ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଇନ୍ଦୋରର ସୋନମ ରଘୁବଂଶୀଙ୍କୁ ନେଇ ସାରା ଦେଶ ଏବେ ବି ଆଶ୍ଚର୍ଯ୍ୟ ରହିଛି । ଏବେ ଗ୍ୱାଲିୟରର ପୂଜା ଯେଉଁ କାଣ୍ଡ ଘଟାଇଛନ୍ତି, ତାହା ଶୁଣି ଲୋକେ ଆହୁରି ଆଶ୍ଚର୍ଯ୍ୟ ହୋଇଛନ୍ତି । ତିନି ବିବାହ ଓ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିବା ସହ ପୂର୍ବତନ ସ୍ୱାମୀଙ୍କୁ ଗୁଳି ମାରିବା ଓ ଶାଶୁଙ୍କ ହତ୍ୟା କରିବା ଅଭିଯୋଗ ପୂଜାଙ୍କ ବିରୋଧରେ ରହିଛି । ଅପରାଧ ସ୍ୱୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ଝାନ୍ସୀରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୂଜା ଓ ତାଙ୍କ ଭଉଣୀ ଓ ଭଉଣୀଙ୍କ ପ୍ରେମିକକୁ ଗିରଫ କରିଛି ।
ଗତ କିଛି ବର୍ଷରେ ଅନେକ ଜଘନ୍ୟ କାଣ୍ଡ ଘଟାଇଥିବା ପୂଜାର ସତ ଜୁନ୍ ୨୪ରେ ଶାଶୁଙ୍କୁ ହତ୍ୟା କରିବା ପରେ ଧରାପାଡ଼ିଥିଲା । ଝାନ୍ସୀର ତହରୋଲି ଅଞ୍ଚଳରେ ୬୦ ବର୍ଷୀୟ ସୁଶୀଲା ଦେବୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ, ଗଳା ପିଚି ହତ୍ୟା କରାଯାଇଥିଲା । ଘରେ ଥିବା ସୁନା ଗହଣା ଗାୟବ ଥିଲା । ପୋଲିସ ପ୍ରଥମେ ଏହାକୁ ଚୋରି ବେଳେ ହୋଇଥିବା ହତ୍ୟାକାଣ୍ଡ ଭାବି ତଦନ୍ତ କରିଥିଲା । କିନ୍ତୁ ପରେ ପୂରା କାହାଣୀ ବଦଳି ଯାଇଥିଲା । ପୂଜାକୁ ଜେରା କରିବା ପରେ ସବୁ ସତ ଶୁଣି ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲା ।
୨୯ ବର୍ଷୀୟ ପୂଜା ଜାଟବଙ୍କ ବିବାହ ୧୧ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ ହୋଇଥିଲା । ସେ ପ୍ରେମ ବିବାହ କରିଥିଲେ । କିଛି ବର୍ଷ ବିବାହ ଚାଲିଥିଲା । କିନ୍ତୁ ସ୍ୱାମୀଙ୍କ ଆୟ ପୂଜାର ଆବଶ୍ୟକତାକୁ ପୂରଣ କରିପାରିଲା ନାହିଁ । ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢିଲା । ଶେଷରେ ଅଭିଯୁକ୍ତ ପୂଜା ନିଜ ସ୍ୱାମୀଙ୍କ ହତ୍ୟା ପାଇଁ ସୁପାରୀ ଦେଇଥିଲେ । ସ୍ୱାମୀଙ୍କ ଉପରେ ଗୁଳିମାଡ଼ ହେଲା, କିନ୍ତୁ ସୌଭାଗ୍ୟକୁ ତାଙ୍କ ଜୀବନ ବଞ୍ଚିଗଲା । ପରେ ସେ ପୂଜା ବିରୋଧରେ କେସ୍ କରିଥିଲେ । ପୂଜା କିଛି ଦିନ ଜେଲରେ ରହିବା ପରେ ଜାମିନରେ ଆସିଥିଲେ । ପରେ ନିୟମିତ କୋର୍ଟ ଯିବା ଆସିବା କରୁଥିଲେ ।
