ଲେବାନନ ଛାଡିବେନି ଜାତିସଂଘ ଶାନ୍ତି ସୈନିକ, ବ୍ଲୁ ଲାଇନ୍ ଅଞ୍ଚଳ ଖାଲି କରିବାକୁ ଜାତିସଂଘକୁ କହିଥିଲା ଇସ୍ରାଏଲ୍ ସେନା

Published By : Prameya-News7 Bureau | October 15, 2024 IST

ନୂଆଦିଲ୍ଲୀ ୧୫।୧୦: ଜାତିସଂଘ ଶାନ୍ତି ସୈନିକ ଲେବାନନରେ ନିଜ ପୂର୍ବ ସ୍ଥିତି ବଜାୟ ରଖିବେ ବୋଲି ମଙ୍ଗଳବାର ଜାତିସଂଘ ଶାନ୍ତି ସୈନିକ ମୁଖ୍ୟ କହିଛନ୍ତି । ଶାନ୍ତି ସୈନିକ ମୁଖ୍ୟଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଲେବାନନରୁ ୟୁନିଫିଲକୁ ଫେରାଇ ନେବା ପାଇଁ ଇସ୍ରାଏଲ୍ ଜାତିସଂଘକୁ ଅପିଲ୍ କରିଥିଲା । ଏହା ପୂର୍ବରୁ ଅକ୍ଟୋବର ୧୪ରେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଉତ୍ତର ଲେବାନନରେ ୨୧ ଜଣଙ୍କ ଜୀବନ ଯାଇଥିବା ଖବର ସାମନାକୁ ଆସିଥିଲା ।

ଜାତିସଂଘର ଶାନ୍ତି ସୈନିକ ମୁଖ୍ୟ ଜିନ୍-ପିଆରେ ଲେକ୍ରୋଇକ୍ସ କହିଛନ୍ତି, ‘ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ବ୍ଲୁ ଲାଇନ ଆଖପାଖ ଅଞ୍ଚଳ ଖାଲି କରିବା ପାଇଁ ଆହ୍ୱାନ ଦେଇଛି । କିନ୍ତୁ ୟୁନିଫିଲ୍ ବର୍ତ୍ତମାନ ନିଜର ପୂର୍ବ ସ୍ଥିତି ବଜାୟ ରଖିବ ବୋଲି ନିଷ୍ପତ୍ତି ନିଆଯାଇଛି ।‘

ସେ କହିଛନ୍ତି ଯେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ଯୋଜନାଗୁଡ଼ିକୁ ସ୍ପଷ୍ଟ କରିଛନ୍ତି । ଏହି ଯୋଜନାଗୁଡ଼ିକ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ବିଭିନ୍ନ ସଂଘର୍ଷରେ ୫ ଜଣ ୟୁନିଫିଲ୍ ଶାନ୍ତି ସୈନିକ ଆହତ ହୋଇଥିଲେ । ଇସ୍ରାଏଲୀ ସୈନିକ ସୀମା ଉଲ୍ଲଂଘନ କରି ପ୍ରବେଶ କରିଥିବା ଜାତିଂସଘ ଶାନ୍ତି ସୈନ୍ୟ ଅଭିଯୋଗ କରିଥିଲା । 

ସେପଟେ ଖବର ଅନୁଯାୟୀ, ସୋମବାର ଦକ୍ଷିଣ ଲେବାବନରେ ଏୟାର ଷ୍ଟ୍ରାଇକ୍‌ କରିଥିଲେ ଇସ୍ରାଏଲ୍ । ଯେଉଁଥିରେ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣକୁ ନେଇ ଚିନ୍ତାପ୍ରକଟ କରିଛି ଜାତିସଂଘ ସୁରକ୍ଷା ପରିଷଦ । ଗତ ସପ୍ତାହରେ UNIFIL ଶାନ୍ତି ସୈନିକଙ୍କ ବେସ ଉପରେ ଇସ୍ରାଏଲର ଆକ୍ରମଣକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଇଥିଲା  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.