ମହାକାଶରେ ହେବାକୁ ଯାଉଛି ମହାଯୁଦ୍ଧ, ଚୀନ୍-ଋଷର କିଲର ସାଟେଲାଇଟ୍ ନେଇ ଚିନ୍ତା

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ ୦୪/୦୮: ବିଶ୍ୱ ଦେଖିବ ମହାକାଶରେ ସାଟେଲାଇଟ୍ ଓ୍ୱାର୍ । ମହାକାଶ ପ୍ରତିରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଛି ଜାପାନ । ଦାବି ହେଉଛି କି, ଚୀନ୍ ଓ ଋଷ ବିକଶିତ କରୁଛନ୍ତି କିଲର ସାଟେଲାଇଟ । ଯାହା ଅନ୍ୟ ଦେଶର ଉପଗ୍ରହକୁ ନିଷ୍କ୍ରିୟ କରିବ ବୋଲି ଅଭିଯୋଗ । ଜାପାନ ଆହୁରି ଦାବି କରିଛି, ଆତ୍ମରକ୍ଷା ବାହିନୀ ଓ ଘରୋଇ କମ୍ପାନୀଗୁଡ଼ିକ ମିଳିତ ଭାବେ ଉପଗ୍ରହଗୁଡ଼ିକର ସୁରକ୍ଷା ବୃଦ୍ଧି କରିବା ଉଚିତ। ଆହୁରି ବି ଜାପାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣକୁ ଚିହ୍ନଟ କରିବାର ଯୋଜନା କରୁଛି । ଉପଗ୍ରହ ଯୋଗାଯୋଗକୁ ସୁରକ୍ଷିତ କରିବା ଓ ଅନ୍ୟ ଦେଶର ଯୋଗାଯୋଗକୁ ଜାମ୍ କରିବା କ୍ଷମତା ବିକଶିତ କରିବାକୁ ଚାହୁଁଛି ଜାପାନ ।

ଜାପାନର ଦାବିକୁ ନେଇ ଭଡକିଛି ଚୀନ୍ । ଚୀନ କହିବା କଥା ଏହା ମିଥ୍ୟା ପ୍ରଚାର । ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଝାଙ୍ଗ ସିଆଗାଙ୍ଗ କହିଛନ୍ତି ଜାପାନର ଦାବି ଭିତ୍ତିହୀନ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ମଧ୍ୟ କହିଛନ୍ତି ବିପଦର ଦ୍ୱାହି ଦେଇ ସାମରିକ ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛି ଜାପାନ । ଯାହା କି ସମ୍ପୂର୍ଣ୍ଣ ଭୁଲ। ଅନେକ ଉପଗ୍ରହ ନଷ୍ଟ କରିବାରେ ସହାୟକ କିଲର ସାଟେଲାଇଟ୍ । ଉପଗ୍ରହର ଡିଜାଇନି ବି ହୋଇଛି ସେମିତି । ଜାପାନ ଦାବି କରୁଛି ଯେ ଚୀନ୍ ଓ ଋଷ ଏପରି ଉପଗ୍ରହ ଉପରେ କାମ କରୁଛନ୍ତି ଯାହା ମହାକାଶରେ ଅନ୍ୟ ଦେଶର ଉପଗ୍ରହକୁ ଟାର୍ଗେଟ କରିପାରିବ। ଯଦି ଗୋଟଏ ଉପଗ୍ରହ ଅନ୍ୟ ଉପଗ୍ରହ ପାଖକୁ ଯାଇ ତାହାକୁ କ୍ଷତି ପହଞ୍ଚାଏ କିମ୍ବା ଏହାର ଯୋଗାଯୋଗ ବିଚ୍ଛିନ୍ନ କରେ । ତେବେ ଏହାକୁ କୁହାଯାଏ କିଲର ସାଟେଲାଇଟ୍ ।


