ନୂଆଦିଲ୍ଲୀ: ରୁଷଠାରୁ ତେଲ କିଣିବାକୁ ନେଇ ଭାରତ ଉପରେ ଟାରିଫ୍ ଲଗାଇବ ବୋଲି ଆମେରିକା ଧମକ ଦେଉଛି । ଟ୍ରମ୍ପ ଧମକକୁ ନୂଆଦିଲ୍ଲୀ ଜୋରଦାର ବିରୋଧ କରିବା ସହ ନିଜ ଅଭିମୁଖ୍ୟକୁ ସ୍ପଷ୍ଟ କରିଛି । ଭାରତ ନିଜ ହିତ ରକ୍ଷା ପାଇଁ ରୁଷର ବାଣିଜ୍ୟିକ ଅଂଶୀଦାର ହେବ ବୋଲି ଏକ ପ୍ରକାର ସୂଚାଇ ଦେଇଛି । ଏହାରି ଭିତରେ ଭାରତରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟୀଙ୍କ ଏକ ପୁରୁଣା ଟିପ୍ପଣୀ ଭାଇରାଲ୍ ହେବାରେ ଲାଗିଛି । ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ବର୍ତ୍ତମାନ ବୟାନଠାରୁ ପୂରା ଓଲଟା ରହିଛି ।
ଏକ ସାକ୍ଷାତକାରର ଭିଡିଓରେ ଗାର୍ସେଟୀ ସ୍ୱୀକାର କରିଛନ୍ତି ଯେ ବିଶ୍ୱ ଉର୍ଜା ବଜାରରେ ମୂଲ୍ୟକୁ ସ୍ଥିର ରଖିବା ପାଇଁ ୱାଶିଂଟନ ହିଁ ଭାରତକୁ ମସ୍କୋଠାରୁ ଏକ ନିଶ୍ଚିତ ମୂଲ୍ୟ ସୀମାରେ ତେଲ କିଣିବା ପାଇଁ ପ୍ରୋତ୍ସାହିତ କରିଥିଲା । ଗାର୍ସେଟୀ ୨୦୨୪ରେ ଏକ ସମ୍ମିଳନୀରେ ଏହି ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ ଭାରତ ପଦକ୍ଷେପ ଆମେରିକାର ନୀତିର ଅଂଶ ଅଟେ ।
Throwback: Garcetti Claimed India Did What it Was Told & Bought Russian Oil
— RT_India (@RT_India_news) August 5, 2025
The former US ambassador to India mustering all his neo-colonial powers to suggest America ORDERED India to start buying Russian oil.
How does that look right now? 👀😂 https://t.co/HSc0KVBTh7 pic.twitter.com/hhsFIS9A4X
ସମ୍ମିଳନୀରେ ସେ କହିଥିଲେ, ସେମାନେ (ଭାରତ) ରୁଷ ତେଲ ଏଥିପାଇଁ କିଣୁଛନ୍ତି କାରଣ ଆମେ ଚାହୁଁଛୁ କୌଣସି ବ୍ୟକ୍ତି ଏକ ନିଶ୍ଚିତ ମୂଲ୍ୟ ସୀମାରେ ରୁଷ ତେଲ କିଣନ୍ତୁ । ଏହା କୌଣସି ଉଲ୍ଲଂଘନ କିମ୍ୱା ଏପରି କିଛି କଥା ନାହିଁ । ଏହା ପ୍ରକୃତରେ ନୀତିର ଡିଜାଇନ୍ ଥିଲା, କାରଣ ଏକ ବସ୍ତୁ ରୂପେ ଆମେ ଚାହୁଁ ନାହୁଁ ଯେ ତେଲର ମୂଲ୍ୟ ବଢୁ ଓ ଭାରତ ଏହାକୁ ପୂରଣ କରିଛି ।
ଏହି ଭିଡିଓ ଭାଇରାଲ୍ ହେବା ପରେ ଲୋକେ ପ୍ରଶ୍ନ କରୁଛନ୍ତି, ୟୁକ୍ରେନ ଯୁଦ୍ଧ ଆରମ୍ଭରେ ରୁଷଠାରୁ ଭାରତ ତେଲ କିଣିବା ବେଳେ ତାହା ଆମେରିକାର ନୀତିର ଅଂଶ ଥିଲା, ଏବେ କାହିଁକି ଟ୍ରମ୍ପ ଅଭିଯୋଗ କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୋମବାର ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ, 'ଭାରତ, ରୁଷଠାରୁ ବିପୁଳ ମାତ୍ରାରେ କେବଳ ତେଲ କିଣୁନାହିଁ ବରଂ ସେହି ତେଲର ଏକ ବଡ଼ ଅଂଶକୁ ଖୋଲା ବଜାରରେ ଉଚ୍ଚ ମୂଲ୍ୟରେ ବିକ୍ରି କରି ଅଧିକ ଲାଭ ପାଉଛି । ରୁଷର ଆକ୍ରମଣ ଯୋଗୁ ୟୁକ୍ରେନରେ କେତେ ଲୋକଙ୍କ ଜୀବନ ଯାଉଛି, ସେହି କଥାରେ ଭାରତକୁ କୌଣସି ଫରକ ପଡ଼ୁ ନାହିଁ । ଏହି କାରଣରୁ ଭାରତରୁ ଆମେରିକାକୁ ଦିଆଯାଉଥିବା ଶୁଳ୍କକୁ ବଢାଇବାକୁ ଯାଉଛି ।‘