ଭାଷା ନାଁରେ ଗୁଣ୍ଡାଗିରିକୁ ଗ୍ରହଣ କରାଯିବନି, ଦୋକାନୀଙ୍କୁ ମାଡ଼ ଘଟଣାରେ ମୁଖ୍ୟମନ୍ତ୍ରୀ ଫଡଣବିସଙ୍କ ବଡ଼ ବୟାନ

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମରାଠୀ ଭାଷା ନକହିବାରୁ ଜଣେ ଦୋକାନୀଙ୍କୁ ଏମ୍‌ଏନ୍‌ଏସ୍ କର୍ମୀ ମାଡ଼ ମାରିଥିଲେ । ଏବେ ଏହି ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ଏମ୍‌ଏନ୍‌ଏସ୍ କର୍ମୀଙ୍କ ଦ୍ୱାରା ଦୋକାନୀଙ୍କୁ ମାଡ଼ ଘାଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମରାଠୀର ସମ୍ମାନ କରାଯିବା ଦରକାର, କିନ୍ତୁ ମରାଠୀ ନାଁରେ ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ମୁମ୍ୱାଇ ନିକଟ ମୀରା ରୋଡ୍ ସ୍ଥିତ ଫୁଡ୍ ଷ୍ଟଲ୍ ଚଲାଉଥିବା ଜଣେ ୪୮ ବର୍ଷୀୟ ଦୋକାନୀ ବାବୁଲାଲ ଚୌଧୁରୀଙ୍କ ଉପରେ ରାଜ ଠାକରେଙ୍କ ଦଳର କର୍ମୀ ମାଡ଼ ମାରିଥିଲେ । ମରାଠୀ ନକହିଲେ ଦୋକାନ କରାଇ ଦେବେନି ବୋଲି ସେମାନେ ଚେତାବନୀ ଦେଇଥିଲେ । ଦୋକାନୀ ଏହାକୁ ବିରୋଧ କରି, ମହାରାଷ୍ଟ୍ରରେ ସବୁ ଭାଷା କୁହାଯାଏ ବୋଲି କହିଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଏମ୍‌ଏନ୍‌ଏସ୍ କର୍ମୀ ଦୋକାନୀଙ୍କୁ ଚାପୁଡ଼ା ମାରିଥିଲେ । 

ରାଜ ଠାକରେଙ୍କ ପାର୍ଟି ଏମ୍‌ଏନ୍‌ଏସ୍ ଏହି ମାମଲାରେ ନିଜ କର୍ମୀଙ୍କ ମାଡ଼କୁ ସମର୍ଥନ କରିଛି । ଦଳ ଦାବି କରିଛି ଯେ ଦୋକାନୀ ଜଣକ ମରାଠୀ ଭାଷାର ଅପମାନ କରିବା କାରଣରୁ କାର୍ଯ୍ୟକର୍ତ୍ତା ସେଭଳି ପଦକ୍ଷେପ ନେଇଥିଲେ । ଅନ୍ୟପଟେ ଏହି ଘଟଣାକୁ ମହାରାଷ୍ଟ୍ରର ଗୃହ ରାଷ୍ଟ୍ର ମନ୍ତ୍ରୀ ଯୋଗେଶ କଦମ ପରୋକ୍ଷରେ ସମର୍ଥନ କରିଥିଲେ । ସେ କହିଥିଲେ ଯେ ମରାଠୀ ଭାଷାର ଅପମାନ କରିଥିବା ଯେକୌଣସି ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ସ୍ପଷ୍ଟ କରିଛନ୍ତି ଯେ ମରାଠୀ ନାଁରେ ଗୁଣ୍ଡାଗିରି ଗ୍ରହଣ କରାଯିବ ନାହିଁ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.