ଇମ୍ଫାଲ: ଶନିବାରଠୁ ମଣିପୁରରେ ପୁଣି ହିଂସା ଆରମ୍ଭ ହୋଇଛି। ମୈତେଇ ସମୁଦାୟର ଜଣେ ବଡ଼ ନେତାଙ୍କ ଗିରଫଦାରୀ ପରଠୁ ଏହି ବିକ୍ଷୋଭ ଆରମ୍ଭ ହୋଇଛି। ଏମିତିରେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଇମ୍ଫାଲର ୫ଟି ଜିଲ୍ଲାରେ ପ୍ରତିବନ୍ଧକ ଲାଗୁ କରିଛି। ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ, ସିବିଆଇ ଶନିବାର ମୈତେଇ ସଶସ୍ତ୍ର ମିଲିଶିୟା ଗୋଷ୍ଠୀ ଅରମବାଈ ଟୋଙ୍ଗଲର ସଦସ୍ୟ କାନନ ସିଂହଙ୍କୁ ଗିରଫ କରିଥିଲା। ଯାହା ପରଠୁ ଏହି ହିଂସା ଆରମ୍ଭ ହୋଇଛି। ସିବିଆଇ ପକ୍ଷରୁ କୁହାଯାଇଛି କାନନ ସିଂହଙ୍କର ୨୦୨୩ରେ ମଣିପୁର ହିଂସାରେ ସଂପୃକ୍ତି ଥିଲା। ଏଥିପାଇଁ ତାଙ୍କୁ ଇମ୍ଫାଲ ଏୟାରପୋର୍ଟରୁ ଗିରଫ କରାଯାଇଥିଲା।
ହେଲେ ଗିରଫକୁ ବିରୋଦ କରି ବିକ୍ଷୋଭକାରୀ ଇମ୍ଫାଲ ବିମାନ ବନ୍ଦରର ପ୍ରବେଶ ଦ୍ବାରକୁ ଘେରିବା ସହ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଏକ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।ଯେପରି ଅଧିକାରୀମାନେ କାନନ ସିଂହଙ୍କୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିନପାରିବେ। ଅବଶ୍ୟ ସିବିଆଇ ତାଙ୍କୁ ଗିରଫ କରି ଗୌହାଟି ନିଆଯାଇଛି। ତାଙ୍କୁ ପୋଲିସ ରିମାଣ୍ଡ ପାଇଁ ଅଦାଲତରେ ହାଜର କରାଯିବ।
ଜଣେ ପୋଲିସ ଅଧିକାରୀ କହିଛନ୍ତି ‘‘ଅରମବାଈ ଟୋଙ୍ଗଲର ଜଣେ ନେତାଙ୍କ ଗିରଫଦାରୀ ପରେ ହିଂସା ପ୍ରଦର୍ଶନ ଆରମ୍ଭ ହୋଇଛି। ପ୍ରଦର୍ଶନକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଗଣ୍ଡଗୋଳରେ ତିନି ଜଣ ଆହତ ହୋଇଛନ୍ତି। ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।’’
ସେପଟେ, ରାଜ୍ୟର ରାଜଧାନୀରେ ଅନେକ ସ୍ଥାନରେ ସୁରକ୍ଷା ବଳଙ୍କ ସହ ହାତାହାତି ହୋଇଛି। ଏଥିରେ ଇମ୍ଫାଲ ଇଷ୍ଟ୍ର ଖୁରଈ ଲାମଲୋଙ୍ଗ ଅଞ୍ଚଳରେ ଭିଡ଼ ଏକ ବସକୁ ନିଆଁ ଲଗାଇଦେଇଛନ୍ତି। ରାଜଭବନଠାରୁ ମାତ୍ର ୨୦୦ ମିଟର ଦୂରରେ କଙ୍ଗଲା ଗେଟ ନିକଟରେ ଏକ ବଡ଼ ବିକ୍ଷୋଭ ସମୟରେ ସୁରକ୍ଷାକର୍ମୀ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ମାଡ଼କରିଛି। କ୍ବାକେଥେଲରେ ମଧ୍ୟ ଅନେକ ଗୁଳିମାଡ଼ ଶବ୍ଦ ଶୁଭିଛି। ଅବଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଗୁଳିମାଡ଼ ପାଇଁ କିଏ ଦାୟୀ ? ଏହାରି ମଧ୍ୟରେ ଅନଲାଇନରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ କଳା କପଡ଼ା ପିନ୍ଧିଥିବା କିଛି ଲୋକ ନିଜ ଉପରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଧମକ ଦେଉଥିବାର ଦେଖାଯାଉଛି।
ତେବେ ହିଂସାକୁ ଦେଖି ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ରବିବାର ବରିଷ୍ଠ ପ୍ରଶାସନିକ ଏବଂ ସୁରକ୍ଷା ଅଧିକାରୀଙ୍କ ସହ ରାଜ୍ୟରେ ସୁରକ୍ଷା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି। ବୈଠକ ସମୟରେ ରାଜ୍ୟରେ ବର୍ତ୍ତମାନର ଆଇନ ବ୍ୟବସ୍ଥା ସ୍ଥିତି ସହ ଜଡ଼ିତ ବିଭିନ୍ନ ମାମଲାରେ ବ୍ୟାପକ ଚର୍ଚ୍ଚା ଏବଂ ସମୀକ୍ଷା କରାଯାଇଛି।
ବିଧାୟକଙ୍କ ଏକ ଗ୍ରୁପ୍ ମଧ୍ୟ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ବର୍ତ୍ତମାନର ଆଇନବ୍ୟବସ୍ଥା ସହ ଅବଗତ କରାଇବା ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟପାଳ ମଧ୍ୟ ସେମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା କହିଛନ୍ତି।