ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରଙ୍କ ସହ ବୈଠକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ କେବଳ ଆମେରିକା ହିଁ ରୁଷକୁ ଶାନ୍ତି ପାଇଁ ବାଧ୍ୟ କରିପାରିବ । ଜେଲେନସ୍କି କହିଛନ୍ତି ଯେ ରୁଷକୁ କେବଳ ଶକ୍ତି ବଳରେ ହିଁ ଶାନ୍ତି ଆଡ଼କୁ ଅଣାଯାଇପାରିବ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ସେହି ଶକ୍ତି ଅଛି । ଶାନ୍ତି ସ୍ଥାପନ କରିବା ପାଇଁ ଆମକୁ ସବୁ ସମ୍ଭବ ଉଦ୍ୟମ କରିବାକୁ ହେବ ।
ଉଲ୍ଲେଖଯୋଗ୍ୟ ଯେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଲଗାତାର ଉଦ୍ୟମ ଜାରି ରହିଛି । ନିକଟରେ ରୁଷ ରାଷ୍ଟ୍ରପତି ପୁଟିନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାରେ ବୈଠକ କରିଥିଲେ । ଏହାପରେ ଏବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆମେରିକା ପହଞ୍ଚିଛନ୍ତି ଓ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବୈଠକ କରିବେ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବି ୟୁକ୍ରେନ ରାଷ୍ଟ୍ରପତି ହ୍ୱାଇଟ୍ ହାଉସ୍ ଗସ୍ତ କରିସାରିଥିଲେ । ସେ ସମୟରେ ଜେଲେନସ୍କି ଓ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ଓ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଯାହା ଭିଡିଓ ସେହି ସମୟରେ ଖୁବ୍ ଭାଇରାଲ୍ ହୋଇଥିଲା । ଏବେ ପୁଣି ଥରେ ଜେଲେନସ୍କି ଆମେରିକା ପହଞ୍ଚିଛନ୍ତି । ସେବେ ଏଥର ଆଲୋଚନା ଟେବୁଲରେ ଜେଲେନସ୍କି ଏକା ନଥିଲେ । ତାଙ୍କ ସହ ୟୁରୋପର ଅନ୍ୟ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ ।
ସୂଚନା ଅନୁସାରେ ଜେଲେନସ୍କି ଓ ଟ୍ରମ୍ପ ମଧ୍ୟରେ ହେବାକୁ ଥିବା ଏହି ବୈଠକରେ ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଜର୍ମାନୀ ଚାନ୍ସଲର ଫ୍ରେଡରିକ୍ ମର୍ଜ ମଧ୍ୟ ଉପସ୍ଥିତ ରହିବେ । ତାଙ୍କ ବ୍ୟତୀତ ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବ୍ ଓ ୟୁରୋପୀୟ ୟୁନିଅନର ଅଧ୍ୟକ୍ଷ ଉର୍ସୁଲା ୱାନ ଡେର ଲେୟେନ ମଧ୍ୟ ଏହି ବୈଠକରେ ରହିବେ ।