ଷ୍ଟୀଲ୍ ଓ ଆଲୁମିନିୟମ ଉପରେ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଭୟବାଣୀ, ହେଲେ ଚିନ୍ତାରେ ବ୍ୟବସାୟୀ

Published By : Prameya-News7 Bureau | June 02, 2025 IST

business-standard.com

ନୂଆଦିଲ୍ଲୀ: ଷ୍ଟୀଲ ଓ ଆଲୁମିନିମୟ ଆମଦାନୀ ଉପରେ ଟାରିଫ ବୃଦ୍ଧି କରିବାକୁ ଟ୍ରମ୍ପ ସରକାର ନେଇଥିବା ନିଷ୍ପତ୍ତି ଭାରତ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ସୋମବାର କେନ୍ଦ୍ର ଷ୍ଟୀଲ ଓ ଭାରି ଉଦ୍ୟୋଗ ମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହି ଛନ୍ତି। ରୟଟର୍ସକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି “ଏଥିରେ ସାମାନ୍ୟ ପ୍ରଭାବ ପଡ଼ିବ। ଆମେ (ଆମେରିକାକୁ) ବଡ଼ ପରିମାଣରେ ରପ୍ତାନି କରୁ ନାହୁଁ।” 

ଷ୍ଟୀଲ ଓ ଆଲୁମିନିୟମ ଉପରେ ଟାରିଫ ବଢ଼ାଇବା ନେଇ ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଆମେରିକୀୟ ଶିଳ୍ପକୁ ସୁରକ୍ଷା ଦେବା ପାଇଁ ଇସ୍ପାତ ଆମଦାନୀ ଉପରେ ଶୁଳ୍କ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରାଯିବ। ଜୁନ ୪ ତାରିଖରୁ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ ତାଙ୍କ ସୋସିଆଲ୍ ମିଡିଆ ସାଇଟ୍‌ର ଟ୍ରୁଥ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲେ। 

ସୂଚନା ଥାଉକି, ଆମେରିକା ଏହାର ଅଧିକାଂଶ ଇସ୍ପାତ ମେକ୍ସିକୋ ଏବଂ କାନାଡା ପରି ପଡ଼ୋଶୀ ଦେଶଗୁଡ଼ିକ ଠାରୁ ଆରମଦାନୀ କରିଥାଏ। ସେହିପରି ଜାପାନ, ଦକ୍ଷିଣ କୋରିଆ ଏବଂ ଜର୍ମାନୀ ସମେତ ଏସିଆ ଏବଂ ୟୁରୋପର ପ୍ରମୁଖ ସହଯୋଗୀ ଦେଶଗୁଡ଼ିକ ଠାରୁ ବି ଆମଦାନୀ କରେ। ଟାରିଫ ବୃଦ୍ଧି ହେଲେ ଭାରତ ଉପରେ କମ ପ୍ରଭାବ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହୁଥିବା ବେଳେ ଭାରତର ଉଦ୍ୟୋଗୀମାନେ ସମ୍ଭାବ୍ୟ ବାଣିଜ୍ୟ ବିବର୍ତ୍ତନ(ଟ୍ରେଡ୍‌ ଡାଇଭର୍ସନ) ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏବଂ ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଆହ୍ୱାନ ଦେଇଛନ୍ତି। 

