ପୂର୍ବତନ CJIଙ୍କ ବିରୋଧରେ ଯାଚିକା ନେଇ ସୁପ୍ରିମକୋର୍ଟରେ ଉତ୍ତେଜନା, ସୁରକ୍ଷାକର୍ମୀ ଡକାଇଲେ ବିଚାରପତି

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯାଞ୍ଚ କରିବା ଦାବିରେ ଦାଖଲ ଆବେଦନକୁ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଉତ୍ତେଜନା ଦେଖା ଦେଇଛି। ମାମଲାକୁ ନେଇ ବିଚାରପତି ଓ ଆବେଦନକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। ପରିସ୍ଥିତି ଏମିତି ଉପୁଜିଥିଲା ଯେ, ସୁରକ୍ଷାକର୍ମୀଙ୍କୁ ଡକାଇ ଆବେଦନକାରୀଙ୍କୁ କୋର୍ଟ ରୁମରୁ ବାହାର  କରିବାକୁ ବିଚାରପତିଙ୍କୁ ନିର୍ଦ୍ଦେଶ ଦେବାକୁ ପଡିଥିଲା। 

ମାମଲାର ଶୁଣାଣି ବିଚାରପତି ବେଲା ଏମ ତ୍ରିବେଦୀ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ପୀଠ କରିଛନ୍ତି। ପୀଠ ଆବେଦନକାରୀ ଅରୁଣ ରାମଚନ୍ଦ୍ର ହୁବଲୀକରଙ୍କ ଆବେଦନକୁ ଖାରଜ କରି ବାରମ୍ବାର ଯାଚିକା ଦାୟର ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଚାରପତି ତ୍ରିବେଦୀ କହିଛନ୍ତି, ମାମଲାକୁ ଏଠି ହିଁ ସମାପ୍ତ କରାଯାଉଛି। ଗୋଟିଏ କେସକୁ ବାରମ୍ବାର କୋର୍ଟରେ ଉପସ୍ଥାପନ କରା ନ ଯାଉ। 

ଆବେଦନକାରୀ ହୁବଲୀକର  ଜଣେ ଓକିଲ। ସେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆଭ୍ୟନ୍ତରୀଣ ଯାଞ୍ଚ କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ, ପୂର୍ବତନ ସିଜେଆଇ ତାଙ୍କୁ ବେଆଇନ ଭାବେ ବରଖାସ୍ତ ସଂପର୍କିତ ଏକ ନିଷ୍ପତ୍ତିରେ ମୁଁ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଥିଲେ। ଗୋଗୋଇଙ୍କ ଏମିତି ଆରୋପ ତାଙ୍କ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସେ ମୋ ଜୀବନକୁ ଦୁଃଖରେ ପରିଣତ କରିଛନ୍ତି। 

Also read: ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ ସଲମାନଙ୍କୁ ବିଜେପି ନେତାଙ୍କ ପରାମର୍ଶ

ସୁପ୍ରିମକୋର୍ଟ ତାଙ୍କର ଦଲିଲକୁ ଅଗ୍ରାହ୍ୟ କରିବା ସହ ବିରକ୍ତି ପ୍ରକାଶ କରିଛନ୍ତି। ପୀଠ କହିଛନ୍ତି, ଆପଣଙ୍କ ଉପରେ ଜରିମାନା ଲଗାଯିବ। କୌଣସି ନ୍ୟାୟାଧୀଶଙ୍କ  ନାଁ ଏମିତି ନିଅ ନାହିଁ। ଆପଣଙ୍କ କେସ୍‌ରେ କିଛି ଦମ ହିଁ ନାହିଁ। ଏଥିରେ ଅସନ୍ତୋଷ ବ୍ୟକ୍ତ  କରି ହୁବଲୀକର କହିଛନ୍ତି, ଅନ୍ତତଃ ମୋ ମୃତ୍ୟୁ ପୂର୍ବରୁ ମୋତେ ନ୍ୟାୟ ମିଳିବା ଉଚିତ୍।  ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ପୁଣି ଥରେଦୋହରାଇ କହିଛନ୍ତି,  କ୍ଷମା କରନ୍ତୁ ଆମେ ଆପଣଙ୍କ ମାମଲାରେ ଶୁଣାଣି କରି ପାରିବୁ ନାହିଁ। ଆପଣଙ୍କ ଆବେଦନ ଖାରଜ କରାଯାଉଛି। 

ଉତ୍ତେଜନା ତେବେ ଆହୁରି ବଢିଗଲା ଯେତେବେଳେ ଜଷ୍ଟିସ ତ୍ରିବେଦୀ ଆବେଦନକାରୀ ଓକିଲ ହୁବଲୀକରଙ୍କୁ କୋର୍ଟ ରୁମରୁ ବାହାର କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଲେ। ବାରମ୍ବାର ଚେତାବନୀ ଦେବା ପରେ ବି ହୁବଲୀକର ନିଜର ଯୁକ୍ତି ଜାରି ରଖିଥିଲେ। ସୁରକ୍ଷାକର୍ମୀ କିଛି ପଦକ୍ଷେପ ନେବା ପୂର୍ବରୁ ହୁବଲୀକର କହିଥିଲେ, ମ୍ୟାଡମ ଆପଣ ମୋ ସହ ଅନ୍ୟାୟ କରୁଛନ୍ତି। 

ସୂଚନାଯୋଗ୍ୟ, ଏମିତି ପ୍ରଥମ ଥର ନୁହେଁ, ଯେବେ ହୁବଲୀକର ଓ ନ୍ୟାୟପାଳିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସେପ୍ଟେମ୍ବର ୩୦ ତାରିଖରେ ଗତ ଶୁଣାଣିରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ତାଲିକାରେ ଜଷ୍ଟିସ ଗୋଗୋଇଙ୍କ ନାଁ ଥିବା ଦେଖି  ଆପତ୍ତି ପ୍ରକାଶ କରିଥିଲେ ଏବଂ ହୁବଲୀକରଙ୍କୁ ନିଜ ଯାଚିକାରେ ଗୋଗୋଇଙ୍କ ନାଁ  ହଟାଇବାକୁ ଆଦେଶ ଦେଇଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ଏହା ଉପରେ ଜୋର ଦେଇଛନ୍ତି ଯେ, ଜନସ୍ଵାର୍ଥ ମାମଲାରେ ପୂର୍ବତନ ଜଷ୍ଟିସଙ୍କୁ ପକ୍ଷବାଦୀ ଭାବେ ସାମିଲ କରିବା ନ୍ୟାୟପାଳିକା ପ୍ରତି ସମ୍ମାନର ଅଭାବକୁ ସୂଚାଉଛି। 

ମଙ୍ଗଳବାର ସୁପ୍ରିମକୋର୍ଟ ହୁବଲୀକରଙ୍କ ଯାଚିକାକୁ ଖାରଜ କରିବା ସହ ପୂର୍ବତନ ସିଜେଆଇଙ୍କ ବିରୋଧରେ ଏମିତି ଅଭିଯୋଗକୁ ବରଦାସ୍ତ କରାଯାଇ ପାରିବ ନାହିଁ। ତେଣୁ ମାମଲାର ଶୁଣାଣି ପୂର୍ବରୁ ପୂର୍ବତନ ପ୍ରଧାନ ବିଚାରପତିଙ୍କ ନାଁ ହଟାଇବାକୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖନୀୟ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟରୁ ଅବସର ନେଇଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବର୍ତ୍ତମାନ ରାଜ୍ୟସଭାର ସଦସ୍ୟ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.