ଅହମଦାବାଦ ୧୩।୬: ଗୁଜରାଟ ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ନିହତ ବିଜୟ ରୂପାନୀଙ୍କ ପାର୍ଥିବ ଶରୀରକୁ ଶୁକ୍ରବାର ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଡିଏନଏ ଆଧାରରେ ଶବ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ହସ୍ତାନ୍ତରଣ କରିଛନ୍ତି। ବିଜୟ ରୂପାନୀଙ୍କ ପତ୍ନୀ ଅଞ୍ଜଳୀ ରୂପାନୀ ନିଜେ ସ୍ୱାମୀଙ୍କ ପାର୍ଥୀବ ଶରୀର ନେବାକୁ ପହଞ୍ଚିଥିଲେ। ଖବର ଆସୁଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି ରାଜକୋଟରେ ଅନୁଷ୍ଠିତ ହେବ। ଏଣୁ ତାଙ୍କ ପାର୍ଥୀବ ଶରୀରକୁ ରାଜକୋଟ ନିଆଯାଇଛି।
ବିଜୟ ରୂପାନୀ ଲଣ୍ଡନରେ ଝିଅକୁ ଭେଟିବା ପାଇଁ ଯାଉଥିଲେ ଏଣୁ ଏହି ହତଭାଗ୍ୟ ବିମାନରେ ବସିଥିଲେ। ବିମାନ ଉଡାଣ କରିବାର ମାତ୍ର ୩୦ ସେକେଣ୍ଡ ପରେ ଦୁର୍ଘଟଣାର ଶିକାର ହୋଇଯାଇଥିଲା। ଏହି ବିମାନ ଦୁର୍ଘଟଣାରେ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୪୧ ଜଣ ବିମାନଯାତ୍ରୀ ମଧ୍ୟ ଅଛନ୍ତି। ବିଜୟ ରୂପାନୀଙ୍କ ଅସମୟ ମୃତ୍ୟୁ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି।
ଗୁଜରାଟ ବିଜେପି ସଭାପତି ସି.ଆର.ପାଟିଲ ରୂପାନୀଙ୍କ ମୃତ୍ୟୁରେ ଶୋକ ଓ ଦୁଃଖ ବ୍ୟକ୍ତ କରିଛନ୍ତି। ଏହି ଦୁର୍ଘଟଣା ଖବର ଆସିବା ପରଠାରୁ ବିଜୟ ରୂପାନୀଙ୍କ ଘରେ ଲୋକଙ୍କ ଭିଡ ଲାଗି ରହିଛି। ବିଜୟ ରୂପାନୀଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନୁଷ୍ଠିତ ହେବ। ସରକାରଙ୍କ ପ୍ରୋଟକଲ ଅନୁସାରେ ତାଙ୍କର ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହେବ। ସେହି ଅନୁସାରେ ରୂପାନୀଙ୍କ ପାର୍ଥିବ ଶରୀରକୁ ଜାତୀୟ ପତାକାରେ ଢଙ୍କା ଯିବା ସହ ଗନ ସାଲ୍ୟୁଟ ମଧ୍ୟ ଦିଆଯିବ। ଏହି ଅନ୍ତ୍ୟେଷ୍ଟିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ପାରନ୍ତି।