ଋଷିଆରେ ପ୍ରଳୟ ବର୍ଷିଲେ ୟୁକ୍ରେନର ଡ୍ରୋନ ବୋମା, ଅଏଲ ରିଫାଇନାରୀ ଓ ମିଲେଟ୍ରି ଏୟାରଷ୍ଟ୍ରିପ ଧ୍ୱଂସ୍ତ

Published By : Prameya-News7 Bureau | August 02, 2025 IST

କିଭ୍ ୨।୮: ୟୁକ୍ରେନ ରାଜଧାନୀ କିଭ ଉପରେ ଋଷିଆ ଆକ୍ରମଣର ଜବାବ ଦେଇଛି। ୟୁକ୍ରେନ ଶନିବାର ଋଷିଆ ଭିତରେ ପଶି ବଡ଼ ଧରଣର ଡ୍ରୋନ ଆକ୍ରମଣ କରିଛି। ୟୁକ୍ରେନ ଦାବି ଅନୁସାରେ ଏହି ଆକ୍ରମଣରେ ଋଷିଆର ଏକ ତୈଳ ରିଫାଇନାରୀ, ମିଲେଟ୍ରି ଏୟାରଷ୍ଟ୍ରିପ୍ ଓ ଇଲେକ୍ଟ୍ରିକ ସାମଗ୍ରୀର ଏକ କାରଖାନାକୁ ଟାର୍ଗେଟ୍ କରାଯାଇଥିଲା। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ସୂଚନା ଆସୁଛି। 

ଏଥି ମଧ୍ୟରେ ଗୁରୁବାର ପ୍ରତ୍ୟୁଷରେ କିଭ ଉପରେ ଋଷିଆ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢି ୩୧କୁ ପହଞ୍ଚିଛି। ଏହି ଆକ୍ରମଣରେ ୧୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତ୍ତର ରହିଛି। ତେବେ ୟୁକ୍ରେନର ଶନିବାର ଆକ୍ରମଣ ନେଇ ଋଷୀୟ ମନ୍ତ୍ରାଳୟ ପକ୍ଷରୁ ପୁଷ୍ଟି କରାଯାଇ ନାହିଁ। କୁହାଯାଉଛି ଶୁକ୍ରବାର ଓ ଶନିବାର ରାତିରେ ୟୁକ୍ରେନ ୩୩୮ଟି ଡ୍ରୋନ ଋଷିଆ ଉପରକୁ ନିକ୍ଷେପ କରିଥିଲା, ଯାହାକୁ ଋଷିଆ ନିଷ୍କ୍ରିୟ କରିଦେଇଥିଲା। 

ଏହି ସମୟରେ ଋଷିଆ ପକ୍ଷରୁ ୟୁକ୍ରେନ ଉପରକୁ ୫୩ଟି ଡ୍ରୋନ ପଠାଯାଇଥିଲା। ଏଥିରୁ ୪୫ଟିକୁ ଆକାଶରେ ନଷ୍ଟ କରି ଦିଆ ଯାଇଥିଲା। ଇତି ମଧ୍ୟରେ ଋଷିଆ ପୂର୍ବ ୟୁକ୍ରେନର ଆଉ ଗୋଟିଏ ଗାଁକୁ ନିଜ ନିୟନ୍ତ୍ରଣକୁ ନେଇଥିବାର ଦାବି କରିଛି। ସେପଟେ ୟୁକ୍ରେନ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରିବା ପାଇଁ ଆମେରିକା, ନାଟୋ, ୟୁରୋପୀୟ ଦେଶ ଅଲଗା ଅଲଗା ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥାରେ ୟୁକ୍ରେନ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ଜଣାଇବ। ୟୁରୋପୀୟ ଦେଶ ଏହି ସବୁ ଅସ୍ତ୍ର ଲାଗି ଆମେରିକାକୁ ପାଣ୍ଠି ଯୋଗାଇବେ। ଆମେରିକା ଏଥିରେ ଅସ୍ତ୍ର ନାଟୋକୁ ଯୋଗାଇବ ଓ ନାଟୋ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ପଠାଇବାର ବ୍ୟବସ୍ଥା କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.