ନୂଆଦିଲ୍ଲୀ: ଦେଶରେ ଏମର୍ଜେନ୍ସି ଲଗାଯିବାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ବୈଠକ ହୋଇଛି । ଏଥିରେ ଏମର୍ଜେନ୍ସି ବିରୋଧରେ ପ୍ରସ୍ତାବ ପାରିତ କରାଯାଇଛି । ଏହି ପ୍ରସ୍ତାବରେ ୧୯୭୫ରେ ଲଦାଯାଇଥିବା ଏମର୍ଜେନ୍ସିକୁ ଗଣତନ୍ତ୍ର ଓ ସମ୍ୱିଧାନର ହତ୍ୟା ବୋଲି ଉଲ୍ଲେଖ କରାଯାଇଛି ଓ ଏହାକୁ କଡ଼ା ନିନ୍ଦା କରାଯାଇଛି । କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକରେ ଏମର୍ଜେନ୍ସିର ଯାତନା ସହିଥିବା ପୀଡ଼ିତଙ୍କ ପାଇଁ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ ଛିଡ଼ା ହୋଇଥିଲେ ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ବୈଠକରେ ପାରିତ ପ୍ରସ୍ତାବ ବାବଦରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ୨୦୨୫ ସମ୍ୱିଧାନ ହତ୍ୟା ଦିବସର ୫୦ ବର୍ଷ ପୂର୍ତ୍ତି ହୋଇଛି । ପ୍ରସ୍ତାବରେ କୁହାଯାଇଛି ଯେ ଏମର୍ଜେନ୍ସି ସମୟରେ ସାରା ଦେଶରେ ଗଣତାନ୍ତ୍ରିକ ମୂଲ୍ୟର ହନନ ହୋଇଥିଲା ଓ ସାଧାରଣ ଲୋକଙ୍କ ସାମ୍ୱିଧାନିକ ଅଧିକାର ଛଡ଼ାଇ ନିଆଯାଇଥିଲା ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ନିଜ ପ୍ରସ୍ତାବରେ ଦେଶର ଯୁବକଙ୍କଠାରୁ ବୟସ୍କଙ୍କ ଯାଏ ଗଣତନ୍ତ୍ରର ସଂଗ୍ରାମୀ ଓ ସେମାନଙ୍କ ବଳିଦାନରୁ ଶିକ୍ଷା ନେବା ପାଇଁ ଆହ୍ୱାନ ଦିଆଯାଇଛି । ପ୍ରସ୍ତାବରେ କୁହାଯାଇଛି ଯେ ଏମର୍ଜେନ୍ସିର ବୀର ସଂଗ୍ରାମୀମାନେ ଏକଛତ୍ରବାଦୀ ମନୋବୃତ୍ତିକୁ ବିରୋଧ କରିଥିଲେ । ଆମର ସମ୍ୱିଧାନ ଓ ଗଣତାନ୍ତ୍ରିକ ଭାବନାର ଦୃଢତାର ସହ ରକ୍ଷା କରିଥିଲେ । ଏଥିରେ କୁହାଯାଇଛି ଯେ ଗଣନ୍ତ୍ରତର ଜନନୀ ଭାବେ ଭାରତ ସମ୍ୱିଧାନିକ ମୂଲ୍ୟର ସଂରକ୍ଷଣ, ସୁରକ୍ଷା ଓ ରକ୍ଷାର ପ୍ରତିମୂର୍ତ୍ତି ଅଟେ ।
କ୍ୟାବିନେଟରେ ମୋଟ ତିନୋଟି ପ୍ରସ୍ତାବକୁ ପାରିତ କରାଯାଇଛି । ଅନ୍ୟ ଏକ ପ୍ରସ୍ତାବରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଭାରତର ମହାକାଶଯାତ୍ରୀ ଶୁଭାଂଶ ଶୁକ୍ଲା ଓ ଅନ୍ୟ ତିନି ମହାକାଶଚାରୀଙ୍କ ସଫଳ ଯାତ୍ରାର ସ୍ୱାଗତ କରିଛନ୍ତି । ଶୁକ୍ଲା ଓ ତିନି ଅନ୍ୟ ମହାକାଶଚାରୀ ଡ୍ରାଗନ ଅନ୍ତରୀକ୍ଷ ଯାନରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଯାତ୍ରାରେ ବାହାରିଛନ୍ତି । ଯାହାକୁ ସ୍ପେସଏକ୍ସ ଫାଲକନ୍-୯ ରକେଟ୍ ଦ୍ୱାରା ପୃଥିବୀ କକ୍ଷରେ ସ୍ଥାପନ କରାଯାଇଛି ।