ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି ଓ ଏହା ଉପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି ହୋଇଛି । ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିଶନ ନିଜ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ କରିପାରନ୍ତି । ସମ୍ୱିଧାନ ଅନୁସାରେ ଉପରାଷ୍ଟ୍ରପତିଙ୍କ ଇସ୍ତଫା, ନିଧନ କିମ୍ୱା ଅନ୍ୟ କୌଣସି କାରଣ ଯୋଗୁଁ ପଦରେ ନରହିବା ସ୍ଥିତିରେ ଶୀଘ୍ର ନିର୍ବାଚନ କରାଯିବା ଦରକାର । ଏହି କାରଣରୁ ନିର୍ବାଚନ ଆୟୋଗ ଯେକୌଣସି ସମୟରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିପାରନ୍ତି । ତେବେ ଆସନ୍ତୁ ଜାଣିବା ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ନମ୍ୱର ଗେମ୍ କଣ କହୁଛି । ଯଦି ସମୀକରଣକୁ ଦେଖିବା ତେବେ ଏନଡିଏର ପଲା ଭାରି ରହିଛି ।
ଏନଡିଏ ଏହି ନିର୍ବାଚନରେ ସହଜରେ ବିଜୟୀ ହୋଇପାରିବ, କିନ୍ତୁ ବିରୋଧୀଙ୍କୁ ନେଇ ସର୍ବସମ୍ମତିରେ ରାଜ୍ୟସଭାର ନୂଆ ଅଧ୍ୟକ୍ଷ ଚୟନ ପାଇଁ ସରକାରୀ ଦଳ ଚାହିଁବ । ତଥାପି ଯଦି ନିର୍ବାଚନ ହୁଏ, ତେବେ ଏନଡିଏ ନିଜ ପ୍ରାର୍ଥୀଙ୍କୁ ସହଜରେ ବିଜୟୀ କରାଇପାରିବ । ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ଓ ଲୋକସଭାର ସାଂସଦ ଭୋଟ ଦେଇପାରିବ । ଏହା ବ୍ୟତୀତ ରାଜ୍ୟସଭାରେ ମନୋନୀତ ସାଂସଦର ମଧ୍ୟ ଭୋଟ ଦେଇପାରିବେ । ମୋଟ ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ବସୀରହାଟ ଆସନ ଖାଲି ପଡ଼ିଛି । ଏହିପରି ଲୋକସଭାରୁ ୫୪୨ ଓ ରାଜ୍ୟସଭାରୁ ୨୪୦ ସଦସ୍ୟ ଆଜିର ସମୟରେ ମତଦାନ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭାରେ ବର୍ତ୍ତମାନ ୫ଟି ଆସନ ଖାଲି ରହିଛି ।
ବର୍ତ୍ତମାନ ଉଭୟ ଗୃହରେ ମୋଟ ୭୮୨ ସାଂସଦ ଅଛନ୍ତି । ଯଦି ସବୁ ସଦସ୍ୟ ଭୋଟ ଦିଅନ୍ତି ତେବେ ଜଣେ ପ୍ରାର୍ଥୀଙ୍କୁ ବିଜୟୀ ହେବା ପାଇଁ ୩୯୪ ସଦସ୍ୟଙ୍କ ଭୋଟ ଦରକାର ପଡ଼ିବ । ଲୋକସଭାରେ ଏନଡିଏ ପାଖରେ ମୋଟ ୨୯୩ ସଦସ୍ୟ ଅଛନ୍ତି । ଏହାଛଡ଼ା ରାଜ୍ୟସଭାରେ ବି ଏନଡିଏ ପାଖରେ ୧୨୯ ସଦସ୍ୟ ଅଛନ୍ତି । ଏହିପରି ଉଭୟ ଗୃହରେ ଏନଡିଏ ପାଖରେ ୪୨୨ ସାଂସଦ ଅଛନ୍ତି । ସମ୍ୱିଧାନର ଧାରା ୬୮(୨) ଅନୁସାରେ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଶୀଘ୍ର ହେବା ଦରକାର । ଜଗଦୀପ ଧନଖଡଙ୍କ ପୂର୍ବରୁ କେହି ଏପରି ଇସ୍ତଫା ଦେଇନଥିଲେ ।