ନୂଆଦିଲ୍ଲୀ: କେରଳ ତିରୁଅନନ୍ତପୁରମ ଇଣ୍ଟରନ୍ୟାସନାଲ ଏୟରପୋର୍ଟରେ ବ୍ରିଟିଶ ରୟାଲ ନେଭିର ଏଫ୍-୩୫ ଫାଇଟର୍ ଜେଟ୍ ଅଚଳାବସ୍ଥାରେ ରହିଛି । ଜୁନ୍ ୧୪ରେ ଯୁଦ୍ଧ ବିମାନ ଜରୁରିକାଳୀନ ଅବତରଣ କରିଥିଲା ଓ ୧୯ ଦିନ ପରେ ବି ଜେଟ୍ର ମରାମତି ହୋଇପାରି ନାହିଁ । ଏବେ ସୂତ୍ର ଅନୁସାରେ ଏହି ଫାଇଟର୍ ଜେଟ୍କୁ ଖଣ୍ଡ ଖଣ୍ଡ କରି ସୈନ୍ୟ କାର୍ଗୋ ବିମାନ ଜରିଆରେ ବ୍ରିଟେନ ନିଆଯିବ ।
ବିମାନକୁ କେରଳରେ ଠିକ୍ କରିବାର ଅନେକ ଉଦ୍ୟମ ବିଫଳ ହୋଇଛି । ପଞ୍ଚମ ପିଢିର ଷ୍ଟିଲ୍ଥ ଫାଇଟର୍ ଜେଟ୍ ଇଞ୍ଜିନ ଖାରପ ହେବା କାରଣୁ ଏବେ ବି ବିମାନ ବନ୍ଦରରେ ପଡ଼ି ରହିଛି । ରିପୋର୍ଟ ଅନୁସାରେ ବିମାନକୁ ପୁଣି ଥରେ ଉଡ଼ାଇବାର ସବୁ ଉଦ୍ୟମ ଫେଲ୍ ହୋଇଛି । ତେଣୁ ବିମାନକୁ ପାର୍ଟ ପାର୍ଟ କରି ନେବା ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ । ଏତେ ଦିନ ବିତିବା ସତ୍ତ୍ୱେ, ବ୍ରିଟେନରୁ କୌଣସି ଇଞ୍ଜିନିୟର ଟିମ୍ ମଧ୍ୟ ଭାରତ ଆସି ନାହାନ୍ତି । ଖବର ଅନୁସାରେ ଫାଇଟର ଜେଟ୍କୁ ସଜାଡ଼ିବା ପାଇଁ ତିନି ଇଞ୍ଜିନିୟରଙ୍କ ଗୋଟିଏ ଦଳ କେରଳ ଆସିବାର ଥିଲା, କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ ।
ବିମାନ ଫେରାଇ ନେବା ପାଇଁ କୌଣସି ସମୟ ସୀମା ନଥିବାରୁ, ବ୍ରିଟେନ ଅଧିକାରୀ ଏବେ ବିକଳ୍ପ ଯୋଜନା ଉପରେ କାମ କରୁଛନ୍ତି । ବିମାନକୁ ଆଂଶିକ ରୂପେ ଭାଙ୍ଗି ମିଲିଟାରୀ ଟ୍ରାନ୍ସପୋର୍ଟ ଜରିଆରେ ଫେରାଇ ନେବା ଏବେ ସବୁଠୁ ଭଲ ବକିଳ୍ପ ରୂପେ ସାମନା ଆସିଛି । ରିପୋର୍ଟ ଅନୁସାରେ ବ୍ରିଟେନ ଏବେ ଏହି ଫାଇଟର୍ ଜେଟକୁ ସି-୧୭ ଗ୍ଲୋବମାଷ୍ଟର ବିମାନରେ ନେବା ପାଇଁ ଯୋଜନା କରୁଛି ।
HMS ପ୍ରିନ୍ସ ଅଫ୍ ୱେଲ୍ସ କ୍ୟାରିଅର ଷ୍ଟ୍ରାଇକ୍ ଗ୍ରୁପର ଅଂଶ F-୩୫B, କେରଳ ଉପକୂଳରୁ ୧୦୦ ନଟିକାଲ୍ ମାଇଲ୍ ଦୂରରେ ଅପରେସନରେ ନିୟୋଜିତ ଥିଲା । କିନ୍ତୁ ଖରାପ ପାଗ ଏବଂ ଇନ୍ଧନ ଅଭାବ ଯୋଗୁଁ ବିମାନଟି ତିରୁଅନନ୍ତପୁରମ୍ ବିମାନବନ୍ଦରରେ ଜରୁରିକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା । ଭାରତୀୟ ବାୟୁସେନା ସୁରକ୍ଷିତ ଅବତରଣରେ ସହାୟତା କରିଥିଲା । ଏହାସହ ଇନ୍ଧନ ଏବଂ ଲଜିଷ୍ଟିକ୍ସ ମଧ୍ୟ ଯୋଗାଇଥିଲା ।
ଯୁଦ୍ଧ ବିମାନଟି ତା'ର ଏୟାରକ୍ରାପ୍ଟ କ୍ୟାରିୟରକୁ ଫେରିବା ବେଳେ ହାଇଡ୍ରୋଲିକ୍ ବିଫଳତା ଚିହ୍ନଟ ହୋଇଥିଲା । ଏହି ସମସ୍ୟାକୁ ବିପଜ୍ଜନକ ଧରାଯାଉଛି । ଏହା ଜେଟ୍ର ସୁରକ୍ଷିତ ଉଡ଼ାଣ ଏବଂ ଅବତରଣ କ୍ଷମତାକୁ ପ୍ରଭାବିତ କରିପାରେ । ତିନି ଜଣ ଟେକ୍ନିସିଆନ୍ଙ୍କ ଏକ ଛୋଟ ରୟାଲ୍ ନେଭି ଦଳ ସଜାଡ଼ିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସମସ୍ୟାର ଜଟିଳତା ଯୋଗୁଁ ତାହା ସଫଳ ହୋଇନଥିଲା । CISFର ସୁରକ୍ଷାରେ ଏହି ଲଢ଼ୁଆ ବିମାନକୁ ବିମାନବନ୍ଦରର ବେ-୪ରେ ରଖାଯାଇଛି ।