କୋର୍ଟ ଯିବା ଆସିବା ସମୟରେ ଝାନ୍ସୀର ବାସିନ୍ଦା କଲ୍ୟାଣଙ୍କ ସହ ତାଙ୍କ ପରିଚୟ ହୋଇଥିଲା । କଲ୍ୟାଣଙ୍କ ବିରୋଧରେ ବି ଅନେକ ମାମଲା ଥିଲା । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ହୋଇଗଲା । ଜାତି ଅଲଗା ଓ ପୂଜାର ଛାଡ଼ପତ୍ର ହୋଇନଥିବାରୁ ଦୁହେଁ ବିବାହ କରିପାରି ନଥିଲେ । କିନ୍ତୁ ଲିଭ୍ ଇନ୍ ରିଲେସନଶିପରେ ରହିଥିଲେ । ଦୁହେଁ ଛଅ ବର୍ଷ ସହ ଏକାଠି ରହିଥିଲେ । କିନ୍ତୁ ପରେ କଲ୍ୟାଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଏହାପରେ ପୂଜା କଲ୍ୟାଣଙ୍କ ପରିବାର ସହ ଯୋଗାଯୋଗ କରି କଲ୍ୟାଣଙ୍କ ସହ ତାଙ୍କ ସମ୍ପର୍କ କଥା କହି ଗୁଜୁରାଣ ପାଇଁ ନିବେଦନ କରିଥିଲେ । କଲ୍ୟାଣଙ୍କ ବଡ଼ ଭାଇ ସନ୍ତୋଷ ଓ ବାପା ଅଜୟ ସିଂହ ପୂଜାଙ୍କୁ ଭରଣପୋଷଣ ପାଇଁ ରାଜି ହୋଇଥିଲେ । କିନ୍ତୁ ତାଙ୍କ ଘରେ ରହିବା ପାଇଁ ସର୍ତ୍ତ ରଖିଥିଲେ । ପୂଜା ଏହି ସର୍ତ୍ତରେ ରାଜି ହୋଇଥିଲେ ।
ପୂଜା ଝାନ୍ସୀରେ କଲ୍ୟାଣଙ୍କ ଘରେ ରହିବାକୁ ଲାଗିଲେ । କିନ୍ତୁ କିଛି ସମୟ ପରେ କଲ୍ୟାଣଙ୍କ ବଡ଼ ଭାଇଙ୍କ ତାଙ୍କ ସମ୍ପର୍କ ବଢିଥିଲା । ଧୀରେ ଧୀରେ ଦୁହିଁଙ୍କ ସମ୍ପର୍କ ଏତେ ନିବିଡ଼ ହେଲା ଯେ ପୂର୍ବରୁ ଗୋଟିଏ ସନ୍ତାନର ବାପା ଥିବା ସନ୍ତୋଷ, ପୂଜାଙ୍କୁ ଦ୍ୱିତୀୟ ବିବାହ କରିନେଲେ । କିଛି ମିଡିଆ ରିପୋର୍ଟ ଅନୁସାରେ ପୂଜାର ତାଙ୍କ ଶ୍ୱଶୁରଙ୍କ ସହ ବି ସମ୍ପର୍କ ଥିଲା । ପୂଜା ଓ ସନ୍ତୋଷଙ୍କ ଝିଅଟି ହେଲା । ତେବେ ପୂଜା କଲ୍ୟାଣ ଭାଗ ଜମି ବିକ୍ରି କରିବାକୁ ଚାହୁଁଥିଲେ । ଏଥିପାଇଁ ସନ୍ତୋଷ ଓ ଅଜୟ ରାଜି ହୋଇଥିଲେ । କିନ୍ତୁ ପୂଜାଙ୍କ ଶାଶୁ ସୁଶୀଲା ରାଜି ନଥିଲେ । ସେ ଜମି ବିକ୍ରିକୁ ବିରୋଧ କରିଥିଲେ । ଏହାପରେ ଶାଶୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ପୂଜା ପୋଲିସ ଆଗରେ ସ୍ୱୀକାର କରିଛି ଯେ ହତ୍ୟା ଷଡ଼ଯନ୍ତ୍ରରେ ତାର ଭଉଣୀ ଓ ଭଉଣୀର ପ୍ରେମିକ ସାମିଲ ଥିଲେ । ଏଥିପାଇଁ ଜମି ବିକ୍ରି ପରେ ଅଧା ଟଙ୍କାର ଦେବା ପାଇଁ ପୂଜା ଦୁହିଁଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଜୁନ୍ ୨୪ରେ ପୂଜା ନିଜ ଝିଅର ଜନ୍ମ ଦିନ ପାଳନ କରିବା ପାଇଁ ସନ୍ତୋଷ ଓ ଅଜୟଙ୍କୁ ଗ୍ୱାଲିୟର ଡାକିଥିଲେ । ସେପଟେ ପୂଜାଙ୍କ ଭଉଣୀ କାମିନୀ ଓ ତାଙ୍କ ପ୍ରେମିକ ଅନିଲ ଝାନ୍ସୀ ଯାଇ ଶାଶୁ ସୁଶୀଲାଙ୍କୁ ହତ୍ୟା କରିଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮ ଲକ୍ଷର ଗହଣା ଜବତ କରିଛି ।