ରାସ୍ତାରେ ସାଇକଲ ଚଲାଇବା ପାଇଁ ଟିକସ ଦେବାକୁ ପଡ଼ୁଥିଲା । ଏବେ ସମୟ ବଦଳିଛି । ଯୁଗ ସହ ତାଳ ଦେଇ ବଦଳିଯାଇଛି ସାଇକଲ । ଆଉ ଘୋଡ଼ା ସାଇକଲ ନୁହେଁ ରାସ୍ତାରେ ଗଡ଼ୁଛି ବିଭିନ୍ନ ଡିଜାଇନ୍ର ଷ୍ଟାଇଲିସ୍ ବାଇସାଇକଲ । ରାଜଧାନୀ ଭୁବନେଶ୍ୱରରେ ଏବେ ଚାରି ପ୍ରକାରର ସାଇକଲ ଚାଲୁଛି । ସେଥିମଧ୍ୟରେ ସିଟି ବାଇକ ସାଇକଲ, ମାଉଣ୍ଟେନ ବାଇକ ସାଇକଲ, ରୋଡ୍ ବାଇକ୍ ସାଇକଲ ସହ ବିଦ୍ୟୁତ ଓ ବ୍ୟାଟେରୀ ଚାଳିତ ଇ-ସାଇକଲ ରହିଛି ।
ପୂର୍ବରୁ ସାଇକଲର ଦର ୪ରୁ ୭ହଜାର ମଧ୍ୟରେ ଥିବା ବେଳେ ଏବେ ୧୦ହଜାରରୁ ନେଇ ୫ଲକ୍ଷ ପର୍ଯ୍ୟନ୍ତ ଦର ବିଶିଷ୍ଟ ସାଇକଲ ବିକ୍ରି ହେଉଛି । ସାଇକଲରେ ଗିଅର ରହୁଛି । କିଏ ଫିଟ୍ନେସ୍ ତ କିଏ ଆକର୍ଷଣୀୟ ଦିଶିବା ପାଇଁ ସାଇକଲକୁ ଫ୍ୟାସନର୍ ଏକ ଅଂଶଭାବେ ଗ୍ରହଣ କରିଛନ୍ତି । ସିଟି ବାଇକ୍ ସାଇକଲ କେବଳ ସହର ଭିତରେ ଚାଲିବ । ଏହାର ଦର ୧୦ ହଜାରରୁ ଆରମ୍ଭ କରି ୨୦ହଜାର ପର୍ଯ୍ୟନ୍ତ ରହିଛି । ରୋଡ୍ ବାଇକ୍ ସାଇକଲକୁ ଲୋକେ ଦୂରଦୂରାନ୍ତରକୁ ଭ୍ରମଣରେ ନେଉଛନ୍ତି । ଏହାର ଦର ୫୦ହଜାରରୁ ଆରମ୍ଭ ହେଉଛି । ମାଉଣ୍ଟେନ ସାଇକଲ ସବୁ ରାସ୍ତାରେ ଚାଲିପାରୁଛି ।
ଏହି ସାଇକଲର ଦର ୧୦ହଜାରରୁ ନେଇ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଛି । ଇ-ସାଇକଲକୁ ଅଫିସ ଓ କର୍ମକ୍ଷେତ୍ର ପାଇଁ ବ୍ୟବହାର କରାଯାଉଛି । ଏଥିରେ ପେଡାଲ ସହ ଅଟୋମେଟିକ୍ ଷ୍ଟାର୍ଟିଂ ବ୍ୟବସ୍ଥା ମଧ୍ୟ ରହିଛି । ଡାଇନାମା ବଦଳରେ ଏଲଇଡି ଏହି ସାଇକଲରେ ଲାଗୁଛି । ସାଇକଲ ଚଲାଉଥିବା ବ୍ୟକ୍ତି ମୁଣ୍ଡରେ ହେଲମେଟ୍ ମଧ୍ୟ ପିନ୍ଧୁଛନ୍ତି । ତେବେ ଆଉ ଇଞ୍ଚ ନୁହେଁ, ସେଣ୍ଟିମିଟରରେ ସାଇକଲର ଉଚ୍ଚତା ମପାଯାଉଛି । ଆଜି ହୁଏତ ଯୁଗ ବଦଳିଛି କିନ୍ତୁ କମିନି ସାଇକେଲର ଲୋକପ୍ରିୟତା ।