ଭଦ୍ରକ ୧/୩: ବାଜୁଛି ମୃଦଙ୍ଗ, ଝାଞ୍ଜ ଓ ଖଞ୍ଜଣି । ମନ୍ତ୍ରଧ୍ବନିରେ କଂପୁଛି ଜିଲ୍ଲାପାଳଙ୍କ ଅଫିସ ପରିସର। ଆପଣ ଭାବୁଥିବେ ଅଫିସରେ କୌଣସି ପୂଜାର୍ଚ୍ଚନା ପାଇଁ ଏସବୁ ଆୟୋଜନ କରାଯାଇଛି । କିନ୍ତୁ ନାଁ ଏ କୌଣସି ଆଧ୍ୟାତ୍ମିକ ସଭା କିମ୍ବା ଶୋଭାଯାତ୍ରା ନୁହେଁ । ସହର ମଧ୍ୟରେ ଠାକୁରଙ୍କ ନାଁରେ ମଦ ବାର ଖୋଲିବାକୁ ନେଇ ଚାଲିଛି ନିଆରା ପ୍ରତିବାଦ । ମଦ ବାର୍କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣିଙ୍କ ମାଟି ଭଦ୍ରକ । ଏବେ ଜିଲ୍ଲାକୁ ମାଆ ଭଦ୍ରକାଳୀ ଭରସା । କାରଣ ସହରରେ ସମସ୍ତ ବ୍ୟବସ୍ଥା ଯେମିତି ଭୁଶୁଡ଼ି ପଡ଼ିଛି । ନିଶାଡିଙ୍କ ପ୍ରାର୍ଦୁଭାବ ବଢୁଥିବାବେଳେ ଦୋକାନ ପାଖରେ ମଦ ପିଉଥିବା କିଛି ଲୋକଙ୍କୁ ଉଠାଇଆଣି କେବଳ ବାଃ ବାଃ ନେଉଛି ପୋଲିସ । ଭଦ୍ରକ ସହର ମଧ୍ୟରେ ଅନେକ ବାର ଓ ମଦ ଦୋକାନ ରହିଛି । କିନ୍ତୁ ସରକାରଙ୍କ ନିୟମ କହୁଛି ବିଦ୍ୟାଳୟ, ମନ୍ଦିର ନିକଟରେ ମଦ ଦୋକାନ ଖୋଲାଯିବା ବେଆଇନ । ଏମିତିକି କୌଣସି ଦେବା ଦେବୀଙ୍କ ନାଁରେ ମଦ ବାର ବା ଦୋକାନ ଖୋଲିବାକୁ ମନା ହୋଇଛି । ଏ ସଂପର୍କରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ରାଜ୍ୟ ସରକାର ମଧ୍ୟ ଚିଠି ମାଧ୍ୟମରେ ସବୁ ଜିଲ୍ଲାର ଅବକାରୀ ଆରକ୍ଷୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ହେଲେ ଭଦ୍ରକରେ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି ।
ସହରର ଶନିମନ୍ଦିର ଟ୍ରାଫିକ ଛକରେ ଠାକୁରଙ୍କ ନାଁରେ ମଦ ବାର୍ ଖୋଲିବା ନିଷ୍ପତ୍ତିକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ସ୍ଥାନୀୟ କିଛି ଲୋକ ଲୋକ ନିଆରା ଢଙ୍ଗରେ ବାରକୁ ବିରୋଧ କରିବାକୁ ଆସି ମୃଦଙ୍ଗ, ଝାଞ୍ଜ ମହାମନ୍ତ୍ର ରେ କୀର୍ତ୍ତନ କରି ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ କାହିଁକି ବେଆଇନ ଭାବରେ ଗଢି ଉଠୁଛି ମଦ ବାର । ସରକାରଙ୍କ ଅବକାରୀ ବିଭାଗର ଚିଠି ପରେ ମଧ୍ୟ କେମିତି ମିଳୁଛି ଲାଇସେନ୍ସ ।