ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ, ଯୁଦ୍ଧ ରୋକିବା ଜରୁରି; ଟ୍ରମ୍ପଙ୍କ ସହ ସାକ୍ଷାତ ପରେ କହିଲେ ଜେଲେନସ୍କି

Published By : Prameya-News7 Bureau | August 18, 2025 IST

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରୁଛନ୍ତି । ଫ୍ରାନ୍ସ, ଇଟାଲୀ, ବ୍ରିଟେନ ସମେତ ଅନ୍ୟ କିଛି ୟୁରୋପୀୟ ଦେଶର ନେତାମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ବୈଠକରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ଉପରେ ଆଲୋଚନା ହେଉଛି । 

ବୈଠକ ଆରମ୍ଭ ଠିକ୍ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଥିଲେ, ଯେ ଯୁଦ୍ଧ ବନ୍ଦ କରିବା ଜରୁରି, ସେଥିପାଇଁ ସେ ରୁଷ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଜେଲେନସ୍କି କହିଥିଲେ ଯେ ଏହା ଶେଷ ବୈଠକ ନୁହେଁ । ଭବିଷ୍ୟତରେ ମଧ୍ୟ ଏହି ପ୍ରସଙ୍ଗରେ ସକାରାତ୍ମକ ଆଲୋଚନା ହେବ । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ଏହି ବୈଠକ ପରେ ମୁଁ ପୁଟିନଙ୍କୁ ଫୋନ୍ କରିବି । ଆମର ଏକ ତ୍ରିପାକ୍ଷିକ ବୈଠକ ହୋଇପାରେ କିମ୍ବା ନ ହୋଇପାରେ ଏବଂ ଯୁଦ୍ଧ ଜାରି ରହିପାରେ। ମୁଁ ଭାବୁଛି ଯୁଦ୍ଧ ଶେଷ କରିବା ପାଇଁ ଆମ ପାଖରେ ଏକ ଭଲ ସୁଯୋଗ ଅଛି । ଏହି ବୈଠକ ଶେଷ ହେବା ପରେ ସେ ମୋ ଫୋନ୍ ପାଇଁ ଅପେକ୍ଷା କରିଛନ୍ତି ।"

ଟ୍ରମ୍ପ କହିଛନ୍ତି ଯେ ଅନେକ ଦିଗରେ ପ୍ରଗତି ହୋଇଛି । କିଛି ଦିନ ପୂର୍ବେ ଆମେ ରୁଷ ରାଷ୍ଟ୍ରପତିଙ୍କ ସହ ଏକ ଭଲ ସାକ୍ଷାତ କରିଥିଲୁ । ମୁଁ ଭାବୁଛି ଯେ ଏହି ବୈଠକରୁ କିଛି ଫଳାଫଳ ବାହାରିପାରିବ ଏବଂ ଆଜିର ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସହିତ ୟୁରୋପର ୭ ଜଣ ଅତ୍ୟନ୍ତ ଶକ୍ତିଶାଳୀ ନେତା ଅଛନ୍ତି ଏବଂ ଏହି ବୈଠକ ପରେ ଆମେ ସେମାନଙ୍କୁ ତୁରନ୍ତ ଭେଟିବାକୁ ଯାଉଛୁ ।

ଅନେକ ୟୁରୋପୀୟ ନେତା ମଧ୍ୟ ଜେଲେନସ୍କିଙ୍କ ସହ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ । ନାଟୋ ମହାସଚିବ ମାର୍କ ରୁଟ୍, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍, ବ୍ରିଟିଶ ପ୍ରଧାନମନ୍ତ୍ରୀ କାର୍ ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଫନିଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.