ଚୀନ୍ ବିଶେଷଜ୍ଞ ଫୁ କ୍ୱିଆନସାଓ କହିଛନ୍ତି ଯେ ଚୀନ୍‌ର ମହାକାଶ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ। ଉପଗ୍ରହ ମରାମତି କିମ୍ବା ଇନ୍ଧନ ଭର୍ତ୍ତି କରିବା ଭଳି ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି ଦେଶ । ଯାହା ପାଇଁ ଉପଗ୍ରହଗୁଡ଼ିକୁ ପରସ୍ପରର ନିକଟତର କରିବା ଆବଶ୍ୟକ। ଏହି ପ୍ରଯୁକ୍ତିବିଦ୍ୟା କାହାକୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ । ବରଂ ସାଟେଲାଇଟ୍‌ର ଜୀବନ ଓ ଏହାର ଆର୍ଥିକ ମୂଲ୍ୟ ବୃଦ୍ଧି କରିବା ପାଇଁ ଉଦ୍ଦିଷ୍ଟ। ଫୁଙ୍କ କହିବା ଅନୁସାରେ, ଜାପାନ ଏହି ସାଧାରଣ ବୈଜ୍ଞାନିକ କାର୍ଯ୍ୟକଳାପକୁ ଭୁଲ ଭାବରେ "ଘାତକ ସାଟେଲାଇଟ୍" କହୁଛି। ଚୀନ୍‌ ଏହା ମଧ୍ୟ କହିଛି ଯେ ଜାପାନ୍ ତା'ର ଇତିହାସରୁ କିଛି ଶିକ୍ଷା ନେଉନି । 

ଜାପାନ ବିଗତ ବର୍ଷଗୁଡ଼ିକରେ ତାର ସାମରିକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି। ଏହା ପ୍ରତିବର୍ଷ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରୁଛି । ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଙ୍କ ସହ ସାମରିକ ସହଯୋଗକୁ ଗଭୀର କରୁଛି। ଜାପାନ, ଆମେରିକା ଓ ପଶ୍ଚିମ ଦେଶମାନେ ମଧ୍ୟ ମହାକାଶରେ ସାମରିକ ସହଯୋଗ ବୃଦ୍ଧି କରୁଛନ୍ତି। ଜାପାନ କହିଛି ଯେ ଏହା ନିଜର ପ୍ରତିରକ୍ଷା ପାଇଁ କରୁଛି । କିନ୍ତୁ ପଡ଼ୋଶୀ ଦେଶମାନେ ଅନୁଭବ କରୁଛନ୍ତି ଯେ, ଜାପାନ ସାମରିକବାଦର ପୁନଃଉତ୍ଥାନର ସଙ୍କେତ ହୋଇପାରେ। 

ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ଉପଗ୍ରହଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପ୍ରଯୁକ୍ତିବିଦ୍ୟା ବିକାଶ କରିବ । କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଚିହ୍ନଟ କରିବାର କ୍ଷମତା ବୃଦ୍ଧି କରିବ। ଏହା ଅନ୍ୟ ଦେଶର ଯୋଗାଯୋଗକୁ ଜାମ୍ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଉପରେ ମଧ୍ୟ କାର୍ଯ୍ୟ କରିବ। ଜାପାନର ଆତ୍ମରକ୍ଷା ବାହିନୀ ଏବଂ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯିବ।

କହିବାକୁ ଭାରତ ମଧ୍ୟ ମହାକାଶରେ ଏକ ଶକ୍ତିଶାଳୀ ଖେଳାଳି। ଏହା ଏହାର ଉପଗ୍ରହ ଏବଂ ମହାକାଶ କାର୍ଯ୍ୟକ୍ରମ ବିକାଶ କରିଚାଲିଛି। ଜାପାନ ଓ ଭାରତ ମଧ୍ୟରେ ପ୍ରତିରକ୍ଷା-ମହାକାଶ ସହଯୋଗ ବୃଦ୍ଧି ପାଉଛି । କିନ୍ତୁ ଚୀନ୍ ସହିତ ଭାରତର ଉତ୍ତେଜନାପୂର୍ଣ୍ଣ ସମ୍ପର୍କକୁ ଦୃଷ୍ଟିରେ ରଖି, ଭାରତକୁ ଏହି କ୍ଷେତ୍ରରେ ସତର୍କ ରହିବାକୁ ପଡିବ। ଯଦି ମହାକାଶରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୁଏ । ତେବେ ଏହା ଭାରତ ଭଳି ଦେଶ ପାଇଁ ବି ଚ୍ୟାଲେଞ୍ଜ ହେବ ଏହା ନିସନ୍ଦେହ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.