ପଢ଼ନ୍ତୁ- ଭାରତରେ କାରଖାନା ଖୋଲିବାକୁ ଟେସ୍‌ଲାର ଇଚ୍ଛା ନାହିଁ: କେନ୍ଦ୍ରମନ୍ତ୍ରୀ

ଏନେଇ ଜେଏସ୍‌ଡବ୍ଲୁ ଷ୍ଟିଲର ଯୁଗ୍ମ ଏମ୍‌ଡି ଏବଂ CEO ଜୟନ୍ତ ଆଚାର୍ଯ୍ୟ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ବିଶ୍ୱସ୍ତରୀୟ ଶୁଳ୍କ ପରିବର୍ତ୍ତନ ମଧ୍ୟରେ ଭାରତ ବାଣିଜ୍ୟ ପରିବର୍ତ୍ତନର ବିପଦ ବଢ଼ିଯାଇଛି। ବିଶେଷକରି ଏହାର ପ୍ରବଳ ଘରୋଇ ଚାହିଦା ସ୍ଥିତି ଆହୁରି ଜଟିଳ କରୁଛି। ତେଣୁ ଉଚିତ୍ ସମୟ ମଧ୍ୟରେ ସକ୍ରିୟ ଭାବରେ ଆବଶ୍ୟକୀୟ ବାଣିଜ୍ୟ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। 

ସେହିପରି, ଏଏମ୍ଏନଏସ୍ଇଣ୍ଡିଆର ନିର୍ଦ୍ଦେଶକ ଏବଂ ଉପାଧ୍ୟକ୍ଷ ରଞ୍ଜନ ଧର ଘରୋଇ ଶୀଳ୍ପ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯିବ ବୋଲି ସେ ଆସା କରିଥିଲେ। ତେବେ ଆମଦାନୀ ଉପରେ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଧର କହିଛନ୍ତି "ପ୍ରତ୍ୟେକ ଦେଶ ସେମାନଙ୍କର ଶିଳ୍ପକୁ ସୁରକ୍ଷା ଦେଉଛି। ଭାରତକୁ ମଧ୍ୟ ଏଭଳି କରିବାକୁ ପଡ଼ିବ। ତେବେ ଭାରତକୁ କମ୍ ମୂଲ୍ୟରେ ହେଉଥିବା ଆମଦାନୀ ଉପରେ ନଜର ରଖିବାକୁ ପଡ଼ିବ।" 

ବର୍ତ୍ତମାନ ଭାରତର ଇସ୍ପାତ ଶିଳ୍ପର ସ୍ଥିତି କେଉଁଠି?

ତଥ୍ୟ ଦେଖିଲେ ଆର୍ଥିକ ବର୍ଷ ୨୫ରେ, ଭାରତର ଇସ୍ପାତ ଆମଦାନୀ ୯.୨ ପ୍ରତିଶତ ବୃଦ୍ଧି ପାଇ ୧୦.୫ ନିୟୁତ ଟନ୍ ହୋଇଛି। ହେଲେ ରପ୍ତାନି ୨୭ ପ୍ରତିଶତ ହ୍ରାସ ପାଇ ୬.୩ ନିୟୁତ ଟନ୍ ହୋଇଛି। ଫଳରେ ଦେଶ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଏକ ନେଟ୍ ଆମଦାନୀକାରୀ ରାଷ୍ଟ୍ର ହୋଇଛି। ଘରୋଇ ଶିଳ୍ପକୁ ଶସ୍ତା ଆମଦାନୀରୁ ସୁରକ୍ଷା ଦେବାକୁ ସରକାର ଏପ୍ରିଲ ୨୦୨୫ରେ ଆମଦାନୀ ହେଉଥିବା ଫ୍ଲାଟ ଷ୍ଟିଲ ଉତ୍ପାଦ ଉପରେ ଏକ ଅସ୍ଥାୟୀ ସୁରକ୍ଷା ଶୁଳ୍କ ଲାଗୁ କରିଥିଲେ। ଏହାପରେ, ଚୀନ୍ ଏବଂ ଜାପାନରୁ ରପ୍ତାନୀ ହ୍ରାସ ପାଇଥିଲା। ଫଳରେଏପ୍ରିଲ୍‌ରେ ଭାରତର ପ୍ରସ୍ତୁତ ଇସ୍ପାତ ଆମଦାନୀ ବାର୍ଷିକ ୧୧.୩ ପ୍ରତିଶତ ହ୍ରାସ ପାଇ ୦.୫ ନିୟୁତ ମେଟ୍ରିକ୍ ଟନ୍ ହୋଇଥିଲା। ଏନେଇଗତ ମାସରେ ରଏଟର୍ସ ରିପୋର୍ଟ ପ୍ରକାଶ କରିଥିଲା
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.