ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ ସଲମାନଙ୍କୁ ବିଜେପି ନେତାଙ୍କ ପରାମର୍ଶ

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ: ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନ୍‌ଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। କାରଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ପରିବର୍ତ୍ତି ଟାର୍ଗେଟ୍ ସଲମାନ। ଏହାକୁ ଦେଖି ବିଜେପି ନେତା ସଲମାନଖାନ୍‌ଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି। ୧୯୯୮ ମସିହାରେ ହୋଇଥିବା କୃଷ୍ଣସାର ମୃଗ ଶିକାର ମାମଲାରେ ସମ୍ପୃକ୍ତି ନେଇ ବିଜେପି ସାଂସଦ ହରନାଥ ସିଂହ ଯାଦବ ସଲମାନଙ୍କୁ ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ କହିଛନ୍ତି।

୧୯୯୮ ମସିହାରେ ଫିଲ୍ମ ‘ହମ୍ ସାଥ ସାଥ ହେ’ ଶୁଟିଂ ସମୟରେ ସଲମାନଙ୍କ ସମେତ କିଛି ବଲିଉଡ କଳାକାରଙ୍କ ବିରୋଧରେ କୃଷ୍ଣସାର ମୃଗ ଶିକାରର ଅଭିଯୋଗ ଲାଗିଥିଲା। ଯେହେତୁ ବିଷ୍ଣୋଇ ସମାଜ କୃଷ୍ଣସାର ମୃଗକୁ ଦେବତା ମାନନ୍ତି ତେଣୁ ସେତେବେଳେ ଏହାକୁ ନେଇ ବଡ଼ ହଙ୍ଗାମା ହୋଇଥିଲା। ୨୦୧୮ରେ ସଲମାନ ମୃଗଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ବିଷ୍ଣୋଇ ସମୁଦାୟରୁ ଆସୁଥିବା ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରି ପ୍ରତିଶୋଧ ନେବାକୁ ଶପଥ ନେଇଥିଲା। 

ଏହାରି ଭିତରେ ବିଜେପି ନେତା କିନ୍ତୁ କ୍ଷମା ମାଗିବାକୁ ସଲମାନଙ୍କୁ କହିଛନ୍ତି। ଏକ୍ସରେ ପୋଷ୍ଟ କରି ଶ୍ରୀ ଯାଦବ ଲେଖିଛନ୍ତି “ ପ୍ରିୟ ସଲମାନ ଖାନ, କୃଷ୍ଣସାର ମୃଗକୁ ବିଷ୍ଣୋଇ ସମାଜ ଦେବତା ମାନନ୍ତି। ତାଙ୍କର ପୂଜା କରନ୍ତି।ହେଲେ ଆପଣ ଏହାକୁ ଶିକାର କଲେ ଓ ରୋଷେଇ କରି ଖାଇଲେ। ଯେଉଁଥିପାଇଁ ବିଷ୍ଣୋଇ ସମାଜର ଭାବନାକୁ ଆଘାତ ଲାଗିଛି। ଫଳରେ ଆପଣଙ୍କ ପ୍ରତି ବିଷ୍ଣୋଇ ସମାଜର ଦୀର୍ଘବର୍ଷ ଧରି ଅସନ୍ତୋଷ ରହିଛି। ମଣିଷ ଦ୍ୱାରା ଭୁଲ୍ ହୋଇଯାଏ। ଆପଣ ଜଣେ ବଡ ଅଭିନେତା, ଦେଶର ବହୁ ସଂଖ୍ୟକ ଲୋକ ଆପଣଙ୍କୁ ଭଲ ପାଆନ୍ତି। ଆପଣଙ୍କୁ ମୋର ଆନ୍ତରିକ ପରାମର୍ଶ ଯେ ଆପଣ ବିଷ୍ଣୋଇ ସମାଜର ଭାବନାକୁ ସମ୍ମାନ ଜଣାଇ , ନିଜର ବଡ଼ ଭୁଲ୍ ପାଇଁ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ନେବା ଉଚିତ୍।”

କୃଷ୍ଣସାର ମୃଗ ମାମଲାରେ ସଲମାନ ଖାନଙ୍କର ଗତ ଦୁଇ ଦଶନ୍ଧୀ ଧରି ଆଇନଗତ ଲଢ଼େଇ ଜାରି ରହିଛି। ଏହାରି ଭିତରେ କେତେ ମାଲିମକଦ୍ଦମା, କେତେ କୋର୍ଟ ଶୁଣାଣିର ସାମ୍ନା କରିଛନ୍ତି ସମଲାନ। ହେଲେ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବାର ପଣ କରିବା ପରେ ମାମଲା ଆହୁରି ବିଗିଡ଼ି ଯାଇଛି।

ତେବେ ସଲମାନ ଖାନ୍‌ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଲମାନ କ୍ଷମା ମାଗିବେ ନାହିଁ। କାରଣ ଯାହା ଘଟି ନାହିଁ ସେଥିପାଇଁ ସେ କ୍ଷମା ମାଗିବେ ନାହିଁ ବୋଲି କୁହାଯାଇଛି। ତେବେ ପରିବାର ଲୋକେ କିନ୍ତୁ ବଲିଉଡ୍ ଷ୍ଟାର୍‌ଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। 

ସୂଚନା ଥାଉକି, ଏନସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ସଲମାନଙ୍କ ଘନିଷ୍ଠ ସମ୍ପର୍କୀୟ ବାବା ସିଦ୍ଦିକଙ୍କ ହତ୍ୟା ନେଇ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି। ଏହି ହତ୍ୟାକାଣ୍ଡରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ହତ୍ୟାକାଣ୍ଡ ପରେ ସଲମାନଙ୍କ ସୁରକ୍ଷା ଚିନ୍ତା ବଢ଼ି ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.