ନ୍ୟୁୟର୍କ,୧୩/୧୨: ହମ୍ପବ୍ୟାକ୍ ହ୍ୱେଲ୍ ବା ତିମିର ଅସ୍ବାଭାବିକ ଜଳଯାତ୍ରା । ମହାସମୁଦ୍ରରେ ଦୀର୍ଘତମ ରାସ୍ତା ଅତିକ୍ରମ କରିଛି । ପ୍ରାୟ ୧୩ ହଜାର କିଲୋମିଟର ଯାତ୍ରା କରିଥିବା ବୈଜ୍ଞାନିକମାନେ ତଥ୍ୟ ରେକର୍ଡ କରିଛନ୍ତି । ଏକ ତିମିକୁ ୨୦୧୭ରେ କଲମ୍ବିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳିଥିଲା । ମାତ୍ର କିଛି ବର୍ଷ ପରେ ତାହା ଭାରତ ମହାସାଗରରେ ଜାଞ୍ଜିବର ନିକଟରେ ଦେଖିବାକୁ ମିଳିଛି । ଅତିକମ୍ରେ ୧୩ ହଜାର କିମି ପଥ ଅତିକ୍ରମ କରିଛି ହମ୍ପବ୍ୟାକ୍ । ତିମିର ଏହି ଐତିହାସିକ ଯାତ୍ରା ଜଳବାୟୁ ପରିବର୍ତ୍ତନକୁ ସୂଚନା ଦେଉଛି । ସମୁଦ୍ରରେ ଖାଦ୍ୟ ଭଣ୍ଡାର ହ୍ରାସ କିମ୍ବା ଏକ ସାଥୀ ସନ୍ଧାନର ଏତେ ଲମ୍ବା ଯାତ୍ରା ହୋଇପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ରୟାଲ ସୋସାଇଟି ଓପନ୍ ସାଇନ୍ସ ଜର୍ଣ୍ଣାଲରେ ଅଲେଖ୍ୟ ପ୍ରକାଶ ପାଇଛି ।
ତାଞ୍ଜାନିଆ ସିଟାସିଏନ୍ସ ପ୍ରୋଗ୍ରାମର ଏକାଟେରିନା କାଲାଶନିକୋଭା କହିଛନ୍ତି, ଅଣ୍ଡିରା ତିମିଟିର ଏଭଳି ଉପଲବ୍ଧି ଅତି ମାତ୍ରାରେ ସ୍ଥାନାନ୍ତର ହେଉଥିବା ଏହି ପ୍ରଜାତି ପାଇଁ ମଧ୍ୟ ବାସ୍ତବରେ ପ୍ରଭାବଶାଳୀ ଓ ଅସ୍ୱାଭାବିକ ଥିଲା । ଏହା ସମ୍ଭବତଃ ଏକ ହମ୍ପବ୍ୟାକ୍ ତିମି ଦ୍ୱାରା ଅତିକ୍ରମ କରାଯାଇଥିବା ଦୀର୍ଘତମ ଦୂରତା । ହମ୍ପବ୍ୟାକ୍ ତିମି ସାରା ବିଶ୍ୱର ସବୁ ମହାସାଗରରେ ରହନ୍ତି । ପ୍ରତିବର୍ଷ ଏମାନେ ଦୀର୍ଘପଥ ଅତିକ୍ରମ କରିଥାନ୍ତି । ଉଷ୍ମମଣ୍ଡଳୀୟ ପ୍ରଜନନ କ୍ଷେତ୍ରରୁ ଶୀତଳ ଜଳରେ ଥିବା ଭୋଜନକ୍ଷେତ୍ରକୁ ଯାତ୍ରା କରିଥାନ୍ତି । କିନ୍ତୁ ଏହି ଅଣ୍ଡିରା ତିମିର ଯାତ୍ରା ଆହୁରି ଉଲ୍ଲେଖନୀୟ । କାରଣ ଏଥିରେ ଦୁଇଟି ଦୂର ପ୍ରଜନନ କ୍ଷେତ୍ର ସଂପୃକ୍ତ ।
ତିମିର ଏହି ଐତିହାସିକ ଯାତ୍ରାର ବାସ୍ତବ କାରଣ ଜଣାପଡିନଥିବାବେଳେ ଗବେଷକମାନେ ଏଥିନେଇ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଛନ୍ତି । ଏକ ସିଦ୍ଧାନ୍ତ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ତାପମାତ୍ରା, ସ୍ରୋତ ବୃଦ୍ଧି ହେଉଛି । ସେଥିଯୋଗୁ ତିମିଟି ଏଭଳି ସ୍ଥାନ ପରିବର୍ତ୍ତନ କରିଥାଇପାରେ । ଅନ୍ୟ କିଛି ଗବେଷକ ଜଳବାୟୁ ପରିବର୍ତ୍ତନ ଯୋଗୁ ଖାଦ୍ୟ ସମସ୍ୟା ହେବାରୁ ତିମିଟି ଖାଦ୍ୟ ଅନ୍ୱେଷଣରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଦର୍ଶାଇଛନ୍ତି । ଅନ୍ୟ ଏକ ସିଦ୍ଧାନ୍ତ ଅନୁସାରେ, ବୈଶ୍ୱିକ ସଂରକ୍ଷଣ ପ୍ରୟାସ ମାଧ୍ୟମରେ ସଂଖ୍ୟାରେ ପୁଣିଥରେ ବୃଦ୍ଧି ହେବା ପରେ ତିମିମାନେ ନୂଆ ପ୍ରଜନନ ଆଧାର ଖୋଜୁଥାଇପାରନ୍ତି । କାଲାଶନିକୋଭା କହିଛନ୍ତି, ବାସ୍ତବ କାରଣ ଅଜ୍ଞାତ ଥିବାବେଳେ ତିମିର ଏହି ଯାତ୍ରା ପଛରେ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ, ଚରମ ପରିବେଶଜନିତ ଘଟଣା ଓ ପ୍ରଜାତିମାନଙ୍କର ବିକାଶବାଦୀ ମେକାନିଜମ୍ ଥାଇପାରେ ।
ଏହି ଅଣ୍ଡିରା ତିମି ୨୦୧୩, ଜୁଲାଇ ୧୦ ତାରିଖରେ ପ୍ରଶାନ୍ତ ମହାସାଗରରେ କଲମ୍ବିଆ ନିକଟରେ ଗବେଷକଙ୍କ ଏକ ନୌକାରୁ ଉଠାଯାଇଥିବା କିଛି ହମ୍ପବ୍ୟାକ୍ ତିମିଙ୍କ ଫଟୋରେ ସାମିଲ ଥିଲା । ପରେ ତାକୁ ସମାନ ଅଞ୍ଚଳରେ ୨୦୧୭, ଅଗଷ୍ଟ ୧୩ରେ ଦେଖିବାକୁ ମିଳିଥିଲା । ୨୦୨୨, ଅଗଷ୍ଟ ୨୨ରେ ତିମିଟି ଜାଞ୍ଜିବର ଉପକୂଳରେ ବିଶେଷଜ୍ଞମାନେ ତାକୁ ପାଇଥିଲେ । ଏହି ସ୍ଥାନ ୧୩,୦୪୬ କିମି ‘ଗ୍ରେଟ୍ ସର୍କଲ ଦୂରତା’ ରେ ଅବସ୍ଥିତ ।